ଫୁଲବାଣୀ (ରଞ୍ଜନ ପ୍ରଧାନ): ମରୁଡ଼ିପ୍ରବଣ କନ୍ଧମାଳ ଭଳି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଜଳ ସଂକଟ ଏକ ପ୍ରମୁଖ ସମସ୍ୟା। ବିଶେଷ କରି ଗ୍ରୀଷ୍ମ ଋତୁରେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ପାନୀୟ ଜଳ ସଂକଟ ଉତ୍କଟ ହୋଇଥାଏ। ପାଣି ଟୋପାଏ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। ମହିଳା ମାନଙ୍କୁ ପାଣି ଗରାଏ ପାଇଁ ଟେପ୍ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଧାଡ଼ି ଲଗାଇବାକୁ ପଡ଼େ। ସେହିପରି କିଛି ମହିଳା ପାଣି ଆଣିବା ପାଇଁ କିଲୋମିଟର ବ୍ୟାପୀ ଚାଲିଥାନ୍ତି। ଏହି ସମସ୍ୟା ବର୍ଷ କିମ୍ବା ଦୁଇ ବର୍ଷର ନୁହେଁ। ଦୀର୍ଘ ଦଶନ୍ଧି ହେଲା ଜିଲ୍ଲାରେ ଏହି ସମସ୍ୟା ଲାଗି ରହିଛି।
ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ଓ ଅନେକ ଦାବି ପରେ ଜିଲ୍ଲାର ଜଳକଷ୍ଟ ଦୂର ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଥିଲେ। 'ଜଳ ଜୀବନ ମିସନ' ପ୍ରକଳ୍ପରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ 'ବୃହତ୍ କନ୍ଧମାଳ ଜଳ ଯୋଗାଣ ପ୍ରକଳ୍ପ'ର ପରିକଳ୍ପନା କରାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ମହାନଦୀର ଜଳକୁ କନ୍ଧମାଳ ଜିଲ୍ଲାବାସୀଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୧ ନଭେମ୍ବର ୨ ତାରିଖରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏହାକୁ ୨୦୨୩ ନଭେମ୍ବର ସୁଦ୍ଧା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା।
ପାଣି ପାଇଁ ଚାହିଁ ରହିଛନ୍ତି ୪୭୫ ଗାଁର ୯୧ ହଜାର ଲୋକ
ଚିର କାଳ ଧରି ଜଳକଷ୍ଟ ଭୋଗି ଆସୁଥିବା କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଏହି ପ୍ରକଳ୍ପର ପରିକଳ୍ପନା ଖୁସି ଖବର ଆଣିଥିଲା। ଲୋକେ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ଯେଉଁ ମନ୍ଥର ଗତିରେ କାମ ଚାଲିଛି ତାହା ଲୋକଙ୍କ ଖୁସିରେ ଭଟ୍ଟା ଆଣିଛି। କାମ ଶେଷ ହେବା ପାଇଁ ୨୦୨୫ ଲାଗିଯିବ ବୋଲି ବୁଦ୍ଧିଜୀବୀ ତଥା ସମୀକ୍ଷକ ମାନେ କହିଛନ୍ତି।
୪୦୦ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପର କାର୍ଯ୍ୟ ଏଲ୍ଆଣ୍ଡ୍ଟି ଠିକା ସଂସ୍ଥା ନେଇଛି। କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏହାର ତଦାରଖ କରୁଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ଫୁଲବାଣୀ ଉପଖଣ୍ଡ ଅଧୀନ ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ ଏବଂ ଚକାପାଦ ବ୍ଲକର ଜନସାଧାରଣଙ୍କୁ ପାନୀୟ ଜଳ ମିଳିପାରିବ। ଖଜୁରୀପଡ଼ା ବ୍ଲକର ୧୩ ଟି ପଞ୍ଚାୟତ, ଫୁଲବାଣୀ ବ୍ଲକର ୧୧, ଫିରିଙ୍ଗିଆ ବ୍ଲକର ୧୨ ଏବଂ ଚକାପାଦ ବ୍ଲକର ୫ଟି ପଞ୍ଚାୟତର ମୋଟ ୪୭୫ ଗାଁର ୯୧ ହଜାର ଲୋକେ ଲାଭବାନ ହୋଇପାରିବେ।
ଏହି ପ୍ରକଳ୍ପ ଜରିଆରେ ବୌଦ୍ଧ ଜିଲ୍ଲାର ମହାନଦୀରୁ ପାଣି କନ୍ଧମାଳ ଜିଲ୍ଲାକୁ ଅଣାଯିବ। ବୌଦ୍ଧ ଜିଲ୍ଲାର ହରଭଙ୍ଗାଠାରେ ମହାନଦୀ କୂଳରେ ଏକ ବୃହତ୍ ଇନ୍ଟେକ୍ ୱେଲ୍ ଏବଂ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ଏଠାରୁ ଶକ୍ତିଶାଳୀ ପାଇପ ଯୋଗେ ହରଭଙ୍ଗାରୁ ରାଣୀପଥର ଓ ଭେଟଖୋଲ ଘାଟି ରାସ୍ତା ଦେଇ କନ୍ଧମାଳ ଜିଲ୍ଲାକୁ ପାଣି ଅଣାଯିବ। ହରଭଙ୍ଗାଠାରେ ଯେଉଁ ବିଶାଳ ଇନ୍ଟେକ୍ ୱେଲ ନିର୍ମାଣ କରାଯାଇଛି ତାହାର ଦୈନିକ ଜଳଧାରଣ କ୍ଷମତା ୯ ନିୟୁତ ଲିଟର ରହିଛି। ସେହିଭଳି କନ୍ଧମାଳ ଜିଲ୍ଲାର ୪୧ଟି ପଞ୍ଚାୟତ ମୁଖ୍ୟାଳୟରେ ୪୧ଟି ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇ ପ୍ରତି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରହିଛି। ତେବେ କାମ ବହୁତ ପଛେଇ ଥିବାରୁ ଏହି ଲକ୍ଷ୍ୟ କେବେ ପୂରଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ନେଇ କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିକାଶ ଚନ୍ଦ୍ର ଦାଶ କହିଥିଲେ, ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ହରଭଙ୍ଗାଠାରେ ଇନ୍ଟେକ୍ ୱେଲ୍ ଏବଂ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ କାମ ଆରମ୍ଭ ହୋଇଗଲାଣି। ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ପ୍ରକଳ୍ପଟି ଜଙ୍ଗଲ ବିଭାଗର ମଞ୍ଜୁରୀ ଅପେକ୍ଷାରେ ରହିଥିବା ଜଣାପଡ଼ିଛି। ମଞ୍ଜୁରୀ ମିଳିଲା ପରେ କାମ ଦ୍ରୁତ ଗତିରେ ଆଗେଇ ପାରିବ ବୋଲି ଠିକା ସଂସ୍ଥା ପକ୍ଷରୁ କହାଯାଇଛି। ଏହା ମଧ୍ୟରେ ପାଇପ୍ ବିଚ୍ଛା କାମ ଆରମ୍ଭ ହୋଇଛି। ଏସବୁ ସତ୍ତ୍ବେ ପ୍ରକଳ୍ପ କାର୍ଯ୍ୟ ଯେଉଁଭଳି ମନ୍ଥର ଗତିରେ ଚାଲିଛି ତାହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହେଲା ଭଳି ଦିଶୁନାହିଁ।