କେବେ ସ୍ବୟଂସମ୍ପୂର୍ଣ୍ଣ ହେବ ଶିଶୁଭବନ?

୨୧ଟି ଆଇସିୟୁ ଭରସାରେ ସାରା ରାଜ୍ୟର ଶିଶୁରୋଗୀ, ୪୮ଏସ୍‌ଏନ୍‌ସିୟୁ; ଗୋଟିକରେ ରହୁଛନ୍ତି ୨/୩ଜଣ

କଟକ : ସାରା ରାଜ୍ୟର ଶିଶୁରୋଗୀଙ୍କ ଚିକିତ୍ସାର ଶ୍ରେଷ୍ଠ ରେଫେରାଲ୍‌ ପ୍ରତିଷ୍ଠାନ ହେଉଛି କଟକର ଶିଶୁଭବନ। ଅନ୍ୟ ସବୁଠାରୁ ନିରାଶ ହେଲେ ଶିଶୁରୋଗୀମାନଙ୍କୁ ଏଠାକୁ ପଠାଯାଇଥାଏ। ହେଲେ, ଏଯାଏ ଶିଶୁଭବନ ନିଜେ ସ୍ବୟଂସମ୍ପୂର୍ଣ୍ଣ ହୋଇ ପାରୁ ନଥିବା ବେଳେ ସାରା ରାଜ୍ୟର ଶିଶୁଙ୍କୁ କେମିତି ସେବା ଯୋଗାଇବ, ତାକୁ ନେଇ ପ୍ରଶ୍ନ ଉଠିଲାଣି। ଶିଶୁଭବନରେ ଥିବା ମାତ୍ର ୨୧ଟି ଆଇସିୟୁ ଶଯ୍ୟା ଭରସାରେ ସାରା ରାଜ୍ୟର ଶିଶୁ ରୋଗୀ। ରକ୍ତଭଣ୍ଡାର, ରକ୍ତ ସଂରକ୍ଷଣ ୟୁନିଟ୍ ବି ନାହିଁ। ନବଜାତକ ଶିଶୁଙ୍କ ପାଇଁ ମାତ୍ର ୪୮ଟି ଏସ୍‌ଏନ୍‌ସିୟୁ ଥିବାବେଳେ ଗୋଟିଏଲେଖାଏ ଏସ୍‌ଏନ୍‌ସିୟୁରେ ୨/୩ଜଣ ଶିଶୁଙ୍କୁ ରଖାଯାଉଛି। ଆଜି ପର୍ଯ୍ୟନ୍ତ ନ୍ୟୁରୋଲୋଜି, କାର୍ଡିଓଲୋଜି, ଅର୍ଥୋପେଡିକ୍‌ ଓ ମାନସିକ ରୋଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଖୋଲି ପାରିଲାନି। ଏଥିପାଇଁ କଟକ ବଡ଼ ଡାକ୍ତରଖାନା ଉପରେ ଶିଶୁଭବନର ରୋଗୀ ନିର୍ଭରଶୀଳ। ଏପରିକି ଏସ୍‌ସିବି ନେଫ୍ରୋଲୋଜି ବିଭାଗ‌ ପ୍ରତି ଶନିବାର ଶିଶୁଭବନରେ ଓପିଡି କରୁଛି। ପ୍ରତିଦିନ ଆଇସିୟୁ ଅପେକ୍ଷାରେ ଅନେକ ରୋଗୀ ଘରୋଇ ହସ୍ପିଟାଲକୁ ଯାଉଛନ୍ତି। ସେପଟେ ଘରୋଇ ହସ୍ପିଟାଲ୍‌କୁ ନେବା ପାଇଁ ଶିଶୁଭବନରେ ଜଗି ବସିଛନ୍ତି ଦଲାଲ୍‌। ଶିଶୁଭବନ ସମସ୍ୟାର ଭରପୁର ଲାଭ ଉଠାଉଛନ୍ତି ଏହି ଦଲାଲ୍‌ମାନେ।

ସୂଚନା ଅନୁସାରେ, କଟକ ଶିଶୁଭବନରେ ରହିଛି ୪୧୬ଟି ସାଧାରଣ ବେଡ୍‌, ୧୨ଟି ପେଡିଆଟ୍ରିକ୍‌ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌, ୯ଟି ନିଓନାଟାଲ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌, ୪୮ଟି ନବଜାତ ଶିଶୁଙ୍କ ପାଇଁ ଏନ୍‌ଏନ୍‌ସିୟୁ ରହିଛି। ହେଲେ, ଏ ସବୁ ଶିଶଉରୋଗୀଙ୍କ ପାଇଁ ଯଥେଷ୍ଟ ହେଉନି। ପ୍ରତିଦିନ ୬ଶହରୁ ଅଧିକ ଶିଶୁରୋଗୀ ଶିଶୁଭବନ ଓପିଡିକୁ ଆସୁଥିବାବେଳେ ପାଖାପାଖି ୭୦ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ୨୧ଟି ଆଇସିୟୁ ବେଡ୍‌ ଥିବାରୁ ପ୍ରତିଦିନ ଠେଲାପେଲା ଲାଗି ରହୁଛି। କେହି ଜଣେ ରୋଗୀ ଡିସ୍‌ଚାର୍ଜ ହେଲେ ଅବା ଆରପାରିକୁ ଗଲେ ବି ଅନ୍ୟଜଣଙ୍କୁ ଭର୍ତ୍ତି ହେବାର ସୁଯୋଗ ମିଳୁଛି। ନଚେତ୍‌ ସେ ପର୍ଯ୍ୟନ୍ତ ଗୁରୁତର ଶିଶୁ ରୋଗୀ ସାଧାରଣ ଵାର୍ଡରେ ପଡ଼ି ରହୁଛନ୍ତି କିମ୍ବା ଘରୋଇ ହସପିଟାଲ୍‌ରେ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଛନ୍ତି। ଅନେକ କ୍ଷେତ୍ରରେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। କେବଳ ସେତିକି ନୁହେଁ, ରକ୍ତଭଣ୍ଡାର ନଥିବାରୁ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଅନେକ ସମ୍ମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋଗୀ ସଂପର୍କୀୟ। ଏଠାରେ କେବଳ ୫୦ଏମ୍‌ଏଲ୍‌ ପ୍ୟାକେଟ ରକ୍ତ କିଛି ଗଚ୍ଛିତ ରହୁଥିବାରୁ ଅଳ୍ପ କେତେଜଣ ପାଇ ପାରୁଛନ୍ତି। ଯେଉଁ ଶିଶୁରୋଗୀଙ୍କ ଓଜନ ୧୫କେଜିରୁ ଅଧିକ ସେମାନଙ୍କ ପାଇଁ ୩ଶହ ଏମ୍‌ଏଲ୍‌ ରକ୍ତ ପ୍ୟାକେଟ୍‌ ଦରକାର। ସେହିଭଳି ଥାଲୋସେମିଆ, ସିକିଲ୍‌ସେମିଆ ରୋଗୀ ଅଧିକ ଆସୁଥିବାରୁ ସେମାନେ ଶିଶୁଭବନରୁ ଅଟୋ ଭଡା କରି ଏସ୍‌ସିବ ଅଥବା ରେଡକ୍ରସ୍‌ ଯାଉଛନ୍ତି ରକ୍ତ ଆଣିବା ପାଇଁ।

ଏପଟେ ନବଜାତକ ଶିଶୁଙ୍କ ପାଇଁ ଥିବା​ ୪୮ଟି ଏସ୍‌ଏନ୍‌ସିୟୁ ଯଥେଷ୍ଟ ହେଉନି। ଫଳରେ ଗୋଟିଏ ଲେଖାଏରେ ୨/୩ଜଣ ନବଜାତକଙ୍କୁ ବାଧ୍ୟ ହୋଇ ରଖାଯାଉଛି। ଏଥିରେ ସଂକ୍ରମଣର ଆଶଙ୍କା ଥିଲେ ବି ଅନ୍ୟ କିଛି ଚାରା ନଥିବାରୁ କର୍ତ୍ତୃପକ୍ଷ ବାଧ୍ୟହୋଇ ଏକାଠି ରଖୁଛନ୍ତି। ଆଇସିୟୁ ବେଡ୍ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହୋଇଥିବା ପେଡିଆଟ୍ରିକ୍ ଆଇସିୟୁ ବ୍ୟବସ୍ଥା ଡାକ୍ତର ଓ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି। ଶିଶୁଭବନର ବେଡ୍‌ ସଂଖ୍ୟା ୬ଶହକୁ ବୃଦ୍ଧି ପାଇଁ ଯୋଜନା ରହିଥିଲେ ବି ଆଇସିୟୁ ବେଡ୍‌ ସଂଖ୍ୟା ବୃଦ୍ଧି କରା ନଗଲେ ସ୍ଥିତି ଆହୁରି ବିଗିଡିଯିବ। କୋଭିଡ୍ ସମୟରେ ଯେଉଁ ୨୦ଟି ଆଇସିୟୁ ରହିଥିଲା ସେଗୁଡ଼ିକୁ ବ୍ୟବହାର କରିଲେ ବି ଅଭାବ ଦୂର ହେଉନି। ରାଜ୍ୟ ସରକାର ବିଶ୍ବସ୍ତରୀୟ ଏସ୍‌ସିବି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଶିଶୁଭବନକୁ ସ୍ବୟଂସମ୍ପୂର୍ଣ୍ଣ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର