ଯେଉଁଠି ଅଡ଼ୁଆ ଲାଗୁଛି ସେଇଠି ପ୍ରଶ୍ନ ପଚାରନ୍ତୁ : ସୌମ୍ୟରଂଜନ

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ଶିବିର ଉଦ୍ୟାପିତ

ନିରାକାରପୁର/ଖୋର୍ଦ୍ଧା: ବିଜ୍ଞାନ କ’ଣ? ବିଜ୍ଞାନ କେବଳ ବିଜ୍ଞାନଗାରରେ ସୀମିତ ନୁହେଁ । ପ୍ରଶ୍ନ ପଚାରିବା ଓ ଉତ୍ତର ଖୋଜିବା ହେଉଛି ବିଜ୍ଞାନ । ଆମ ସମାଜରେ, ଆମ ଚାରିପଟରେ ଯାହା ଅଡ଼ୁଆ ଦେଖାଯାଉଛି ସେଇ ଅଡ଼ୁଆ ଗଣ୍ଠିକୁ ଫିଟାଇବା ଓ ସିଧା କରିବା କାମ ହେଉଛି ବିଜ୍ଞାନର । ଏଣୁ ଜୀବନରେ ପ୍ରଶ୍ନ ପଚାରିବାର ଅଭ୍ୟାସ ଛାଡ଼ନ୍ତୁ ନାହିଁ । ଯେଉଁଠି ଅଡ଼ୁଆ ଲାଗୁଛି ସେଠାରେ ପ୍ରଶ୍ନ ପଚାରନ୍ତୁ ବୋଲି ଆଜି କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତଃ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିରର ଉଦrଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣକାନ୍ତି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ପଟ୍ଟନାୟକ ପାଣିରେ ଆଲୋକର ପ୍ରତିସରଣ ଯୋଗୁଁ ଆଂଗୁଠିର ଆକାରର ପରିବର୍ତ୍ତନ ହେବା ଭଳି ଲାଗିବା, ଗତିର ନିୟମରେ ଧାବମାନ ରେଳ ହଠାତ ଅଟକି ଯିବା ସମୟରେ ଆଗକୁ ଝୁଂକିପଡ଼ିବା, ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଆପେଲ୍ ତଳକୁ ଖସିବା ଆଦିର ଉଦାହରଣ ଦେଇ ପ୍ରଶ୍ନ ଦ୍ୱାରା ହିଁ ଏହି ବିଜ୍ଞାନର ରହସ୍ୟ ଉନ୍ମୋଚନ ହୋଇଥିବା କହିଥିଲେ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ତଥାପି ଏଠାର ଲୋକମାନେ ଗିରବ । ଏହା ଏକ ଅଡ଼ୁଆ କଥା, ଏହାର ଉତ୍ତର କିଏ ଦେବ । ଏହାର ଉତ୍ତର କୌଣସି ରାଜନେତା ଦେବେନାହିଁ । ଆମକୁ ନିଜକୁ ପ୍ରଶ୍ନ ପଚାରିବା ସହ ଏହାର ଉତ୍ତର ଖୋଜିବାକୁ ପଡ଼ିବ ବାଲି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଅଧ୍ୟାପକଅଧ୍ୟାପିକାଙ୍କୁ ପ୍ରଶ୍ନ ପଚାରୁଛନ୍ତି ସେମାନଙ୍କ ଉପରେ ବିରକ୍ତ ନହୋଇ ଏହି ପ୍ରଶ୍ନ ପଚାରିବାର ଅଭ୍ୟାସକୁ ପରିମାର୍ଜିତ କରି ପୃଷ୍ଠପୋଷକ ଦେବାକୁ ସେ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପରାମର୍ଶ ଦେଇଥିଲେ । ପୁଣିଥରେ ଜନ୍ମରେ ସେ ଭଗବାନଙ୍କ ଠାରୁ ବିନା ଦ୍ୱିଧାରେ ଅଧ୍ୟାପକଟିଏ ହେବା ପାଇଁ ବର ମାଗିବେ ବୋଲି କହି ଆଜି ମହାବିଦ୍ୟାଳୟ ପରିସରରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଅନୁଷ୍ଠିତ ରକ୍ତଦାନ ଶିବିର ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରକ୍ତଦାନ ଦ୍ୱାରା ତିନିଜଣ ବ୍ୟକ୍ତି- ଯିଏ ରକ୍ତ ଦିଏ, ଯିଏ ନିଏ ଓ ଯିଏ ଏହି ରକ୍ତଦାନ ଶିବିରର ଆୟୋଜନ କରେ ଶାନ୍ତି ପାଇଥାନ୍ତି । ରକ୍ତ ଏଭଳି ଏକ ସମ୍ପଦ ଯାହା ସୃଷ୍ଟି କରିବାର କ୍ଷମତା କେବଳ ମନୁଷ୍ୟକୁ ମିଳିଛି । ବିଜ୍ଞାନ ଅନେକ ଉଦ୍ଭାବନ କରିଥିଲେ ମଧ୍ୟ ରକ୍ତ ସୃଷ୍ଟି କରିବାକୁ ଅଦ୍ୟାବଧି ସମର୍ଥ ହୋଇପାରିନାହିଁ । ଏହା ଈଶ୍ୱରଦତ୍ତ ବୋଲି କହି ରକ୍ତଦାନ ଏକ ପୂଣ୍ୟକାର୍ଯ୍ୟ ବୋଲି କହିଥିଲେ ।

ସମ୍ମାନନୀୟ ଅତିଥି ତଥା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ. ଦିଲିପ ଶ୍ରୀଚନ୍ଦନ ମହାବିଦ୍ୟାଳୟ ସ୍ଥାପନରେ ପରିଚାଳନା କମିଟିର ସଭାପତି ଭାବେ ଶ୍ରୀ ପଟ୍ଟନାୟକଙ୍କ ଅବଦାନ କଥା କହି ଦୀର୍ଘ ୩୦ ବର୍ଷ ପରେ ମହାବିଦ୍ୟାଳୟକୁ ଆସିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିଭଳି ଅନ୍ୟତମ ଅତିଥିଭାବେ ରାଜ୍ୟ ଜାତୀୟ ସେବା ଯୋଜନାର ତାଲିମ ସଂଯୋଜକ ଡ ନିରୋଧ ଖୁଂଟିଆ, ଉତ୍କଳ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡ ବ୍ରଜନାରାୟଣ ଦାସ ମଂଚାସୀନ ଥିଲେ ।

ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରତାପ କିଶୋର ଛୋଟରାୟ ସ୍ୱାଗତଭାଷଣ, ଜାତୀୟ ସେବା ଯୋଜନା ଅଧିକାରୀ ମାନସ ଜୟସିଂହ ଦୁଇ ଦିନିଆ ଶିବିରର କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଦେଇଥିବା ବେଳେ ଏନ୍ଏସ୍ଏସ୍ ସଂଯୋଜିକା ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ଧନ୍ୟବାଦ ଦେଇଥିଲେ । ଅଧ୍ୟାପିକା ସଚଳା ସାମନ୍ତରାୟ, ସଂଯୁକ୍ତା ପଟ୍ଟନାୟକ, ସୁଜ୍ଞାନୀ ଭଂଜସାମନ୍ତଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର