କରଞ୍ଜିଆ ଗୋଲେଇ: ମୟୁରଭଞ୍ଜ  ଜିଲ୍ଲାରେ ଭରି ରହିଛି ଅନେକ ପ୍ରାକୃତିକ ଶୋଭରାଶି ଓ ପର୍ଯ୍ୟଟନସ୍ଥଳୀ। ଏହି ପର୍ଯ୍ୟଟନକ୍ଷେତ୍ରକୁ ଆକର୍ଷିତ ହୋଇ ପ୍ରତ୍ୟେକ ଦିନ ଛୁଟି ଆସିଥାନ୍ତି ବହୁ ପର୍ଯ୍ୟଟକ। ଏଥିରୁ କେତେକ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଥିବାବେଳେ କେତେକ ଅଘୋଷିତ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ। ସେଥିମଧ୍ୟରୁ ପାଞ୍ଚପିଢ଼ କରଞ୍ଜିଆ ନିକଟ ତ୍ରିଧାରା ହେଉଛି ଅନ୍ୟତମ। ଶିମିଳିପାଳ ପାଦଦେଶରୁ ବୋହି ଆସିଥିବା ଦେଓନଦୀର ଉପଧାରା। ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ସୀମା ନିର୍ଦ୍ଧାରଣ କରୁଥିବା ଏହି ତ୍ରିଧାରା ଜଳରାଶି ଲୋକଙ୍କ ମନରେ ଭରିଦିଏ ଅସରନ୍ତି ଆନନ୍ଦ। ବରେହିପାଣି, ଯୋରନ୍ଦା, ଦେବକୁଣ୍ଡ ଓ ଭୀମକୁଣ୍ଡ ଭଳି ଚିରସ୍ରୋତା ତ୍ରିଧାରାର ମଧ୍ୟ ସ୍ୱତନ୍ତ୍ର ଆକର୍ଷଣ ରହିଛି। ପର୍ଯ୍ୟଟନ ମାନଚିତ୍ରରେ ଏହା ମାନ୍ୟତା ପାଇ ନଥିଲେ ବି ହଜାର ହଜାର ପ୍ରକୃତିପ୍ରେମୀ ଏଠାକୁ ଟାଣି ହୋଇଆସନ୍ତି।

Advertisment

କରଞ୍ଜିଆ ସହରଠାରୁ ମାତ୍ର ୩ କିମି ଏବଂ ଶରଧା ଗ୍ରାମରୁ ମାତ୍ର ଅଧକିମି ଦୂରରେ ପ୍ରବାହିତ ଦେଓନଦୀରୁ ତ୍ରିଧାରାର ଉତ୍ପତ୍ତି। ବୈତରଣୀ ନଦୀର ଏହା ଏକ ଉପନଦୀ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ବିରାଟଦରବାର ପହଞ୍ଚିଚିବା ପୂର୍ବରୁ ସେମାନେ ତ୍ରିଧାରା ନିକଟରେ କିଛିଦିନ ଅବସ୍ଥାନ କରିଥିଲେ। ସେତେବେଳେ ଦେଓନଦୀ ସେଠାରେ ଗୋଟିଏ ଧାରରେ ପ୍ରବାହିତ ହେଉଥିଲା। ଗୋଟିଏ ଧାରରେ ପଞ୍ଚୁପାଣ୍ଡବ, ଦ୍ରୌପଦୀ ଓ ଗ୍ରାମବାସୀଙ୍କୁ ଗାଧୋଇବାକୁ ପଡୁଥିଲା। ଯାହା ଦ୍ରୌପଦୀଙ୍କୁ ଭଲ ଲାଗୁନଥିଲା। ଦିନେ ନିଜ ମନକଥା ଅର୍ଜୁନଙ୍କୁ କହିଲେ। ଅର୍ଜୁନ ଶରବିଦ୍ଧ କରି ଦେଓନଦୀର ଜଳଧାରକୁ ତିନୋଟି ଧାରରେ ପରିଣତ କଲେ। ସେହିଦିନରୁ ନଦୀର ନାମ ତ୍ରିଧାରା ବଦଳିଗଲା।

ଏହାଏକ ପବିତ୍ର ସ୍ଥାନ ହୋଇଥିବାରୁ ପ୍ରତିବର୍ଷ ମକରସଂକ୍ରାନ୍ତିରେ ହଜାର ହଜାର ଶ୍ରଦ୍ଧାଳୁ ନିଜର ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ବୁଡ଼ ପକାଇଥାନ୍ତି। କୁଡୁମି ସମ୍ପ୍ରଦାୟର ଲଳନାମାନେ ଟୁସୁ ମୂର୍ତ୍ତି ବିସର୍ଜନ କରିଥାନ୍ତି। ଏହିଦିନ ଟୁସୁ ମିଳନ ପ୍ରତିଯୋଗିତା ସହିତ ତ୍ରିଧାରା ମହୋତ୍ସବ ହୋଇଆସୁଛି। ନଭେମ୍ବରଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟନ ଋତୁ ଯୋଗୁଁ ଏଠାରେ ପିକ୍‌ନିକ ପାଇଁ ପ୍ରବଳ ଭିଡ଼ ଲାଗିଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ଶିମିଳିପାଳକୁ ଆସୁଥିବାବେଳେ ପ୍ରକୃତିପ୍ରେମୀ ଫେରିଲାବେଳେ ସାଥିରେ ନିଆରା ଅନୁଭୂତି ସାଉଁଟିଥାନ୍ତି। ଚଳିତ ବର୍ଷ ମଧ୍ୟ ଏଠାରେ ଆଗନ୍ତୁକଙ୍କ ଭିଡ଼ ଜମିଲାଣି। ତ୍ରିଧାରାକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମିଳିଲେ ଆକର୍ଷିତ ହୋଇ ପର୍ଯ୍ୟଟକଙ୍କ ସମଗମ ବଢ଼ିବ। ଏଠାକାର ମାନଚିତ୍ର ବଦଳିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ ବୋଲି ପର୍ଯ୍ୟଟକମାନେ ମତ ରଖିଛନ୍ତି।