ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଚଳିତ ଖରିଫ୍‌ ଋତୁର ଧାନକିଣାକୁ ଏକ ମାସ ପୂରିଛି। ଅଦ୍ୟାବଧି ଜିଲ୍ଲାର ଅର୍ଦ୍ଧାଧିକ ଚାଷୀ କଟ୍‌ନି ଛଟ୍‌ନିରେ ଧାନ ବିକ୍ରି କରିସା‌ରିଲେଣି। ଏବର୍ଷ ବି ଖରିଫ୍‌ ଧାନ ସଂଗ୍ରହ ଶେଷ ହୋଇଯିବ ପଛେ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ ହୋଇପାରିଲାନି। ସମବାୟ ବିଭାଗର ତଥ୍ୟ ଅନୁସା‌ରେ, ଏବେ ଜିଲ୍ଲାରେ ମାତ୍ର ୧୬ଟି ମଣ୍ଡିର ନିଜସ୍ବ ପଟ୍ଟା ରହିଥିବା ବେଳେ ଅନ୍ୟ ମଣ୍ଡିଗୁଡ଼ିକର ଅଦ୍ୟାବଧି ପଟ୍ଟା ମିଳିନି। ସେପଟେ, ଯେଉଁସବୁ ମଣ୍ଡିର ନିଜସ୍ବ ଜମି ପଟ୍ଟା ମିଳିସାରିଛି ସେଗୁଡ଼ିକର ବି ଆନୁଷଙ୍ଗିକ ବିକାଶ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ସମବାୟ ସମିତି ଉପନିବନ୍ଧକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଝାରସୁଗୁଡ଼ା ଜିଲ୍ଲାରେ ଥିବା ୩୨ଟି ସମବାୟ ସମିତି ମଧ୍ୟରୁ ୫୦ ପ୍ରତିଶତ ଅର୍ଥାତ ୧୬ଟିର ନିଜସ୍ବ ଜମି ପଟ୍ଟା ରହିଛି। ଏହା ମଧ୍ୟରେ କିର୍ମିରା ବ୍ଲକ୍‌ର ୩ଟି, ଲଇକେରା ବ୍ଲକ୍‌ର ୪ଟି, କୋଲାବିରା ବ୍ଲକ୍‌ର ୪ଟି ଓ ଲଖନପୁର ବ୍ଲକ୍‌ର ୪ଟି ସମବାୟ ସମିତି ରହିଛି। ଚଳିତବର୍ଷ ଜିଲ୍ଲାରେ ଆଉ ୧୨ଟି ନୂଆ ମଣ୍ଡି ଖୋଲିବାର ପ୍ରସ୍ତାବ ରହିଛି। ଯେଉଁଥିରେ କିର୍ମିରା ବ୍ଳକ୍‌ର ୨ଟି, ଲଇକେରା ବ୍ଲକ୍‌ର ୩ଟି, କୋଲାବିରା‌ ବ୍ଲକ୍‌ର ୩ଟି, ଝାରସୁଗୁଡ଼ା ବ୍ଲକ୍‌ର ଗୋଟିଏ ଓ ଲଖନପୁର ବ୍ଲକ୍‌ର ଗୋଟିଏ ମଣ୍ଡି ରହିଛି। ତେବେ ପ୍ରସ୍ତାବିତ ଏହି ୧୨ଟି ମଣ୍ଡିର ନିଜସ୍ବ ଜମି ନଥିବା ବେଳେ ଧାନକିଣା ପ୍ରକ୍ରିୟାରେ ସାମିଲ୍‌ ହେଉଥିବା ପ୍ରାୟତଃ ସ୍ବୟଂ ସହାୟକ ଗୋଷ୍ଠୀଙ୍କର ବି ନିଜସ୍ବ ଜମି ନାହିଁ। 

Advertisment

ଜମି ସମସ୍ୟା ଲାଗିରହିଥିବାରୁ ଏହିସବୁ ମଣ୍ଡିରେ ଆନୁଷଙ୍ଗିକ ବିକାଶ ହୋଇପାରୁନଥିବା ଖୋଦ୍‌ ବିଭାଗ ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି। ଚଳିତବର୍ଷ ଧାନକିଣା ପ୍ରକ୍ରିୟାରେ ସାମିଲ୍‌ ହୋଇଥିବା ୩୨ଟି ସମବାୟ ସମିତି ମଧ୍ୟରୁ କେବଳ କିର୍ମିରା ବ୍ଲକ୍‌ର ଝାରମୁଣ୍ଡା ଓ ଲଖନପୁର ବ୍ଲକ୍‌ ରେଙ୍ଗାଲି ମାର୍କେଟ୍‌ ୟାର୍ଡରେ ଚାଷୀଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି। ସରବାହାଲ ଭଳି କେତେକ ସ୍ଥାନରେ ମଣ୍ଡି ନିକଟରେ ସମବାୟ ସମିତିର କାର୍ଯ୍ୟାଳୟ ରହିଥିଲେ ହେଁ ସେଠାକାର ଶୌଚାଳୟ ଚାଷୀଙ୍କ କାମରେ ଲାଗିପାରୁନି। କେବଳ ଏହି ୨ ମଣ୍ଡିରେ ସ୍ଥାୟୀ ପାନୀୟ ଜଳର ବ୍ୟବସ୍ଥା ରହିଥିବା ବେଳେ ଧାନକିଣା ସମୟରେ କାଁଭାଁ ସମୟରେ ଅସ୍ଥାୟୀ ବ୍ୟବସ୍ଥା କରାଯାଉଥିବା ଦୃଶ୍ୟ ସାମନାକୁ ଆସୁଛି। ରେଙ୍ଗାଲବେଡ଼ା ଓ ରେଙ୍ଗାଲି ମଣ୍ଡିକୁ ଛାଡ଼ି ଅନ୍ୟ ମଣ୍ଡିଗୁଡ଼ିକରେ ସ୍ଥାୟୀ ବିଦ୍ୟୁତ୍‌ ଯୋଗାଣର ବ୍ୟବସ୍ଥା ନାହିଁ। ଚମରାଡିହି, ରେମଣ୍ଡା ଭଳି ୫ଟି ମଣ୍ଡିରେ ପିଣ୍ଡି ଓ ଛାଉଣି ବ୍ୟବସ୍ଥା ରହିଥିବା ବେଳେ ଅନ୍ୟଗୁଡ଼ିକରେ ଚାଷୀ ଶୀତ କାକରରେ ବାହାରେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ଗତ ନଭେମ୍ବର ୭ ଓ ୮ ତାରିଖରେ ଜିଲ୍ଲାର ୫ଟି ବ୍ଲକ୍‌ର ୨୧ଟି ମଣ୍ଡିର ବିକାଶ ପାଇଁ ଟେଣ୍ଡର ବାହାରିଥିଲା। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ରେ ୧୧ଟି, କୋଲାବିରା ବ୍ଲକ୍‌ରେ ୪ଟି, ଲଇକେରା ବ୍ଲକ୍‌ରେ ୪ଟି, ଝାରସୁଗୁଡ଼ା ଓ କିର୍ମିରା ବ୍ଲକ୍‌ରେ ଗୋଟିଏ ଲେଖାଏଁ ମଣ୍ଡି ରହିଛି। ଯେଉଁଠି ପ୍ରତିଟି ମଣ୍ଡି ନିର୍ମାଣ ପାଇଁ ୭୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି। ଏ ସଂପର୍କିତ ପାଣ୍ଠି ମଧ୍ୟ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ପହଞ୍ଚିସାରିଛି। କିନ୍ତୁ ଏଯାଏ ଗୋଟିଏ ମଣ୍ଡିର ବି ବିକାଶ କାର୍ଯ୍ୟ ଆରମ୍ଭ ହୋଇପାରିନି।