କେବେ ବଦଳିବ ବ୍ରିଟିସ୍ ଅମଳର ନିୟମ?

ବ୍ରିଟିଶ ଅମଳର ଜେଲ୍ ମାନୁଆଲରେ ଏବେ ବି ପରିଚାଳିତ ହେଉଛି ରାଜ୍ୟର ଜେଲ୍

୫ଟା ପୂର୍ବରୁ ଜେଲ୍‌ରେ ଦିଆଯାଉଛି ରାତ୍ର ଭୋଜନ
ରୋଗରେ ପୀଡିତ କଏଦୀ ସମସ୍ୟାରେ
ମାନବାଧିକାର କମିସନଙ୍କ ନିକଟରେ ମାମଲା

କଟକ : ବ୍ରିଟିଶ ଅମଳର ଜେଲ୍ ମାନୁଆଲରେ ଏବେ ବି ପରିଚାଳିତ ହେଉଛି ରାଜ୍ୟର ଜେଲ୍। ସେତେବେଳର ବ୍ୟବସ୍ଥା ଅନୁଯାୟୀ ଏବେ ବି ଜେଲରେ କଏଦୀଙ୍କୁ ଅପରାହ୍ନ ୫ଟା ପୂର୍ବରୁ ଦିଆଯାଉଛି ରାତ୍ର ଭୋଜନ। ଏବଂ ପରଦିନ ସକାଳ ୭ଟା ପରେ ଦିଆଯାଉଛି ଜଳଖିଆ। ଏଭଳି ସ୍ଥିତିରେ ବିଭିନ୍ନ ଜେଲରେ ଥିବା ୧୯ ହଜାର କଏଦୀଙ୍କର ଦୁଇଟି ଖାଦ୍ୟ ମଧ୍ୟରେ ବ୍ୟବଧାନ ରହୁଛି ୧୫ ଘଣ୍ଟା। ରାତିରେ ଖାଇବା ପରେ ବିଭିନ୍ନ ଔଷଧ ଖାଇବାକୁ ଥିବା ଗୁରୁତର ରୋଗରେ ପୀଡିତ କଏଦୀ ଏଭଳି ସ୍ଥିତିରେ ଗୁରୁତର ସମସ୍ୟାରେ ପଡୁଛନ୍ତି। ଏବେ ଏହି ଘଟଣା ରାଜ୍ୟ ମାନବାଧିକାର କମିସନର (ଏଚଆରସି)ଙ୍କ ନିକଟରେ ପହଞ୍ଚି ଥିବା ବେଳେ ଏହି ନିୟମରେ କଏଦୀଙ୍କ ମାନବାଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଜେଲ୍ ମାନୁଆଲ୍ ଅନୁଯାୟୀ, ସୂର୍ଯୋଦୟ ହେଲେ ଜେଲର ବିଚାରାଧୀନ କଏଦୀଙ୍କଠାରୁ ଆରମ୍ଭ କରି ଦୋଷୀ ସାବ୍ୟସ୍ତ କଏଦୀଙ୍କ ପର୍ଯ୍ୟନ୍ତ ସମସ୍ତେ ସେଲ୍ ବା ଓ୍ବାର୍ଡ ବାହାରକୁ ବାହାରି ନିତ୍ୟକର୍ମ କରିଥାନ୍ତି। ସକାଳ ପ୍ରାୟ ୭ଟା ବେଳେ ସେମାନଙ୍କୁ ସକାଳ ଜଳଖିଆ ଦିଆଯାଏ। ଦିନ ପ୍ରାୟ ୧୧ଟା ବେଳକୁ ମଧ୍ୟାହ୍ନ ଭୋଜନ ଏବଂ ଅପରାହ୍ନ ପ୍ରାୟ ୪ଟା ବେଳକୁ ରାତ୍ରୀ ଭୋଜନ ଦିଆଯାଏ। ସୂର୍ଯ୍ୟ ଅସ୍ତ ହେଲେ ପୁଣି ସମସ୍ତ କଏଦୀ ନିଜ ନିଜ ଓ୍ବାର୍ଡ ବା ସେଲ୍ ଭିତରକୁ ଫେରିଯାନ୍ତି। ପରଦିନ ସକାଳେ ସୂର୍ଯ୍ୟଦୋୟ ହେଲେ ସେଲରୁ କଏଦୀଙ୍କୁ ପୁଣି ବାହାରକୁ ଛଡ଼ା ଯାଇଥାଏ। ଏ ପ୍ରକାର ଖାଦ୍ୟ ବ୍ୟବସ୍ଥାର ଧାର୍ଯ୍ୟ ସମୟ ବ୍ରିଟିସ୍ ଅମଳରୁ ଚାଲି ଆସିଛି। ଜେଲ୍ ମାନୁଆଲରେ ପରିବର୍ତ୍ତନ ହୋଇନଥିବାରୁ ଜଣେ କଏଦୀ ରାତ୍ରୀ ଭୋଜନ ଅପରାହ୍ନରେ ହିଁ କରିବାକୁ ବାଧ୍ୟ। ସେଲ୍ ଭିତରକୁ ଖାଦ୍ୟ ନେବା ପାଇଁ କାହାକୁ ଅନୁମତି ନାହିଁ। ଜେଲରେ ମଧୁମେହ, କ୍ୟାନସର, ରକ୍ତଚାପ, ଥାଇରଏଡ, ହୃଦଘାତ, କିଡନୀ, ମାନସିକ ରୋଗ ଭଳି ରୋଗରେ ୧୦ ହଜାରରୁ ଅଧିକ କଏଦୀ ପୀଡ଼ିତ ଥିବା କୁହାଯାଉଛି। ଏମାନେ ରାତ୍ରୀ ଭୋଜନ ପରେ ଯେଉଁ ଔଷଧ ଖାଇବାକୁ ଡାକ୍ତର କହୁଛନ୍ତି, ସମ୍ପୃକ୍ତ କଏଦୀଙ୍କୁ ଔଷଧ ଖାଇବାରେ ସମସ୍ୟା ହେଉଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରାତ୍ରୀ ସମୟରେ ଔଷଧ ଖାଇବାରୁ ବଞ୍ଚିତ ହେଉଛନ୍ତି କଏଦୀ। ତେଣୁ ରାତି ୯ଟାରୁ ୧୦ଟା ଭିତରେ ଖାଦ୍ୟ ପ୍ୟାକେଟ୍ କଏଦୀଙ୍କୁ ଯୋଗାଇ ଦେବା ପାଇଁ ଅନୁରୋଧ କରି ରାଜ୍ୟ ମାନବାଧିକାର କମିସନରଙ୍କ ନିକଟରେ ମାମଲା ପହଞ୍ଚିଛି।

ନନ୍ ଅଫିସିଆଲ୍ ଭିଜିଟରସ୍ କମିଟିର ସଦସ୍ୟ ପ୍ରଦୀପ ପଟ୍ଟନାୟକ ଏଭଳି ସଂଗିନ ସ୍ଥିତି ସମ୍ପର୍କରେ ଲିଖିତ ଭାବେ ରାଜ୍ୟ ମାନବାଧିକାର କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ସହିତ ଜେଲ୍ ଏଡିଜିଙ୍କୁ ମଧ୍ୟ ଅବଗତ କରିଛନ୍ତି। ସୂର୍ଯ୍ୟାସ୍ତ ପୂର୍ବରୁ ଯେହେତୁ ରାତ୍ରୀ ଭୋଜନ ଶେଷ କରି ବାରାକ୍ ଭିତରକୁ ଯିବାର ନିୟମ ରହିଛି, ତେଣୁ ରାତି ୯ଟାରୁ ୧୦ଟା ଭିତରେ ଆଉ ଏକ ଖାଦ୍ୟ ପୁଡ଼ିଆ କଏଦୀଙ୍କୁ ଯୋଗାଇଲେ ସେମାନେ ଔଷଧ ଠିକ୍ ଭାବେ ଖାଇ ପାରିବେ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର