ରେବଣା-ଦୈତାରୀ ରାସ୍ତା ନିର୍ମାଣ କେବେ?

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ୍‌ର ରେବଣା ଓ ଦୈତାରୀ ମଧ୍ୟରେ ରାସ୍ତା ନିର୍ମାଣ ହେଉନଥିବାରୁ ଯାତୟାତରେ ସମସ୍ୟା ହେଉଛି। ଏହି ୮.୨ କିଲୋମିଟର ରାସ୍ତାଟି ସଂରକ୍ଷିତ ଜଙ୍ଗଲ‌ ମଧ୍ୟରେ ରହିଛି। ବନ ବିଭାଗ ରାସ୍ତା ନିର୍ମାଣ କରୁନି କି ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରୁନାହିଁ। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି।

ହରିଚନ୍ଦନପୁରରୁ ଦୈତାରୀ ଭୟା ରେବଣାପଳାଶପାଳ ଦୂରତା ହେଉଛି ୩୨.୨ କିଲୋମିଟର। ଏହି ରାସ୍ତାର ହରିଚନ୍ଦନପୁରରୁ ରେବଣା ପର୍ଯ୍ୟନ୍ତ ୨୪ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗର ହୋଇଥିବା ବେଳେ ଅବଶିଷ୍ଟ ୮.୨ କିଲୋମିଟର ରାସ୍ତା ବନ ବିଭାଗ ଅଧୀନରେ ରହିଛି। ୪ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ରେବଣାପଳାଶପାଳରୁ ବରେଇଗୋଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଥିବା ବେଳେ ଚଳିତବର୍ଷ ଠାରୁ ଅବଶିଷ୍ଟ ୧୯ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ହେଲେ ରେବଣାରୁ ଦୈତାରୀ ପର୍ଯ୍ୟନ୍ତ ରାସ୍ତା ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଯାଇଛି। ବନ ବିଭଗ ଏହାକୁ ସବୁଦିନିଆ ରାସ୍ତାରେ ପରିଣତ କରୁନାହିଁ କି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରୁନାହିଁ। ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମାଟି ଓ ମୋରମ ରାସ୍ତା ଅବସ୍ଥା ବର୍ଷାଦିନେ ଶୋଚନୀୟ ହୋଇପଡ଼ୁଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି।

ଦୈତାରୀରେ ଏକ ଲୌହଖଣି ରହିଛି। ଏହାକୁ ଓଡ଼ିଶା ଖଣି ନିଗମ ପରିଚାଳନା କରୁଛି। ବର୍ଷାଦିନେ ହରିଚନ୍ଦନପୁର ଅଞ୍ଚଳବାସୀ ଦୈତାରୀକୁ ୩୨ କିଲୋମିଟର ପରିବର୍ତ୍ତେ ଭାୟା ବ୍ରାହ୍ମଣୀପାଳ ୫୦ କିଲୋମିଟର ରାସ୍ତା ଅତିକ୍ରମ କରି ଯାତାୟାତ କରୁଛନ୍ତି। ବରେଇଗୋଡ଼ା ଓ ରେବଣାପଳାଶପାଳ ପଞ୍ଚାୟତର ବହୁ ଚାଷୀ ପରିବା ବିକ୍ରି କରିବାକୁ ପ୍ରତିଦିନ ଦୈତାରୀ ଯାଇଥାନ୍ତି। ଏହାଛଡ଼‌ା ଉଭୟ ପଞ୍ଚାୟତରୁ ବହୁ ଲୋକ କାମ କରିବାକୁ ଦୈତାରୀ ଯାଇଥାନ୍ତି। ବ୍ଲକ୍‌ରେ ଥିବା ଏହି ଏକମାତ୍ର ଲୌହଖଣି ଏବଂ ହରିଚନ୍ଦନପୁର ବ୍ଲକ୍‌ ମୁଖ୍ୟାଳୟ ମଧ୍ୟରେ ସିଧାସଳଖ ଯୋଗଯୋଗ ହୋଇପାରି ନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ବରେଇଗୋଡ଼ା ପଞ୍ଚାୟତବାସୀ ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧଙ୍କ ନିକଟରେ ବହୁବାର ଗୁହାରି କରିଛନ୍ତି। କିନ୍ତୁ କେହି ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଏହି ୮.୨ କିଲୋମିଟର ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର