ଭୁବନେଶ୍ବର : ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଜୁ ଜନତା ଦଳ ସରକାର ଭୁଆଁ ବୁଲାଉଛନ୍ତି। ବିଜୁ ଛାତ୍ର ଜନତା ଦଳ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ପାଇଁ କେବେ ମୁହଁ ଖୋଲିନାହିଁ। ୨୩ବର୍ଷର ନବୀନ ସରକାର ସଂପୂର୍ଣ୍ଣ ଛାତ୍ର ସ୍ବାର୍ଥ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ।

Advertisment

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟାସିର କହିଲେ ଯେ ବର୍ଷକୁ ୨ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ନବୀନ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଛାତ୍ର ବିଜେଡି ନବୀନ ସରକାରଙ୍କ ଗୁଣଗାନ କରୁଛି। ବିରୋଧୀ ଦଳଙ୍କ କଣ୍ଠରୋଧ କରିବା ପାଇଁ ବିଗତ ୫ବର୍ଷ ହେଲା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଛି। ନିର୍ବାଚନ କରିବା ପାଇଁ ଛାତ୍ର ବିଜେଡି ଏ ପର୍ଯ୍ୟନ୍ତ ସରକାରଙ୍କ ପାଖରେ କାହିଁକି ଦାବି କରୁନାହିଁ ? ଗୋଟିଏ ପଟେ ନିର୍ବାଚନ ବନ୍ଦ ହୋଇଥିବା ବେଳେ ଅନ୍ୟ ପଟେ ବିଜେଡି ପକ୍ଷରୁ କ୍ୟାମ୍ପସ କମିଟି ଗଠନ କରାଯିବା ଦୁର୍ଭାଗ୍ୟଜନକ। ବାସ୍ତବରେ ଛାତ୍ର ବିଜେଡିର କ୍ୟାମ୍ପସ କମିଟି ଯେଉଁ କାର୍ଯ୍ୟ କରୁଛି ତାହାକୁ ରାଜ୍ୟବାସୀ ଦେଖୁଛନ୍ତି।
କେନ୍ଦ୍ର ସରକାରଙ୍କ ରିପୋର୍ଟ ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ମୁଖା ଖୋଲି ଦେଇଛି। କରୋନା ସମୟରେ ଘରୋଇ ସ୍କୁଲ ଓ କଲେଜର ମାଲିକମାନେ ଅଭିଭାବକମାନଙ୍କଠାରୁ ତଣ୍ଟି ଚିପି ଅର୍ଥ ଆଦାୟ କରୁଥିବା ବେଳେ ଛାତ୍ର ବିଜେଡି ଚୁପ୍ ରହିଥିଲା କାହିଁକି ? ଛାତ୍ର ବିଜେଡିର କାର୍ଯ୍ୟକାରିଣୀରେ ଏସବୁ ପ୍ରସଙ୍ଗ କାହିଁକି ଉଠିଲା ନାହିଁ ? ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଛାତ୍ର ବିଜେଡି ଏ ସଂପର୍କରେ ଆଲୋଚନା କରୁ ବୋଲି ୟାସିର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଲେଖା ବୋଷା ଓ ପ୍ରକାଶ ମିଶ୍ର ଉପସ୍ଥିତ ଥିଲେ।