୪ ବର୍ଷ ତଳେ ୨୯୩୦ ଟଙ୍କା ପାଇଁ ଦାବି ହୋଇଥିଲା
ଉତ୍ପାଦନ ଖର୍ଚ୍ଚ ବଢ଼ୁଛି, ଏମ୍‌ଏସ୍‌ପି ୨୦୦୦ ଛୁଇଁଲାନି

Advertisment

ଭୁବନେଶ୍ବର : ୨୦୧୭ ମାର୍ଚ୍ଚ ୨୫ ତାରିଖ। ଓଡ଼ିଶା ବିଧାନସଭାରେ ଥିଲା ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଚାଷୀଙ୍କ ସ୍ବାର୍ଥ ପାଇଁ ଶାସକ ଓ ବିରୋଧୀଙ୍କ ସ୍ବର ଗୋଟିଏ ଥିଲା। ଧାନ ଉତ୍ପାଦନ ଖର୍ଚ୍ଚକୁ ଲକ୍ଷ୍ୟରେ ରଖି ସ୍ବାମୀନାଥନ୍ କମିଟି ସୁପାରିସ୍‌ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେଲା। ନିଷ୍ପତ୍ତି ହେଲା ଯେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏମ୍‌ଏସ୍‌ପି ବୃଦ୍ଧି ପାଇଁ ଦାବି ରଖାଯିବ।

ଏହାର ଠିକ୍ ଏକ ମାସ ପରେ ଅର୍ଥାତ ଏପ୍ରିଲ ଶେଷ ସପ୍ତାହରେ ତତ୍‌କାଳୀନ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହେଲା। ନିଷ୍ପତ୍ତି ହେଲା ଯେ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ କମିଟି ସାକ୍ଷାତ କରି ଦାବିପତ୍ର ଉପସ୍ଥାପନ କରାଯିବ। ବିଧାନସଭା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ସମୟ ମଗାଗଲା। ମେ' ୩୧ ତାରିଖ ପୂର୍ବରୁ ଭେଟିବା ପାଇଁ ନିବେଦନ କରାଗଲା। କାରଣ ଜୁନ୍ ମାସରେ କେନ୍ଦ୍ର ସରକାର ଏମ୍‌ଏସ୍‌ପି ଧାର୍ଯ୍ୟ କରନ୍ତି। କିନ୍ତୁ ଏକ ମାସ ଧରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କମିଟିକୁ ସମୟ ଦିଆଗଲାନି କି ଚିଠିର ଉତ୍ତର ଆସିଲାନି। ଏହା ମଧ୍ୟରେ ବାଚସ୍ପତି ମଧ୍ୟ ପରିବର୍ତ୍ତନ ହୋଇସାରିଥିଲେ। ନୂଆ ବାଚସ୍ପତି ପ୍ରଦୀପ ଅମାତ ମେ' ମାସ ଶେଷ ସପ୍ତାହରେ ସୂଚନା ଦେଲେ ଯେ ଆଉ ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖାଯାଇ ସମୟ ମଗାଯିବ। ଚିଠି ବି ଲେଖାଗଲା। କିନ୍ତୁ ନା ଆସିଲା ଉତ୍ତର, ନା ମିଳିଲା ସମୟ।

publive-image photo-represnetative

ଚାରି ବର୍ଷ ହେଲା ପ୍ରକ୍ରିୟା ସେଇଠି ଅଟକିଯାଇଛି। ଏହା ମଧ୍ୟରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସମୟରେ ଗଣମାଧ୍ୟମରେ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ଦାବି କରାଯାଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିବାଦ ସଭାସମିତି ବି ହୋଇଛି। ମଝିରେ ମଝିରେ ବିଧାନସଭାରେ ହୋହଲ୍ଲା ହୋଇଛି। ୨୦୧୮ରେ ବି ପୁଣି ଏକ ସଂକଳ୍ପ ପାରିତ ହୋଇଛି। ଗତ ଡିସେମ୍ବର ମାସରେ ମଧ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ ରାଜ୍ୟ ସରକାର ଏମ୍‌ଏସ୍‌ପି ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କିନ୍ତୁ ଏହି ଚିଠି, ବିଧାନସଭାରେ ହୋହଲ୍ଲା, ରାଜନୀତିର ଚକ୍ରବ୍ୟୂହ ଭିତରେ ଚାଷୀମାନେ ଫସିଯାଇଛନ୍ତି। ସବୁ ଶେଷରେ ଚାଷୀଙ୍କ ପାଇଁ କିଛି ଠୋସ୍‌ ଫଳାଫଳ ନାହିଁ।

୨୦୧୬-୧୭ରେ ଓଡ଼ିଶାରେ ଧାନ ଉତ୍ପାଦନ ଖର୍ଚ୍ଚ ଥିଲା କ୍ବିଣ୍ଟାଲ ପିଛା ୨୩୪୪ ଟଙ୍କା। ରାଜ୍ୟ ସରକାର ବିଶେଷଜ୍ଞମାନଙ୍କୁ ବସାଇ ଏଇ ହିସାବ କରିଥି‌ଲେ। ସେହି ସମୟରେ ଏମ୍‌ଏସ୍‌ପି ଥିଲା କ୍ବିଣ୍ଟାଲ ପିଛା ୧୪୭୦ ଟଙ୍କା। ଅର୍ଥାତ ଚାଷୀକୁ କ୍ବିଣ୍ଟାଲ ପିଛା ୮୭୪ ଟଙ୍କା କ୍ଷତି ସହିବାକୁ ପଡ଼ୁଥିଲା। ଏଥିପାଇଁ ବିଧାୟକମାନେ ଚିନ୍ତିତ ଥିଲେ ଓ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନ କରି ସର୍ବସମ୍ମତ ସଂକଳ୍ପ ଗୃହୀତ କରାଇଥିଲେ। ଚାଷୀଙ୍କୁ ଅତି କମ୍‌ରେ ୨୫% ଲାଭ ଦେଇ ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବା ପାଇଁ ଦାବି ହୋଇଥିଲା।

ଏହା ମଧ୍ୟରେ ୫ ବର୍ଷ ବିତିଗଲାଣି। ସବୁ ଜିନିଷର ଦରଦାମ ଆଶାତୀତ ଭାବେ ବଢ଼ିଚାଲିଛି। କୃଷି ସାମଗ୍ରୀ ଠାରୁ ଆରମ୍ଭ କରି ଡିଜେଲ ଦର ପର୍ଯ୍ୟନ୍ତ ସବୁ ଦର ବଢ଼ିଛି। ତେଣୁ ନିଶ୍ଚିତ ଭାବେ ଧାନ ଉତ୍ପାଦନ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ବଢ଼ିଗଲାଣି। ଆଉ କ୍ବିଣ୍ଟାଲ ପିଛା ଖର୍ଚ୍ଚ ୨୩୪୪ ଟଙ୍କା ନାହିଁ। କିନ୍ତୁ ଏବେ ବି ଏମ୍‌ଏସ୍‌ପି ୨୦୦୦ ଟଙ୍କା ଛୁଇଁ ନାହିଁ। ଗତକାଲି କେନ୍ଦ୍ର ସରକାର ୭୨ ଟଙ୍କା ଦର ବୃଦ୍ଧି କଲା ପରେ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ମାତ୍ର ୧୯୪୦ ଟଙ୍କା ହୋଇଛି। ତେଣୁ ଚାଷୀଙ୍କୁ ଯେ କେତେ କ୍ଷତି ସହିବାକୁ ପଡ଼ୁଥିବ, ତାହା ସହଜରେ ଅନୁମେୟ। ଚାଷୀ ୮୭୪ ଟଙ୍କା କ୍ଷତି ସହୁଥିଲା ବେଳେ ବିଧାନସଭାରେ ବିଧାୟକମାନେ ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବା ପାଇଁ ଦାବି କରୁଥିଲେ। କିନ୍ତୁ ଏବେ ଚାଷୀଙ୍କ କ୍ଷତି ବହୁ ଗୁଣରେ ବଢ଼ିଯାଇଥିଲେ ବି କାହାର ଚିନ୍ତା ନାହିଁ। ଚାଷୀଙ୍କ ପାଇଁ ନା ସବୁ ଦଳ ଏକାଠି ହେଉଛନ୍ତି ନା କୌଣସି ନିର୍ଦ୍ଦିଷ୍ଟ ଦଳର ସ୍ବର ଶାଣିତ ହେଉଛି। ଯଦି ବାସ୍ତବରେ ଚାଷୀ ଉତ୍ପାଦନ ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛି, ସେ ତା'ର ସର୍ବନିମ୍ନ ମୂଲ୍ୟ ପାଉ ନ ଥିଲା ବେଳେ ରାଜନୈତିକ ଦଳମାନେ କିପରି ଚୁପ୍ ହୋଇ ବସୁଛନ୍ତି? ୫ ବର୍ଷ ତଳେ ସରକାର ଚାଷୀଙ୍କ କ୍ବିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ହିସାବ କରିଥିଲେ। କିନ୍ତୁ ଏବେ ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ସ୍ଥିତି ଜାଣିବା ପାଇଁ ବିଶେଷଜ୍ଞଙ୍କୁ ନେଇ ଏକ ହିସାବ କାହିଁକି କରୁ ନାହାନ୍ତି ? ହିସାବ କଲେ ଚାଷୀଙ୍କ ବାସ୍ତବ ସ୍ଥିତି ଜଣାପଡ଼ନ୍ତା।

publive-image odishaassembly.nic.in

ଆଉ ଏକ ବିଡ଼ମ୍ବନା ହେଲା ଓଡ଼ିଶା ବିଧାନସଭାରେ ଏକ ସର୍ବସମ୍ମତ ସଂକଳ୍ପ ଗୃହୀତ ହେଲା ପରେ ତାହା ଚାରି ବର୍ଷ ଧରି ଫାଇଲ୍‌ ତଳେ ଚାପି ‌ହୋଇଯିବା। ଏକ ସଂକଳ୍ପ ଅପ୍ରାସଙ୍ଗିକ ଓ ମୂଲ୍ୟହୀନ ହୋଇଯିବା ସମ୍ପୂର୍ଣ୍ଣ ବ୍ୟବସ୍ଥାଟିକୁ ହାସ୍ୟାସ୍ପଦ କରିଦେଉଛି। ବିଧାନସଭା ଗାରିମା ମଧ୍ୟ ଏହା ଦ୍ବାରା କ୍ଷୁଣ୍ଣ ହେଉଛି। ବିଧାନସଭାରେ ଗୃହୀତ ପ୍ରସ୍ତାବକୁ କେନ୍ଦ୍ର ସରକାର ମାନି ନେବା ତ ଦୂରର କଥା, ଚାରି ବର୍ଷ ହେଲା ଗୃହ କମିଟିକୁ ଭେଟିବା ପାଇଁ ବି ପ୍ରଧାନମନ୍ତ୍ରୀ ସମୟ ଦେଇ ନାହାନ୍ତି। ଏହି ପ୍ରସଙ୍ଗରେ ସମସ୍ତେ ଚୁପ୍ ବସିଯାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ସିଧାସଳଖ କାଳିଆ ଓ ପିଏମ୍‌-କିଷାନ ଯୋଜନାରେ ସହାୟତା ଦେଇ ହାତ ଟେକି ଦେଉଛନ୍ତି। ଚାଷୀର ପ୍ରକୃତ ସ୍ଥିତି ପ୍ରତି ସମସ୍ତେ ଯେମିତି ଆଖି ବୁଜି ଦେଇଛନ୍ତି।

ଗତକାଲି ଏମ୍‌ଏସ୍‌ପି ଦର ବୃଦ୍ଧି ହେଲା ପରେ ତାହାକୁ ନେଇ ଆଜି ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏହି ଦରବୃଦ୍ଧି ଚାଷୀଙ୍କ ପାଇଁ କଟା ଘାରେ ଚୂନ ସଦୃଶ। ଦୁର୍ଭାଗ୍ୟର ବିଷୟ ଯେ ଚାଷୀ ଯେତିକି ଖର୍ଚ୍ଚ କରୁଛି, ତାହା ପାଉ ନାହିଁ। ଏମ୍‌ଏସ୍‌ପି ଧାର୍ଯ୍ୟ କଲା ପରେ ମଧ୍ୟ କ୍ବିଣ୍ଟାଲ ପିଛା ଖର୍ଚ୍ଚ ଉଠୁନି। ଏମ୍‌ଏସ୍‌ପି ଦର ଯେତିକି ଧାର୍ଯ୍ୟ ହେଉଛି, ଚାଷୀ ତାହା ଠାରୁ ମଧ୍ୟ କମ୍ ପାଉଛନ୍ତି। କେନ୍ଦ୍ର ସରକାର ୨୦୧୪ ମସିହା ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ସ୍ବାମୀନାଥନ୍ କମିସନ୍ ରିପୋର୍ଟକୁ ଗ୍ରହଣ କରି ଏମ୍‌ଏସ୍‌ପି ଦର ବଢ଼ାଇବାକୁ ସେ ଦାବି କରିଛନ୍ତି।

ବିଜେଡି ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ‌କେନ୍ଦ୍ର ସରକାର ଏମ୍‌ଏସ୍‌ପି ୭୨ ଟଙ୍କା ବଢ଼ାଇଛନ୍ତି। ଚାଷୀକୂଳ ନିଶ୍ଚିତ କିଛି ମାତ୍ରାରେ ଉପକୃତ ହେବେ। ଏହାକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ବୈଧାନିକ ପ୍ରସଙ୍ଗ ହେଉଛି ଯେ ପେଟ୍ରୋଲ ଓ ଡିଜେଲ ସମେତ ବିଭିନ୍ନ ସାମଗ୍ରୀର ଦର ଆକାଶଛୁଆଁ ହେଲାଣି। କେନ୍ଦ୍ର ସରକାର ଏହାର ଆକଳନ କରି ହିସାବ କରୁଛନ୍ତି କି ନାହିଁ? ଯେତେବେଳେ ଡିଜେଲ୍‌ ଦର ବୃଦ୍ଧି ହୁଏ, ତାହାର ସିଧା ପ୍ରଭାବ ଚାଷୀକୂଳ ଉପରେ ପଡ଼େ। ତେଣୁ କେନ୍ଦ୍ର ସରକାର ଏହାକୁ ବିଚାରକୁ ନେବା ଉଚିତ।

ବିଜେପି କୃଷକ ମୋର୍ଚ୍ଚାର ଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀଙ୍କ ପ୍ରସଙ୍ଗରେ କଂଗ୍ରେସର ସମାଲୋଚନା କରିବାର ଅଧିକାର ନାହିଁ। କଂଗ୍ରେସ ଏକ ଲମ୍ବା ସମୟ ଶାସନ କରିଛି। କିନ୍ତୁ ସେହି ସମୟରେ ଚାଷୀଙ୍କ ଅବସ୍ଥା ତଳିତଳାନ୍ତ ହୋଇଯାଇଥିଲା। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଯେଉଁ ଟଙ୍କା ପଠାଉଛନ୍ତି, ତାହାକୁ ରାଜ୍ୟ ସରକାର ଚାଷୀଙ୍କ ପାଖରେ ଠିକ୍ ଭାବେ ପହଞ୍ଚାନ୍ତୁ। ଏହି ଉତ୍ତର ଦାୟିତ୍ବ ରାଜ୍ୟ ସରକାର ନିଅନ୍ତୁ।