ରଣପୁର: ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ମଧ୍ୟ ରଣପୁର ବ୍ଲକ୍ର ଅନୁସୂଚିତ ଜାତି ଅଧ୍ୟୁଷିତ ବନ୍ଧମୁଣ୍ତା, ପଟିଆ ଆଦି ଅଞ୍ଚଳରେ ବିକାଶର ଛାଇ ପଡ଼ିନାହିଁ। ପ୍ରତି ନିର୍ବାଚନ ସମୟରେ ନେତାମାନେ ବିକାଶର ପ୍ରତିଶ୍ରୁତି ଓ ସ୍ବପ୍ନ ଦେଖାଉଛନ୍ତି, କିନ୍ତୁ ଏହାପରେ ଭୁଲିଯାଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅନୁସୂଚିତ ଜାତି ଓ ସେମାନଙ୍କ ବସତିର ବିକାଶ ନିମନ୍ତେ ଉଭୟ ରାଜ୍ୟ ଓକେନ୍ଦ୍ର ସରକାର ଏକାଧିକ ଯୋଜନା, ସେମାନଙ୍କ ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ବୃତ୍ତିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ବେ ରଣପୁର ଅଞ୍ଚଳର ଅନୁସୂଚିତ ଜାତି ବହୁଳ ଗାଁଗୁଡ଼ିକର ବିକାଶ ହୋଇପାରୁନାହିଁ। ଏହାର ନିଛକ ଉଦାହରଣ ହେଉଛି ରଣପୁର ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ତା ପଚାଂୟତ।
ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୩୦ କିମି ଦୂର ଜଙ୍ଗଲ ମଧ୍ୟରେ ଅବସ୍ଥିତ ନେଳିପଡ଼ା, ବ୍ରାହ୍ମଣକୁମ୍ଭୀ, ତୁଲୁବି, ବେତୁଲି, ଜିରିପଡ଼ା, ଶଙ୍ଖଯୋଡ଼ି ଆଦି ଗ୍ରାମଗୁଡ଼ିକରେ ଆଲୋକ, ରାସ୍ତା, ପାନୀୟ ଜଳ ଆଦି ମୌଳିକ ଭିତ୍ତିଭୂମିର ସୁବିଧା ନାହିଁ। ସ୍ବାସ୍ଥ୍ୟ ସେବାଠାରୁ ଏମାନେ ବହୁଦୁରରେ। ଠିକଣା ସମୟରେ ସ୍ବାସ୍ଥ୍ୟସେବା ନପାଇ ଗର୍ଭବତୀ ମହିଳା ଓ ଶିଶୁମାନେ ମୃତ୍ୟୂମୁଖରେ ପଡ଼ିଥାନ୍ତି। ପ୍ରସୂତିମାନଙ୍କୁ ମାଗଣାରେ ଡାକ୍ତରଖାନା ଆଣିବା ନିମନ୍ତେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ତରଫରୁ ନିୟୋଜିତ କରାଯାଇଥିବା ଆମ୍ବୁଲାନ୍ସ କେବେ ବି ଏହି ଅଞ୍ଚଳକୁ ଆସିନଥିବା ଗ୍ରାମବାସୀ କହିଛନ୍ତି। ବର୍ଷକର ଅଧିକାଂଶ ସମୟ ବଣୁଆ ହାତୀ ଉପଦ୍ରବ। ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହି ଆଦିବାସୀ ମାନେ ମୁଖ୍ୟତଃ ଜଙ୍ଗଲରୁ କାଠ ବିକି ଓ ଖଲି ସିଲେଇ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପ୍ରଶାସନ ପକ୍ଷରୁ ଅଞ୍ଚଳର ବିକାଶ ପ୍ରତି ଆବଶ୍ୟକ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/21/adgdaggdzvc-2025-10-21-01-55-26.jpg)