କେବେ ପୂରଣ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ବପ୍ନ?

୪ ବର୍ଷ ପରେ ବି ଅଧୁରା, ୨୦୨୩ ଏପ୍ରିଲ ଭିତରେ ସାରିବାକୁ ଲକ୍ଷ୍ୟ

ପୁରୀ : ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରାର ସମୃଦ୍ଧି ପାଇଁ ୪ ବର୍ଷ ତଳେ ଓଡ଼ିଆ ବିଶ୍ବବିଦ୍ୟାଳୟର ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ବହୁ ମାନସମନ୍ଥନ ପରେ ଏହି ବିଶ୍ବବିଦ୍ୟାଳୟ ପାଇଁ ପଞ୍ଚସଖାଙ୍କ ମାଟି ସତ୍ୟବାଦୀର ବକୁଳବନକୁ ଶ୍ରେଷ୍ଠ ସ୍ଥାନ ଭାବେ ବିବେଚିତ କରାଗଲା। ସେହି ଅନୁସାରେ ନିଜେ ମୁଖ୍ୟମନ୍ତ୍ରୀ ବକୁଳବନ ସମ୍ମୁଖ ପଡ଼ିଆରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇତିମଧ୍ୟରେ ୪ ବର୍ଷ ପୂରି ୫ ବର୍ଷ ଚାଲିଲାଣି, କିନ୍ତୁ ବିଶ୍ବବିଦ୍ୟାଳୟ ସ୍ବପ୍ନ ସାକାର ହୋଇପାରିନି।

୨୦୧୮ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ କ୍ୟା‌ବିନେଟ୍‌ରେ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମଞ୍ଜୁରି ମିଳିଥିଲା। ପ୍ରାୟ ୨୫ ଏକର ଜାଗାରେ ୧୦ କୋଟି ଟଙ୍କା ବ୍ୟୟରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ବିଶେଷ କରି ଏହି ବିଶ୍ବବିଦ୍ୟାଳୟ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ବହନ କରିବ ଓ ବକୁଳବନକୁ ସମସ୍ତ ଓଡ଼ିଆଙ୍କ ମନରେ ତାଜା ରଖିବ ବୋଲି କୁହାଗଲା। ଏହି ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ ସହ ଇତିହାସ ଓ ଅନ୍ୟାନ୍ୟ ବିଷୟ ଉପରେ ଗବେଷଣାର ଶ୍ରେଷ୍ଠ ସ୍ଥାନ ପାଲଟିବ ବୋଲି ବଡ଼ ବଡ଼ ସ୍ବପ୍ନ ଦେଖାଇ ଦିଆଯାଇଥିଲା। ସବୁଜିମା ପରିବେଶ ଭିତରେ ଏହି ବିଶ୍ବବିଦ୍ୟାଳୟ ଠିଆହେବ, ବକୁଳବନର ସ୍ମୃତି ବହନ କରୁଥିବା ଗୋଟିଏ ବି ଗଛ କଟିବନି ବୋଲି ପ୍ରତିଶ୍ରୁତି ବି ଦିଆଗଲା।

ସେହି ଅନୁଯାୟୀ ସେହିବର୍ଷ ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଦିନରେ ବକୁଳବନଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଥିଲେ। ପରେ ଜମି ଅଧିଗ୍ରହଣକୁ ନେଇ ଅନେକ ସମସ୍ୟା ଦେଇ ଗତି କଲା ଏହି ବିଶ୍ବବିଦ୍ୟାଳୟ। ଏବେ ଜମି ଅଧିଗ୍ରହଣ ପରେ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଛି। ରାଜ୍ୟ ସରକାର ଓବିସିସିକୁ ଏହି ବିଶ୍ବବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ହସ୍ତାନ୍ତର କରିଛନ୍ତି। ଓବିସିସି ଡିଭିଜନ୍‌-୨ ପକ୍ଷରୁ ୩୦‌ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୨୧ ଡିସେମ୍ବର ୮ ତାରିଖରୁ ନିର୍ମାଣ କାମ ଆରମ୍ଭ ହୋଇଥିବାବେଳେ ୧୮ ମାସ ଭିତରେ ଅର୍ଥାତ୍‌ ୨୦୨୩ ଜୁନ୍‌ ୭ ତାରିଖ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଠିକାସଂସ୍ଥା ଭାବେ ଆଦର୍ଶ ବ୍ରଦର୍ସ କନ୍‌ଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ନିର୍ମାଣ କାର୍ଯ୍ୟ କରୁଛି। ଟାଟା କନସଲ୍ଟିଂ ଇଂଜିନିୟରିଂ ଲିମିଟେଡ୍‌ ପ୍ରକଳ୍ପ ମନିଟରିଂ କରୁଛି। କିନ୍ତୁ ନିର୍ମାଣର ଅଗ୍ରଗତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂପର୍କରେ ଓବିସିସି ଡିଭିଜନ୍‌-୨ ପ୍ରକଳ୍ପ ପରିଚାଳକ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ କାଫେଟେରିଆ, ଲାଇବ୍ରେରି ବିଲ୍‌ଡିଂ, ଛାତ୍ରଛାତ୍ରୀଙ୍କ ଛାତ୍ରାବାସ, ପାଠପଢ଼ା ଗୃହ, ସ୍କଲାର ହଷ୍ଟେଲ, ପ୍ରଶାସନିକ କୋଠା ନିର୍ମାଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଛାତ୍ରାବାସ ତଳ ମହଲା ସରି ପ୍ରଥମ ମହଲା କାମ ଜାରି ରହିଛି। ପାଠପଢ଼ା ଗୃହ(ଏକାଡେମିକ ହଲ୍‌), ଲାଇବ୍ରେରି କାମ ବି ବେଶ ଆଗେଇଛି। ପ୍ରଶାସନିକ କୋଠା ତଳମହଲା କାମ ଜାରି ରହିଛି। ଖୁବଶୀଘ୍ର ଆମେ କାମ ‌‌ଶେଷ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଆଦର୍ଶ ବ୍ରଦର୍ସ କନ୍‌ଷ୍ଟ୍ରକସନ୍‌ ପ୍ର‌ାଇଭେଟ୍‌ ଲିମିଟେଡ୍‌ ସିନିୟର ଇଂଜିନିୟର ଅଭିଷେକ ତ୍ରିପାଠୀ କହିଛନ୍ତି, ନିର୍ମାଣ କାର୍ଯ୍ୟ ପ୍ରାୟ ୫୦ ପ୍ରତିଶତ ଶେଷ ହୋଇଗଲାଣି। ଛାତ୍ରାବାସ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଜୁନ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ଆମେ ଏପ୍ରିଲ ସୁଦ୍ଧା କାମ ସାରିଦେବୁ ବୋଲି ଇଂ. ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର