କଣିହାଁ : ବ୍ରାହ୍ମଣୀ ନଦୀ ଉପରେ ସେତୁ ହେବ। ଫାଇଦା ପାଇବେ ୪ ଜିଲ୍ଲାର ଲୋକେ। ଏହି ଆଶା ନେଇ ୨୦୧୩ରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ଏହାପରେ ଅଂଚଳବାସୀଙ୍କ ସମେତ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକେ ଉତ୍ସାହିତ ହୋଇପଡିଥିଲେ। ସେମାନଙ୍କ ଦୁଃଖ ଯିବ ବୋଲି ଭାବିଥିଲେ। କିନ୍ତୁ ଶିଳାନ୍ୟାସକୁ ୮ ବର୍ଷ ବିତିଥିଲେ ମଧ୍ୟ ଏହି ସ୍ବପ୍ନର ପ୍ରକଳ୍ପ ଶେଷ ହୋଇପାରୁନି। ଏବେ ପର୍ଯ୍ୟନ୍ତ ଫାଉଣ୍ଡେଶସନ ଓ ପିଲର କାମ ଚାଲିଛି। ପୁଣି ଏହାର ନିର୍ମାଣ କାର୍ଯ୍ୟ ଏତେ ମନ୍ଥର ଯେ, ଆଉ କେତେବର୍ଷ ଗଲେ ଏହା ଶେଷ ହେବ ଓ ସେମାନଙ୍କ ଦୁଃଖ ଘୁଞ୍ଚିବ ବୋଲି ଅଞ୍ଚଳବାସୀ ସନ୍ଦେହରେ ପଡିଛନ୍ତି।
ରେଙ୍ଗାଳିଠାରେ ବ୍ରାହ୍ଣଣୀ ନଦୀରେ ବହୁମୁଖୀ ଜଳ ପ୍ରକଳ୍ପ ପାଇଁ ୧୯୭୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇ ଡ୍ୟାମ୍ ନିର୍ମାଣ କରାଯାଇଛି। ଏଠାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ସହ ଜଳସେଚନ, ପାନୀୟଜଳ, ମାଛଚାଷ ବ୍ୟବସ୍ଥା ହୋଇଛି। କିନ୍ତୁ ଡ୍ୟାମ୍ର ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ଭାରୀଯାନ ଚଳାଚଳ ନିଷେଧ କରାଯାଇଛି। ଫଳରେ ନଦୀର ଉଭୟ ପାର୍ଶ୍ବରେ ଥିବା ଲୋକମାନଙ୍କର ଗମନାଗମନ ସମସ୍ୟା ଦୂର ହୋଇପାରିଲାନାହିଁ। ତେଣୁ ଡ୍ୟାମ୍ର ତଳେ କିଛି ଦୂରରେ ବ୍ରାହ୍ଣଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ସରକାର ଯୋଜନା କରିଥିଲେ। ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ଓ ପାଳଲହଡାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏହି ସେତୁ ନିର୍ମାଣହେଲେ ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ଭାରୀଯାନ ଚଳାଚଳ କରିବ ଓ ଲୋକେ ସୁବିଧାରେ ଯାଆସ କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ସରକାରୀ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁଁ ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଆଜି ପର୍ଯ୍ୟନ୍ତ ଏଠାରେ କେବଳ ଫାଉଣ୍ଡେଶସନ କାମ ଶେଷ ହୋଇଛି। କିଛି ପିଲର କାମ ମଧ୍ୟ ଚାଲିଛି। ପ୍ରକଳ୍ପ ମାଟିରୁ ଉଠି ପାରି ନ ଥିବାରୁ ଏହା କେବେ ଶେଷ ହେବ, ତାକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ରହିଛି।
ସୂଚନା ଅନୁସାରେ, ଏହି ସେତୁ ନିର୍ମାଣ ପାଇଁ ପ୍ରଥମେ ଜଣେ ଠିକାଦାରଙ୍କୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ କୌଣସି କାରରରୁ ସେତୁର ଡିଜାଇନରେ ପରିବର୍ତ୍ତନ କରାଯାଇଥିଲା। ତେଣୁ ଆଉଥରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଛତିଶଗଡ଼ର ଜଣେ ଠିକାଦାର ଏହି ସେତୁର ନିର୍ମାଣ ଦାୟିତ୍ବ ପାଇଛନ୍ତି। କିନ୍ତୁ ସେ ବହୁ ମନ୍ଥର ଗତିରେ କାମ କରୁଥିବା ଅଭିଯୋଗ ହୋଇଛି। ଏପଟେ ବିଦ୍ୟୁତ ଉତ୍ପାଦନ ପାଇଁ ନଦୀରେ ପାଣି ଛଡା ଯାଉଥିବାରୁ ନଦୀ ମଝିରେ ନିର୍ମାଣ କାମ କରିବା ଅସମ୍ଭବ ହୋଇ ପଡୁଛି। ଏଥିପାଇଁ ମଧ୍ୟ ନିର୍ମାଣ କାମ ପ୍ରଭାବିତ ହେଉଛି।
ଏ ସମ୍ପର୍କରେ, ଅନୁଗୁଳ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ନାୟକ କହିଛନ୍ତି ଯେ, କାମ ବିଳମ୍ବ ହୋଇଥିଲେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହା ଶେଷ ହେବ। ଫାଉଣ୍ଡେଶନ ଓ ପିଲର କାମ ୭୦ ପ୍ରତିଶତ ସରିଗଲାଣି। ଶକ୍ତି ଉତ୍ପାଦନ ପାଇଁ ପାଣି ଛଡା ଯାଉଥିବାରୁ କାମରେ ବାଧା ହେଉଛି। ଦିନରେ ପାଣି ନ ଛାଡ଼ି ରାତିରେ ଛାଡିବାକୁ ବିଭାଗକୁ ଚିଠି ଲେଖାଯାଇଛି। ଏହା ପରେ ନିର୍ମାଣ କାମ ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି।