ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଗତବର୍ଷ ନଭେମ୍ବର ୨ ତାରିଖରୁ ମଣ୍ଡି ଖୋଲିଲା। କିନ୍ତୁ ମିଲର୍ସଙ୍କ ସହ ଚୁକ୍ତି ଏବଂ ଟ୍ୟାଗିଂ ପ୍ରକ୍ରିୟା ବିଳମ୍ବ ହେବାରୁ ଧାର୍ଯ୍ୟ ଦିନର ସପ୍ତାହେ ପରେ ଧାନକିଣା ଆରମ୍ଭ ହୋଇଥିଲା। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୩୪ ଲକ୍ଷ କ୍ବିଣ୍ଟାଲ୍ ଧାନକିଣା ଟାର୍ଗେଟ୍ ଆସିଥିଲା। ଯାହା ପରେ ୪୨ ଲକ୍ଷ କ୍ବିଣ୍ଟାଲ୍କୁ ବୃଦ୍ଧି କରାଗଲା। ବର୍ତ୍ତମାନ ଯାଏଁ ୯୧,୨୪୮ଜଣ ଚାଷୀଙ୍କଠାରୁ ୪୦.୯୬ ଲକ୍ଷ କ୍ବିଣ୍ଟାଲ୍ ଧାନକିଣା ସରିଛି। ଆହୁରି ୩ ହଜାର ଚାଷୀଙ୍କ ଧାନ କିଣିବା ବାକି ରହିଛି। ଇତିମଧ୍ୟରେ ମଣ୍ଡିରେ ତାଲା ଝୁଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ। ଚଳିତ ମାସ ଶେଷ ବେଳକୁ ଟାର୍ଗେଟ୍ ଶେଷ ସହ ସବୁ ମଣ୍ଡି ବନ୍ଦ ହୋଇଯିବ। ତେବେ ଏଥର ୧୫ଲକ୍ଷ କ୍ବିଣ୍ଟାଲ୍ ଧାନରେ ହେରାଫେରି ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏଥିରୁ ଅଧା ମିଲର୍ସ ଗିଳିଥିବା ବେଳେ ଅଧା ଖୋଲା ବଜାରରେ ଚୁଡ଼ା, ମୁଢ଼ି ପାଇଁ ଉପଲବ୍ଧ ରହିଥିବା କୁହାଯାଉଛି।
ଖରିଫ୍ରେ ଏଥର ଜିଲ୍ଲାରେ ୩.୪୬ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଏଥିରୁ ୫୯,୦୫,୪୪୦ କ୍ବିଣ୍ଟାଲ୍ ଧାନ ଉତ୍ପାଦନ ହେବା କଥା। ଚକଡ଼ା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଅତିକମ୍ରେ ୫୬-୫୭ ଲକ୍ଷ କ୍ବିଣ୍ଟାଲ୍ ଧାନ ନିଶ୍ଚିତ ବାହାରିଛି। ସେଚାଞ୍ଚଳରେ ହେକ୍ଟର୍ ପିଛା ୨୨ କ୍ବିଣ୍ଟାଲ୍ ଏବଂ ଅଣଜଳସେଚିତ ଅଞ୍ଚଳରେ ୧୨-୧୩ କ୍ବିଣ୍ଟାଲ୍ ଧାନ ଅମଳ ହେଉଛି। କିନ୍ତୁ ଚାଷୀଙ୍କୁ ଜଳସେଚିତ ଜମି ପାଇଁ ୧୯ କ୍ବିଣ୍ଟାଲ୍ ଏବଂ ଅଣଜଳସେଚିତ ଜମି ପାଇଁ ୧୩ କ୍ବିଣ୍ଟାଲ୍ ହିସାବରେ ଟୋକନ୍ ମିଳିଥିଲା। ଗୁଡ଼ାଏ ବ୍ଲକ୍ରେ ବୋର୍ୱେଲ୍ କରି ଚାଷ କରୁଥିବା ଜମିରୁ ହେକ୍ଟର ପିଛା ୨୦ରୁ ୨୨ କ୍ବିଣ୍ଟାଲ୍ ଧାନ ଉତ୍ପାଦନ ହୋଇଛି।
ଉଠାଜଳସେଚନ ବ୍ୟବସ୍ଥା ଥିବା ଜମିରେ ହେକ୍ଟର ପିଛା ହାରାହାରି ୧୮-୧୯ କ୍ବିଣ୍ଟାଲ୍ ଧାନ ଅମଳ ହେଉଥିଲେ ହେଁ ଚାଷୀଙ୍କୁ ୧୩ କ୍ବିଣ୍ଟାଲ୍ ହିସାବରେ ଟୋକନ୍ ମିଳୁଛି। ତେଣୁ ଅମଳ ତୁଳନାରେ ଟାର୍ଗେଟ୍ ସବୁବେଳେ କମ୍ ରହୁଛି। ଧାନ ଉତ୍ପାଦନ ତୁଳନାରେ କମ୍ ଟାର୍ଗେଟ୍ର ଟୋକନ୍ ଜାରି ହେଉଥିବା ନଜିର ରହିଛି। ଯାହାଦ୍ବାରା ଏଥର ଖରିଫ୍ରେ ୧୫ଲକ୍ଷ କ୍ବିଣ୍ଟାଲ୍ ଧାନ ଖୋଲା ବଜାରକୁ ଆସିବା ସ୍ପଷ୍ଟ ହେଉଛି। ତେବେ ଯୋଗାଣ ବିଭାଗ ପକ୍ଷରୁ ଏହାର କିଛି ତନାଘନା ହେଲାନାହିଁ କି କୌଣସି ଧାନଭର୍ତ୍ତି ଗାଡ଼ି ଜବତ ହେଲାନାହିଁ। ମିଲର୍ସଙ୍କୁ ସମ୍ପୂର୍ଣ୍ଣ ପ୍ରଶ୍ରୟ ଦେଇ ଉପରୋକ୍ତ ପରିମାଣର ଧାନ ଗାଏବ୍ ହୋଇଗଲା।