ସମ୍ବଲପୁର : କୋଲକାତା ଯିବା ପାଇଁ ସମ୍ବଲପୁରରୁ ହାୱଡ଼ାକୁ ଆଉ ଏକ ଟ୍ରେନ୍ ଚାଲିବା ଖବର ଅଂଚଳବାସୀଙ୍କୁ ବେଶ୍ ଆନନ୍ଦ ଦେଇଥିଲା। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଏହି ‘ପୂଜା ଭେଟି ହୋଇଥିବା ଖବର ଜାଣିବା ପରେ ଲୋକେ ଉତ୍ସାହିତ ବି ହୋଇଥିଲେ। ପୂଜା ସରିଗଲା। କିନ୍ତୁ, ଏହି ଟ୍ରେନ୍ ସେବା ଆରମ୍ଭ ହୋଇପାରି ନାହିଁ।
ସମ୍ବଲପୁରରୁ ଏବେ କୋଲାକାତାକୁ ୩ଟି ଟ୍ରେନ୍ ଚଳାଚଳ କରୁଛି। ସମେଲଶ୍ବରୀ ଏକ୍ସପ୍ରେସ୍ ଏବଂ ଇସ୍ପାତ ଏକ୍ସପ୍ରେସ୍ ଝାରସୁଗୁଡ଼ା ଦେଇ ନିୟମିତ ଚାଲିଛି। ଅପରପକ୍ଷରେ ଅନ୍ୟ ଏକ ଟ୍ରେନ୍ ଶାଲିମାର ଏକ୍ସପ୍ରେସ୍ ମଧ୍ୟ ସପ୍ତାହକୁ ଥରେ ସମ୍ବଲପୁରରୁ ହାୱଡ଼ାକୁ ଚଳାଚଳ କରୁଛି। ସାପ୍ତାହିକ ଶାଲିମାର ଏକ୍ସପ୍ରେସ୍ ସମ୍ବଲପୁରରୁ ଅନୁଗୁଳ ରୁଟ୍ରେ ହାୱାଡ଼ାକୁ ଯାଉଛି। ଏହା ସତ୍ତ୍ବେ ଅନେକ ସମୟରେ ସମ୍ବଲପୁରରୁ ହାୱାଡ଼ା ଯିବା ପାଇଁ ଟିକଟ ମିଳିପାରୁ ନାହିଁ। ଦୁଇ ସପ୍ତାହ ପୂର୍ବରୁ ବି ବୁକିଂ କରିବାକୁ ଚେଷ୍ଟା କଲେ ଲମ୍ବା ୱେଟିଂ ତାଲିକା ରହିଥିବା ଦେଖିବାକୁ ମିଳୁଛି। ବ୍ୟବସାୟିକ କାର୍ଯ୍ୟ, ପର୍ଯ୍ୟଟନ, ଶିକ୍ଷା ଓ ଚିକିତ୍ସା ସେବା ଆଦି ନିମନ୍ତେ ଏହି ରୁଟ୍ରେ ସବୁବେଳେ ରେଳଯାତ୍ରୀଙ୍କ ଭିଡ଼ ଲାଗି ରହୁଛି। ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଏଭଳି ସ୍ଥିତି ରହିଛି। ଚାହିଦା ମୁତାବକ ଟ୍ରେନ୍ ସେବା ଉପଲବ୍ଧ ନଥିବାରୁ ଲୋକେ ବାଧ୍ୟ ହୋଇ ବସ୍ସେବା ଉପରେ ନିର୍ଭରଶୀଳ। ଫଳରେ ଅନୁଗୁଳ, ତାଳଚେର ଆଦି ଜାଗାରୁ ପ୍ରତିଦିନ ଅନେକ ବସ୍ କୋଲ୍କାତାକୁ ଯାଆସ କରୁଛି। ବସ୍ଗୁଡ଼ିକ ଅତ୍ୟନ୍ତ ତୀବ୍ର ଗତିରେ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣାର ଆଶଙ୍କା ରହିଥାଏ।
ଏପଟେ କୋଲକାତା ଯିବା ପାଇଁ ଲୋକଙ୍କୁ ଟ୍ରେନ୍ ତୁଳନାରେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଛି। ଅଧିକ ସମୟ ବି ବରବାଦ ହେଉଛି। ଏସବୁ କାରଣରୁ ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଲୋକେ ବହୁ ଦିନର ଏହି ରୁଟ୍ରେ କୋଲାକାତା ନିମନ୍ତେ ସିଧାସଳଖ ଟ୍ରେନ୍ ଚଳାଚଳ ପାଇଁ ଦାବି କରି ଆସୁଥିଲେ। ଗତ ୨୫ ସେପ୍ଟେମ୍ବରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସ୍ବତନ୍ତ୍ର ରେଳଗାଡ଼ିରେ ଆସି ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ରେଳପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ଅନୁଗୁଳ ରେଳଷ୍ଟେସନରୁ ଆରମ୍ଭ କରି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ରୋଡ୍ ଯାଏ ପ୍ରତ୍ୟେକ ଷ୍ଟେସନ ବୁଲି ଲୋକଙ୍କୁ ଭେଟି ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଖୁବ୍ ଶୀଘ୍ର ସମ୍ବଲପୁରରୁ ଅନୁଗୁଳ, ତାଳଚେର, ଢେଙ୍କାନାଳ ଦେଇ କୋଲକାତାକୁ ଏକ ଟ୍ରେନ୍ ଗଡ଼ିବ ବୋଲି ସୂଚନା ଦେଇଥିଲେ। ଅନୁଗୁଳରୁ କୋଲାକତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍ ଚଳାଚଳ କରିବା ପାଇଁ ଅବିଭକ୍ତ ଅବିଭକ୍ତ ଢେଙ୍କାନାଳ ଦାବିକରି ଆସୁଥିବା ବେଳେ କେନ୍ଦ୍ରର ମୋଦୀ ସରକାର ଏବେ ସ୍ବୀକୃତି ଦେଇଛନ୍ତି ବୋଲି ସେ କହିଥିଲେ।
ପୂଜା ବେଳାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ଏ ପ୍ରକାର ପୂଜା ଭେଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସେ ଧନ୍ୟବାଦ ଦେଉଥିବା କଥା ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ପୂଜା ସରିଯିବା ପରେ ବି ଟ୍ରେନ୍ ଉକ୍ତ ଟ୍ରେନ୍ ଚାଲିପାରି ନାହିଁ। ଅପରପକ୍ଷରେ ଏ ସଂକ୍ରାନ୍ତରେ କୌଣସି ଟ୍ରେନ ଚଳାଚଳ ପାଇଁ ସମ୍ବଲପୁର ରେଳମଣ୍ଡଳ ପାଖରେ ବି କୌଣସି ସୂଚନା ନଥିବା ଜଣାପଡ଼ିଛି। ଦେଖାଯାଉ, କେବେ ଏହି ଟ୍ରେନ୍ ଗଡ଼ୁଛି!