ଭୁବନେଶ୍ବର: ରାଜ୍ୟରେ ରକ୍ତହୀନତାରେ ସୁଧାର ଆସୁନାହିଁ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷେତ୍ରରେ ଏହା ଚିନ୍ତାଜନକ ସ୍ଥିତିରେ ରହିଛି। ରାଜ୍ୟରେ ରକ୍ତହୀନତା ହ୍ରାସ ପାଇଁ ତତ୍କାଳୀନ ରାଜ୍ୟ ସରକାର ୨୦୨୨ ମସିହା ନଭେମ୍ବର ୨୪ ତାରିଖରେ ‘ଅମ୍ଳାନ’ (ଏନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ) ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭର ୨ବର୍ଷ ପରେ ବି ସ୍ଥିତିରେ ସୁଧାର ଆସିନାହିଁ। ସବୁ ସ୍ତରରେ ରକ୍ତହୀନତା ପୂର୍ବଭଳି ରହିଛି। 

Advertisment

ପୂର୍ବରୁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ଅନୁଯାୟୀ ଓଡ଼ିଶାରେ ୬ରୁ ୫୯ ମାସର ୬୪.୨% ଶିଶୁ ରକ୍ତହୀନତାର ଶିକାର ହୋଇଥିଲେ। ଏହାସହ ୬୧.୮% ଗର୍ଭବତୀ ମହିଳା ଓ ୬୭.୧% ସ୍ତନ୍ୟପାନ କରାଉଥିବା ମହିଳାଙ୍କଠାରେ ରକ୍ତହୀନତା ରହିଥିଲା। ସେହିପରି ୧୫-୧୯ବର୍ଷର ୬୫.୫% ବାଳିକା ରକ୍ତହୀନତାରେ ପୀଡ଼ିତ। ଏଭଳି ଚିନ୍ତାଜନକ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ନିଜ ଆଡ଼ୁ ‘ଅମ୍ଳାନ’ ଯୋଜନା ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସ୍ବାସ୍ଥ୍ୟ ବିଭାଗର ସହ ଅନ୍ୟାନ୍ୟ ବିଭାଗର ସହଯୋଗରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ରାଜ୍ୟର ୧.୩୭ କୋଟି ଲୋକଙ୍କୁ ରକ୍ତ ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରାଜ୍ୟର ୫୫ହଜାର ସରକାରୀ ଓ ସରକାରୀ ସହାୟତା ବିଦ୍ୟାଳୟ ଓ ୭୪ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଏହା କାର୍ଯ୍ୟକାରୀ ହୋଇଛି। ଏଥିରେ ଟେଷ୍ଟିଂ, ଟ୍ରିଟିଂ ଓ ଟକିଂ ବା ଟି-୩କୁ ଗୁରୁତ୍ବ ଦିଆଯାଇଛି। 

୬ ରୁ ୫୯ମାସର ୪୧.୫% ଶିଶୁ ଓ ସ୍କୁଲ ଛାଡ଼ିଥିବା ୫୪.୨% ବାଳିକା ରକ୍ତହୀନତାରେ ପୀଡ଼ିତ

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୬ରୁ ୫୯ମାସର ସମୁଦାୟ ୧୮ଲକ୍ଷ ୮୫ହଜାର ୯୧୦ ଶିଶୁଙ୍କ ପରୀକ୍ଷା ହୋଇଛି। ତହିଁରୁ ୭ଲକ୍ଷ ୮୧ହଜାର ୮୬୯ ବା ୪୧.୫% ଶିଶୁ ରକ୍ତହୀନତାରେ ପୀଡ଼ିତ। ଯଦି ରକ୍ତହୀନତାର ବିଭିନ୍ନ ସ୍ତରକୁ ବିଚାରକୁ ନିଆଯାଏ ତାହାଲେ ୬ଲକ୍ଷ ୬୭ହଜାର ୯୯୫ଜଣ ବା ୩୫.୪% ସ୍ବଳ୍ପ, ୧ଲକ୍ଷ ୯ହଜାର ୬୧୪ଜଣ ମଧ୍ୟମ ଓ ୪୨୬୦ଜଣ ଗୁରୁତର ରକ୍ତହୀନତାର ଶିକାର। ୧୦ ରୁ ୧୯ବର୍ଷର ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ରକ୍ତହୀନତା ସ୍ତର ୪୧.୩% ରହିଛି। ବାଳିକାଙ୍କଠାରେ ୪୨.୨% ଓ ବାଳକ ୪୦.୩% ଓ ସ୍କୁଲ ଛାଡ଼ିଥିବା ୫୪.୨% ବାଳିକା ରକ୍ତହୀନତାର ଶିକାର। ଏହି ସମୟ ଭିତରେ ରାଜ୍ୟରେ ୧୦ଲକ୍ଷ ୫୭ହଜାର ୨୪୭ ଗର୍ଭବତୀ ମହିଳାଙ୍କ ରକ୍ତ ପରୀକ୍ଷା ହୋଇଥିବା ବେଳେ ସେମଧ୍ୟରୁ ୫୬.୪% ଗର୍ଭବତୀ ରକ୍ତହୀନତାରେ ପୀଡ଼ିତ ଥିବା ସ୍ପଷ୍ଟ ହୋଇଛି।  ୬୬୭୩ ବା ୦.୬% ଗର୍ଭବତୀଙ୍କଠାରେ ଗୁରୁତର ରକ୍ତହୀନତା ରହିଛି। ଏହାସହ ସ୍ତନ୍ୟପାନ କରାଉଥିବା ୬ଲକ୍ଷ ୯୫ହଜାର ୨୨୨ ମହିଳାଙ୍କ ରକ୍ତ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୬୩.୨% ବା ୪ଲକ୍ଷ ୩୯ହଜାର ୫୭୬ଜଣ ରକ୍ତହୀନତା ଥିବା ଜଣାପଡ଼ିଛି। 

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୩ ସେପ୍ଟେମ୍ବରରେ ‘ଅମ୍ଳାନ’ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ୬ ରୁ ୫୯ମାସର ଶିଶୁଙ୍କ ରକ୍ତହୀନତା ୩୮.୩% ରହିଥିବା କୁହାଯାଇଥିଲା। ଚଳିତବର୍ଷ ଏହି ବର୍ଗର ଶିଶୁଙ୍କଠାରେ ରକ୍ତହୀନତା ସ୍ତରରେ ବୃଦ୍ଧି ହୋଇଛି। ମାତ୍ର ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ହାର ଗତବର୍ଷ ଯାହା ରହିଥିଲା, ଚଳିତବର୍ଷ ମଧ୍ୟ ସମାନ ରହିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଯଦିଓ ‘ଅମ୍ଳାନ’ ଯୋଜନା ୨ବର୍ଷ ତଳୁ ଆରମ୍ଭ ହୋଇଛି, ହେଲେ ଏହା ସଂପୂର୍ଣ୍ଣଭାବେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇପାରି ନ ଥିଲା। ନିକଟରେ ଜିଲ୍ଲାସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ଶେଷ ହୋଇଛି। ଏବେ ପୂର୍ଣ୍ଣଭାବରେ ଜିଲ୍ଲାରେ ରକ୍ତହୀନତା ଦୂର କାର୍ଯ୍ୟକ୍ରମ ଆରମ୍ଭ ହେବ।