ଠକିଦେଲେ ବିଡିଓ, କେବେ ପାଉଣା ପାଇବେ ଶ୍ରମିକ?

ବଲାଙ୍ଗୀର : ବିଡିଓ ସାର୍‌ କହିଥିଲେ। ପ୍ରତି ସପ୍ତାହରେ ପାଉଣା ଦେବେ। ହେଲେ ଦେଲେ ନାହିଁ। ଆଜି କାଲି ଆକାଉଣ୍ଟରେ ଟଙ୍କା ଆସିବ କହି ସମୟ ଗଡ଼ାଇ ଚାଲିଲେ। ଯେତେ ଯାହା ନେହୁରା ହେଲେ ବି ଶୁଣିଲେନି ଅଧିକାରୀ। ଶେଷରେ ବ୍ଲକ୍‌ ଅଫିସକୁ ଯାଇ ପ୍ରତିବାଦ କଲୁ। ତଥାପି ଟଙ୍କା ଦେଲେନି। ଭୋକ ଉପାସରେ ଧାରକରଜରେ ବୁଡ଼ିଛୁ। ବିଡିଓ ସାର୍‌ ପ୍ରତିଶ୍ରୁତି ଦେଇ ଆମକୁ ଠକିଦେଲେ ବୋଲି କହିଛନ୍ତି ବେଲପଡ଼ା ବ୍ଲକ୍‌ ଧୁମାଭଟା ପଂଚାୟତର ମନ୍‌ରେଗା କାମ କରିଥିବା ଶ୍ରମିକ ଓ ମିସ୍ତ୍ରି।

ଧୁମାଭଟା ପଂଚାୟତରେ ହୋଇଥିଲା ଏକ ପାଇଲଟ ପ୍ରୋଜେକ୍ଟ। ପଂଚାୟତକୁ ଫୋକସରେ ନେଇ ସେଠାରେ ଯେଉଁ ହିତାଧିକାରୀ ନିଜେ ଆବାସ ଗୃହ କରି ପାରୁ ନାହାନ୍ତି ସେମାନଙ୍କ ଘର ତିଆରି କରିଦେଇ ତାଙ୍କୁ ପ୍ରଦାନ କରିବାକୁ ଯୋଜନା ହୋଇଥିଲା। ବାହାର ଜିଲ୍ଲାର ଏକ ଠିକା ସଂସ୍ଥାକୁ ବ୍ଲକ୍‌ ପକ୍ଷରୁ ନିଯୁକ୍ତ କରାଯାଇଥିଲା। ଆଉ ବିଡିଓ ଯାଇ ମନ୍‌ରେଗା ଯୋଜନାରେ ଘର ମିସ୍ତ୍ରି ଓ ଶ୍ରମିକମାନଙ୍କୁ ସେହି ଘର ନିର୍ମାଣ କାମ କରିବାକୁ ବୁଝାଇଥିଲେ। ଦିନକୁ ୪୨୦ ଟଙ୍କା ଆକାରରେ ପାଉଣା ଓ ସପ୍ତାହରେ ଥରେ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ। ବହୁ ଆଶା କରି ସବୁ କାମଧନ୍ଦାକୁ ଛାଡ଼ି ମିସ୍ତ୍ରି ଓ ଶ୍ରମିକମାନେ ଘର କାମ କରି ଚାଲିଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ ପାଉଣା ପାଇନଥିଲେ। ଏବେ ବିତିଗଲାଣି ଚାରି ମାସ। ସାତଦିନ କହି ମାସ ମାସ ଧରି ପାଉଣା ନପାଇବାରୁ ଧାରକରଜରେ ବୁଡ଼ିଛନ୍ତି ଶ୍ରମିକ।

ଏପଟେ ବିଡିଓ ସପ୍ତାହରେ ପାଉଣା ଦିଆଯିବ କହି ଶ୍ରମିକଙ୍କୁ ଠକିଥିବା ଅଭିଯୋଗ ଉଠିଛି। ଆଉ ଏବେ ନୂଆ ବାହାନା ଆକାଉଣ୍ଟ କାହାର ଠିକଠାକ ନାହିଁ। କିନ୍ତୁ ଏସବୁ ଭିତରେ ବିଚରା ଶ୍ରମିକମାନେ ବହୁ ହଟହଟା ହେଲେଣି। ଏ ନେଇ ବଲାଙ୍ଗୀର ପିଡି ଡିଆରଡିଏଙ୍କୁ ପଚରାଯିବାରୁ ଆକାଉଣ୍ଟମାନଙ୍କରେ କିଛି ସମସ୍ୟା ରହିଥାଏ। କିନ୍ତୁ ଧୁମାଭଟା ପଂଚାୟତରେ ହୋଇଥିବା ଆବାସ ଘର କାମର ପେମେଣ୍ଟ ସ୍ଥିତି କଣ ମୋର ପାଖରେ ଖବର ନାହିଁ। ଯଦି କୌଣସି ଶ୍ରମିକ ପାଇ ନାହାନ୍ତି ତାହେଲେ କଣ ସମସ୍ୟା ରହିଛି ତାହା ବୁଝିବା ପରେ ସେମାନଙ୍କୁ ପାଉଣା ଦେବାର ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର