ଅଶ୍ୱିନୀଙ୍କ ପାଖରେ ଅଟକିଛି ନବୀନଙ୍କ ସ୍ୱପ୍ନ: ବାକି ରେଳପଥ ପୂର୍ବତଟ ଅଧୀନକୁ କେବେ?

୨୦୧୯ ନିର୍ବାଚନ ଆଗରୁ ମୋଦୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ
ରାଉରକେଲା ଜୋନ ପାଇଁ ୧୯୬୦ରେ ବିଜୁ ବାବୁ ସ୍ବପ୍ନ ଦେଖିଥିଲେ
ଉତ୍ତର ଓଡ଼ିଶା ବିକାଶ ପାଇଁ ଜୋର ଧରୁଛି ବାଲେଶ୍ବର ଡିଭିଜନ ଦାବି

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ‘ଓଡ଼ିଶାରେ ରେଳବାଇର ପୁନର୍ଗଠନ ସମୟ ଆସିଯାଇଛି। ରାଜ୍ୟରେ ବିଛାଯାଇଥିବା ସମସ୍ତ ରେଳପଥକୁ ଏକୀକରଣ କରାଯାଇ ପୂର୍ବତଟ ରେଳପଥ ଅନ୍ତର୍ଗତ ପ୍ରାଶାସନିକ ଜୋନ୍ ଅଧୀନକୁ ଅଣାଯିବା ଉଚିତ୍।’

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଏଭଳି ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଯେଉଁ ଅନ୍ୟ ଗୁରୁତ୍ବପୂର୍ଣ୍ଣ କଥାଟି କୁହାଯାଇଥିଲା, ତାହା ହେଲା ରାଉରକେଲା ଓ ଯାଜପୁରରେ ନୂଆ ଡିଭିଜନ ପ୍ରସ୍ତାବ।

ସଂପ୍ରତି ପ୍ରସ୍ତାବିତ ରାୟଗଡ଼ା ଡିଭିଜନକୁ ଆନ୍ଧ୍ର ସରକାର ଆଖେଇଥିବା ଖବର ପ୍ରଚାରିତ ହେବାପରେ ଓଡ଼ିଶାର ଏହି ଦାବି ପୁଣି ସାମ୍ନାକୁ ଆଣିଛି। ଏଇଥିପାଇଁ ଯେ ରେଳ ମନ୍ତ୍ରାଳୟ ନେତୃତ୍ବ ନେଉଛନ୍ତି ଓଡ଼ିଶାର ସାଂସଦ ଅଶ୍ବିନୀ ବୈଷ୍ଣବ। ବିଜେପି ସାଂସଦ ଶ୍ରୀ ବୈଷ୍ଣବ ନବୀନଙ୍କ ବିଜେଡି ଭୋଟରେ ନିର୍ବାଚିତ ହୋଇଛନ୍ତି। ଏଣୁ ଦକ୍ଷିଣା ସ୍ବରୂପ ନବୀନଙ୍କ ଏହି ଦାବିକୁ ଅଶ୍ବିନୀ ସର୍ବାଧିକ ଗୁରୁତ୍ବ ଦେବା କଥା। ହେଲେ ବାସ୍ତବତା ହେଲା- ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲିନାହାନ୍ତି। ନିର୍ବାଚନ ପୂର୍ବର ଏହି ଦାବି ପୂରଣ ଦିଗରେ ଶାସକ ବିଜୁ ଜନତା ଦଳ, ସର୍ବୋପରି ନିଜେ ନବୀନ ପଟ୍ଟନାୟକ କାହିଁକି ଓ କେଉଁ କାରଣରୁ ନିରବ ରହିଛନ୍ତି, ତାହା ବୁଝାପଡୁନାହିଁ। ଯଦି ଓଡ଼ିଶାରୁ ନିର୍ବାଚିତ ବୈଷ୍ଣବଙ୍କ ସମୟରେ ଏହି ଦାବି ହାସଲ ନହେବ, ତେବେ ଆଉ କେବେ କରାଯିବ?

Wikipedia

ରାଉରକେଲାରେ ରେଳବାଇ ଡିଭିଜନ୍ ସ୍ବପ୍ନ ଆଜିର ନୁହେଁ; ୧୯୬୦ ମସିହାର। ବିଜୁ ପଟ୍ଟନାୟକ ସେଠାରେ ଵାଗନ୍ ଫ୍ୟାକ୍ଟ୍ରି କଥା ଚିନ୍ତା କରିଥିଲେ। ୫୫୦୦ ଏକର ଜମି ବନ୍ଧମୁଣ୍ଡାରେ ଦିଆଯାଇଥିଲା ଓ ୫୦୦ ଏକର ରେଳବାଇ କଲୋନୀ ପାଇଁ। ହେଲେ ସ୍ବତନ୍ତ୍ର ଡିଭିଜନ୍ କ’ଣ; ପୂର୍ବତଟ ରେଳପଥ ଅଧୀନରେ ବି ଏହା ରହିଲା ନାହିଁ। ବିହାର ରାଜନୀତିକୁ ଦୃଷ୍ଟିରେ ରଖି ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ଚକ୍ରଧରପୁର ଅଧୀନରେ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର (ଆଂଶିକ) ଜିଲ୍ଲା ରଖିଦେଲେ। ଯେହେତୁ ପୂର୍ବତଟ ରେଳପଥର ମୁଖ୍ୟାଳୟ ଭୁବନେଶ୍ବରରେ ହେବା ଦାବି ପୂରଣ ହେଲା, ସମ୍ଭବତଃ ସେ କାରଣରୁ ସମସ୍ତେ ଗଦଗଦ୍ ହୋଇପଡ଼ିଲେ। ଏଣୁ ରାଜ୍ୟ ନେତୃତ୍ବ ରାଉରକେଲା ଡିଭିଜନ ପ୍ରସଙ୍ଗକୁ ନେଇ ସେବେ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା କଲେ ନାହିଁ। ବିଜୁ ବାବୁଙ୍କ ନାମରେ ଗଠିତ ବିଜେଡି ତାଙ୍କର ଅଧୁରା ସ୍ବପ୍ନକୁ ପୂରଣ କରିପାରିଲା ନାହିଁ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେଉଁ କାରଣ ଦର୍ଶାଇ ଓଡ଼ିଶାର ଏହି ଦାବିକୁ କାଟି ଉଡ଼ାଇ ଦିଆଗଲା, ତାହା ସହଜରେ ଗ୍ରହଣ କରି ହେଉନାହିଁ। କାରଣ ଅନ୍ୟ ରାଜ୍ୟ କ୍ଷେତ୍ରରେ ଏହି ସର୍ତ ଅନୁପାଳନ ହୋଇନାହିଁ। ସମ୍ବଲପୁର, ରାଉରକେଲା ଓ ଚକ୍ରଧରପୁର ମଧ୍ୟରେ ଖୁବ୍ କମ୍ ଦୂରତା କଥା ଦର୍ଶାଇଥିଲା ରେଳ ମନ୍ତ୍ରଣାଳୟ। ଅଥଚ ସିକନ୍ଦରାବାଦ-ହାଇଦ୍ରାବାଦ ଡିଭିଜନ ଭିତରେ ୧୦ କିଲୋମିଟର ଦୂରତାରେ ଡିଭିଜନ୍ ଘୋଷଣା ହୋଇଛି। ବାରାଣାସୀ-ମୁଗଲସରାଇ (୧୭ କିଲୋମିଟର) ହାଵଡା-ସିଆଳଦା (୨୦ କିଲୋମିଟର) ଏବଂ ଗୁଣ୍ଟୁରୁ-ହାଇଦ୍ରାବାଦ (୩୪ କିଲୋମିଟର) ଦୂରତା ମଧ୍ୟରେ ଡିଭିଜନ୍ କରାଯାଇଛି। ଏଭଳି ପରିସ୍ଥିତିରେ ରାଉରକେଲା ଡିଭିଜନ ପାଇଁ ଅସୁବିଧା କେଉଁଠି ? ଏମିତିରେ ବି ସମ୍ବଲପୁରରୁ ରାଉରକେଲା ମଧ୍ୟରେ ଦୂରତା ୧୫୦ କିଲୋମିଟର ହେବ। ଚକ୍ରଧରପୁର ଦୂରତା ୧୦୦ କିଲୋମିଟରରୁ ଅଧିକ ଏବଂ ରାଞ୍ଚି ୧୫୦ କିଲୋମିଟରରୁ ଅଧିକ ଦୂରରେ ରହିଛି।

India Rail Info

ଗୋଟିଏ ବେସରକାରୀ ହିସାବ ଅନୁସାରେ ଚକ୍ରଧରପୁର ଡିଭିଜନର ରୋଜଗାର ଯଦି ବାର୍ଷିକ ୧୨ହଜାର କୋଟି ଟଙ୍କା ହୁଏ, ତେବେ ଏହା ଅଧୀନରେ ଆସୁଥିବା ଜିଲ୍ଲାର ଅବଦାନ ଏହାର ଅଧାରୁ ଅଧିକ। ଅର୍ଥାତ୍ ପାଖାପାଖି ୭ ହଜାର କୋଟି ହେବ। ଏହି ଡିଭିଜନ୍‌ ରେଳପଥର ସିଂହଭାଗ (୪୦୦ କିଲୋମିଟର ରେଳପଥରେ ଗୋଟିଏ ଡିଭିଜନ୍ ହୋଇପାରିବ) ଓଡ଼ିଶା ଛାତିରେ ଯାଇଛି। ଆଗକୁ ପ୍ରସ୍ତାବିତ ରେଳପଥ ମିଶିଲେ, ଏହା ଗୋଟିଏ ବଡ଼ ଡିଭିଜନ ହୋଇପାରିବ। କୋଇଲାଠାରୁ ଆରମ୍ଭକରି ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ୍ ଚାଲାଣ ଆଜି ଦୃଷ୍ଟିରୁ ଏହି ଅଞ୍ଚଳର ଗୁରୁତ୍ବ ମଧ୍ୟ ସ୍ବତନ୍ତ୍ର। ଆଉ କେତେ ଅଧିକ ଯୁକ୍ତି ରହିଲେ ଓଡ଼ିଶା ସରକାରଙ୍କ ରାଉରକେଲା ଡିଭିଜନ୍ ଦାବିକୁ କେନ୍ଦ୍ର ଗୁରୁତ୍ବ ଦେବ?

ଦ୍ବିତୀୟ ଯୁକ୍ତିଟି ବି ଅତ୍ୟନ୍ତ ପ୍ରାସଙ୍ଗିକ। ମୁଖ୍ୟମନ୍ତ୍ରୀ ଯାଜପୁରରେ ଡିଭିଜନ୍ ଲାଗି କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି। ଏହାପୂର୍ବରୁ କିନ୍ତୁ ବାଲେଶ୍ବରର ରେଳ ଡିଭିଜନ୍ ଲାଗି ଗତ ୩୦ବର୍ଷ ମଧ୍ୟରେ ଅନେକ ଥର ଦାବି ଉଠିଛି। ନିକଟରେ ବାଲେଶ୍ବରର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଚିଠି ଲେଖି କେନ୍ଦ୍ରମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ଯେ ବାଲେଶ୍ବର ହିଁ ରେଳବାଇ ଡିଭିଜନ୍ ହେଉ। କେନ୍ଦ୍ରମନ୍ତ୍ରୀ ବାଲେଶ୍ବର ଗସ୍ତ କରି ରେଳଭିତ୍ତିଭୂମି ବୃଦ୍ଧି ସଂକ୍ରାନ୍ତରେ ସୂଚନା ଦେଇଥିଲେ ହେଁ, ଓଡ଼ିଶାର ଏହି ଦାବି ଉପରେ କୌଣସି ମତମନ୍ତବ୍ୟ ରଖିନାହାନ୍ତି।

ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାକୁ ନେଇ ଥିଲା ଦକ୍ଷିଣ ପୂର୍ବ ରେଳପଥ। ସମ୍ବଲପୁର, ଖୋର୍ଦ୍ଧା, ​ଵାଲଟିୟର ଡିଭିଜନ ପୂର୍ବତଟ ରେଳପଥ ଅଧୀନକୁ ଗଲାପରେ ଯେଉଁ ଅନ୍ୟ ଐତିହାସିକ ତ୍ରୁଟି ସାମ୍ନାକୁ ଆସିଲା; ତାହା ହେଉଛି ଦକ୍ଷିଣ ପୂର୍ବ ରେଳପଥର ଖଡଗପୁର ଡିଭିଜନ ଅଧୀନରେ ରହିଗଲା ଓଡ଼ିଶାର ମୟୂରଭଂଜ-ବାଲେଶ୍ବର-ଭଦ୍ରକ। ମାତ୍ର ୪ ପ୍ରତିଶତ ରେଳପଥକୁ ଖଡ଼ଗପୁର ଅଧୀନରେ ରଖାଯିବା ପଛରେ କି ଯୁକ୍ତି ରହିଛି, ତାହା ବୁଝାପଡ଼ୁନାହିଁ। କିନ୍ତୁ ଏକଥା ସତ ଯେ ଏହି ଅଞ୍ଚଳରୁ ପାଖାପାଖି ୧୪ ପ୍ରତିଶତ ରାଜସ୍ବ ଖଡଗପୁରକୁ ଯାଉଛି।

India Rail Info

ସଂପ୍ରତି ଓଡ଼ିଶା ଉପକୂଳରେ ଏକାଧିକ ବନ୍ଦର ସ୍ଥାପନ ହେବାକୁ ଯାଉଛି, ଓଡ଼ିଶାକୁ ପୁଞ୍ଜିନିବେଶ ଲାଗି ବଡ ବଡ ଶିଳ୍ପ ସଂସ୍ଥା ନଜର ପକାଇଛନ୍ତି। ଏଦୃଷ୍ଟିରୁ ଉତ୍ତର ଓଡ଼ିଶାର ଏହି ଅଞ୍ଚଳର ଗୁରୁତ୍ବ ଅବଶ୍ୟ ବଢ଼ିବ। ବାଲେଶ୍ବରରେ ରେଳ ଡିଭିଜନ ହେଲେ ଖଣିଜ ସଂପଦରେ ପରିପୂର୍ଣ୍ଣ ମୟୂରଭଂଜ ବିକାଶରେ ବି ସହାୟକ ହେବ ଏବଂ ଧାମରା ଓ ସୁବର୍ଣ୍ଣରେଖା ବନ୍ଦର ପାଇଁ ମଧ୍ୟ।

ବିଶେଷଜ୍ଞମାନଙ୍କର ମତ ହେଉଛି ଯେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପଛରେ ପକାଇ ରାଜ୍ୟରେ ରେଳ ଭିତ୍ତିଭୂମି ବୃଦ୍ଧି ପାଇ ସାମ୍ନାକୁ ଆସିଛନ୍ତି। ୫ହଜାର କୋଟିରୁ ଅଧିକ ଟଙ୍କା ନିବେଶ ରାସ୍ତା ଖୋଲାଯାଇଛି। ହରିଦାସପୁର-ପାରାଦୀପ, ଅନୁଗୁଳ-ସୁକିନ୍ଦା, ଖୋର୍ଧାରୋଡ-ବଲାଙ୍ଗୀର, ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ଭଳି ରେଳପଥର ବିକାଶରେ ସରକାର ଭାଗୀଦାର। ଏଭଳି ପରିସ୍ଥିତିରେ ଯଦି ଓଡ଼ିଶାରେ ବିଛାଯାଇଥିବା ରେଳପଥ ପୂର୍ବତଟ ରେଳପଥ ଅଧୀନରେ ରହିବ, ତେବେ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିବ ଓ ରେଳ କ୍ଷେତ୍ରରେ ରାଜ୍ୟ ସମୃଦ୍ଧ ହେବ। ଅଶ୍ବିନୀ ଯଦି ରାଜ୍ୟ ପାଇଁ ଏତିକି ନ କରିବେ, ତେବେ ଆଉ କେଉଁ ସ୍ବାର୍ଥ ସାଧନରେ ତାଙ୍କର ଭୂମିକା ରହିବ? ନବୀନଙ୍କ ଦାବିକୁ ଯଦି ସେ ଗୁରୁତ୍ବ ନ ଦେବେ, ତେବେ ବିଜେଡି ଆଉ କେଉଁ ସ୍ବାର୍ଥରେ ତାଙ୍କୁ ସହଯୋଗ କରିଛି, ଏସବୁ ପ୍ରଶ୍ନ ଉଭୟଙ୍କୁ ସାମ୍ନା କରିବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର