ଭୁବନେଶ୍ବର: ମଧ୍ୟପ୍ରଦେଶରେ କଫ୍ ସିରପ୍ ପିଇବା କାରଣରୁ ହୋଇଥିବା ଶିଶୁ ମୃତ୍ୟୁକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଥିବା ବେଳେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ କଫ୍ ସିରପ୍କୁ ନେଇ ତନାଘନା ଆରମ୍ଭ କରିଛନ୍ତି। ହେଲେ ସରକାରୀ ଯାଞ୍ଚ କେବଳ କଫ୍ ସିରପ୍ ନିକଟରେ ଅଟକି ଯାଇଛି। ରାଜ୍ୟର ଘରୋଇ କ୍ଲିନିକ୍ ବା ଘରୋଇ ଶିଶୁରୋଗ ଡାକ୍ତରଙ୍କ ପାଖରେ ଥିବା ଟିକାକୁ ସମେସ୍ତ ଭୁଲି ଯାଇଛନ୍ତି। ବିନା ଲାଇସେନ୍ସରେ ଏଭଳି ଟିକା ରଖୁଥିବା ଡାକ୍ତର ଓ କ୍ଲିନିକ୍ରେ କେବେ ଯାଞ୍ଚ ହେବ? ଏହି ଡାକ୍ତରଙ୍କଠାରୁ ଟିକା ନେଇଥିବା ଶିଶୁର ଯଦି କୌଣସି ଅଘଟଣ ଘଟିବ ତାହାଲେ ଏଥିପାଇଁ କିଏ ଦାୟୀ ହେବେ? ବର୍ଷ ବର୍ଷ ଧରି ଏହି ଡାକ୍ତରମାନେ ଟିକାକୁ ଏକ ବ୍ୟବସାୟରେ ପରିଣତ କରିଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନା ଭେଷଜ ନିର୍ଦ୍ଦେଶାଳୟ ଏହା ଉପରେ କାହିଁକି ନଜର ପଡ଼ୁନାହିଁ, ତାହା ଆଶ୍ଚର୍ଯ୍ୟ କରିଛି।
କେନ୍ଦ୍ର ସରକାରଙ୍କ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ(ୟୁଆଇପି) ଅଧୀନରେ ୧୨ ପ୍ରକାରର ରୋଗ ପାଇଁ ମାଗଣାରେ ଟିକା ଦିଆଯାଉଛି। ଡିପ୍ଥେରିଆ, ଟିଟାନସ୍, ପୋଲିଓ, ମିଳିମିଳା, ହେପାଟାଇଟିସ୍ ବି, ରୋଟାଭାଇରସ, ନିମୋକୋକାଲ ନିମୋନିଆ, ଜେଇ ଟିକା ସରକାରୀ ଡାକ୍ତରଖାନାରେ ଉପଲବ୍ଧ ରହିଛି। ଏହା ବାଦ୍ ଅନେକ ଟିକା ଶିଶୁଙ୍କ ସୁରକ୍ଷା ପାଇଁ ଥିଲେ ହେଁ ଏସବୁ ସରକାରୀ ଡାକ୍ତରଖାନାରେ ଦିଆଯାଉ ନାହିଁ। ତେଣୁ ବାଧ୍ୟହୋଇ ଲୋକମାନେ ଘରୋଇ ଡାକ୍ତରଖାନା-କ୍ଲିନିକ୍ ଉପରେ ଲୋକମାନେ ନିର୍ଭର କରୁଛନ୍ତି। ହେଲେ ଟିକା ରଖିବା ପାଇଁ ଡାକ୍ତରମାନଙ୍କ ଏଭଳି ଲାଇସେନ୍ସ ନ ଥିବା ବେଳେ ସେମାନେ କିନ୍ତୁ ଟିକା ଫୋଡ଼ିବା ଜାରି ରଖିଛନ୍ତି।
ଅପରପକ୍ଷରେ ଯେଉଁ କ୍ଲିନିକ୍ ବା ଘରୋଇ ଡାକ୍ତର ଏହି ଟିକା ରଖିଛନ୍ତି ସେମାନେ ଡ୍ରଗ୍ ଓ କସ୍ମେଟିକ୍ ଆଇନର ସିଡ୍ୟୁଲ-କେ ର ଅନୁପାଳନ କରିବା ଆବଶ୍ୟକ। ଏଥିରେ ବିସ୍ତୃତ ଭାବେ କେଉଁ ଟିକା-ଔଷଧ, କାହାକୁ ଦିଆଗଲା, ଏହାର ବିଲ୍ ଆଦି ସଂପର୍କରେ ଉଲ୍ଲେଖ ରହିବା କଥା। ମାତ୍ର ଏହାର କଡ଼ାକଡ଼ି ଯାଞ୍ଚ ହେଉ ନଥିବାରୁ ଘରୋଇ କ୍ଷେତ୍ରରେ ଟିକା ଏକ ବ୍ୟବସାୟରେ ପରିଣତ ହୋଇଛି। ଏ ସଂପର୍କରେ ଭେଷଜ ନିର୍ଦ୍ଦେଶକ ମାମିନା ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/14/vaccine-2025-10-14-00-25-43.jpg)