ବ୍ରଜରାଜନଗର ବିକାଶରେ ଅନ୍ତରାୟ କେଉଁଠି?

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନମଣ୍ଡଳୀରେ ଆଶାନୁରୂପ ବିକାଶ ହୋଇ ନଥିବା ନେଇ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉଠୁଥିବା ପ୍ରଶ୍ନବାଣ ପ୍ରାର୍ଥୀମାନଙ୍କ ଆଡ଼ୁଆ ବଢ଼ାଇବାରେ ଲାଗିଛି। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ବ୍ରଜରାଜନଗରଠାରେ ବନ୍ଦ ହୋଇ ପଡ଼ିଥିବା ଓରିଏଣ୍ଟ ପେପର ମିଲ୍‌। ଏହି ପେପର ମିଲ୍‌ ଏକଦା ଝାରସୁଗୁଡ଼ାରକୁ ପରିଚୟ ଦେଇଥିଲା। ପେପର ମିଲ୍‌ କହିଲେ ସେହି ସମୟରେ ବ୍ରଜରାଜନଗରକୁ ବୁଝାଉଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକ ରୋଜଗାର ପାଇ ପାରିଥିଲେ। ପେପର ମିଲ୍‌ ଦ୍ବାରା ନିର୍ମାଣ ଘରେ ରହି କାମ କରି ଦୁଇ ପଇସା ରୋଜଗାର କରି ଆରାମରେ ଚଳୁଥିଲେ।ଏଥିପାଇଁ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିଥିଲା। ସେହି ସମୟରେ ବ୍ରଜରାଜନଗର ଏବେ ଶ୍ରୀହୀନ ହୋଇ ପଡ଼ିଛି।  ରାଜ୍ୟର ଅନ୍ୟତମ ବୃହତ୍‌ ବ୍ଲକ ଲଖନପୁର ବ୍ଲକ୍‌ର ୩୩ଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକ୍‌ରେ ୫ଟି ପଞ୍ଚାୟତ, ଦୁଇଟି ପୌରସଂସ୍ଥା ବେଲପାହାଡ଼ ଓ ବ୍ରଜରାଜନଗରକୁ ନେଇ ଗଠନ ହୋଇଥିବା ଏହି ନିର୍ବାଚନମଣ୍ଡଳୀରେ ଅନେକ ସମସ୍ୟା ରହିଛି। ଏହି ସମସ୍ୟା ଆଜିର ନୁହେଁ ବହୁ ପୁରୁଣା। ଏକ ଦୀର୍ଘମିଆଦି ଯୋଜନା ଦ୍ବାରା ହିଁ ଏହି ସମସ୍ୟା ଗୁଡ଼ିକ ସମାଧାନ କରାଯାଇ ପାରେ। ତେବ‌େ ଏଠାରେ ସବୁବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଲୋକ‌େ ସମସ୍ୟା ଭୋଗ କରି ଆସୁଥିବା ଅଭିଯୋଗ ହେଉଛି। ସବୁ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀର ଅସୁବିଧା କଥା ଆଲୋଚନା ହୁଏ। ସବୁ ଆଡ଼େ ନିର୍ବାଚନୀ ବାତାବରଣ ଯୋଗୁଁ ଏହି ନିର୍ବାଚନମଣ୍ଡଳୀର ସମସ୍ୟା ଗୌଣ ହୋଇ ଯାଇଥାଏ। ତେବେ, ଏଥର ଉପନିର୍ବାଚନ ପ୍ରରିପ୍ରେକ୍ଷୀରେ ଅଞ୍ଚଳର ବିକାଶକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ଦେଖା ଯାଇଛି।

୧୯୬୧ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ନିର୍ବାଚନମଣ୍ଡଳୀରେ ୧୪ଟି ସାଧାରଣ ନିର୍ବାଚନ ଓ ଗୋଟିଏ ଉପନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଥରକୁ ଆଲୋଚନା କଲେ ଏହା ବ୍ରଜରାଜନଗର ପାଇଁ ଦ୍ବିତୀୟ ଉପନିର୍ବାଚନ। ଏହା ସତ୍ତ୍ବେ ଏବେ ମଧ୍ୟ ନିର୍ବାଚନମଣ୍ଡଳୀର ଲୋକ‌େ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ମୌଳିକ ସୁବିଧା ପାଇ ପାରିନଥିବା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅତ୍ୟନ୍ତ ବ୍ୟତିକ୍ରମ ଅଟେ। ତେବେ କାହିଁକି ଏହି ନିର୍ବାଚନମଣ୍ଡଳୀ ପ୍ରତି ବିଭିନ୍ନ ସମୟରେ ସରକାର ଅବହେଳା କରିଛନ୍ତି ଏହାର କାରଣ ରାଜନୈତିକ ଅଭିସନ୍ଧି ଛଡ଼ା ଆଉ କିଛି ନୁହେଁ ବୋଲି ପ୍ରତୀୟମାନ ହେବା ସ୍ବାଭାବିକ। କାରଣ ଏହି ନିର୍ବାଚନମଣ୍ଡଳୀ ପ୍ରତିଥର ଏକ ସ୍ବତନ୍ତ୍ର  ଫଳାଫଳ ଦେଇ ଆସିଛି। ଲୋକପ୍ରିୟ ଜନନେତା ପ୍ରସନ୍ନ ପଣ୍ଡା ଏହି ଅଞ୍ଚଳରୁ ୬ ଥର ବାମପନ୍ଥୀ ଦଳରୁ ପ୍ରତିନିଧିତ୍ବ କରିଥିଲେ। ଅଞ୍ଚଳର ବିକାଶ ପାଇଁ ସେ ସବୁବେଳେ ସ୍ବର ଉତ୍ତୋଳନ କରିଥିଲେ। ଏହାପରେ କଂଗ୍ରେସ ମଧ୍ୟ ୬ ଥର ସାଧାରଣ ନିର୍ବାଚନ ଓ ଥରେ ଉପନିର୍ବାଚନରେ ବିଜୟୀ ହୋଇ ଏଠାରୁ ପ୍ରତିନିଧିତ୍ବ କରିଥିଲା। ବିଜେପି ମଧ୍ୟ ଥରେ ଏହି ଆସନରୁ ପ୍ରତିନିଧିତ୍ବ କରି ସାରିଛି। ଗତ ୨୦୧୯ ନିର୍ବାଚନରେ ଲୋକ‌େ ବିଜେ‌ଡିକୁ ମଧ୍ୟ ସୁଯୋଗ ଦେଇଥିଲେ। ‌ ତେବେ ଏହି ଅଞ୍ଚଳର ବିକାଶରେ ଅନ୍ତରାୟ ସାଜିଛି କିଏ? କୌଣସି ସରକାର ଏଠି କାହିଁକି ବିକାଶର ସ୍ବପ୍ନ ଦେଖୁ ନଥିଲେ ବୋଲି ବହୁ ବୁଦ୍ଧିଜୀବୀ ଏବେ ପ୍ରଶ୍ନ ଉଠାଇଛନ୍ତି।  ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହୋଇଥିବା ପେପର ମିଲକୁ ବନ୍ଦ କରିବା ପଛରେ କାହାର ହାତ ଥିଲା ବୋଲି ଏବେ ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି। ଏହି ଅଞ୍ଚଳରେ ଥିବା କୋଇଲା ଖଣି ଦେଶର ଅର୍ଥନୀତିରେ ଏକ ସିଂହଭାଗ ସହଯୋଗ କରୁଛି। ତଥାପି ଖଣି ବିସ୍ଥାପିତ ମାନଙ୍କୁ ଆଜି ବି ଉଚିତ ସହାୟତା ପ୍ରଦାନ କରାଯାଇ ନାହିଁ। ହୀରାକୁଦ ବିସ୍ଥାପିତଙ୍କ ଆଖିରୁ ଆଜିବି ଲୁହ ‌ଶୁଖିନାହିଁ। ଉଚ୍ଚ ଶିକ୍ଷା ପାଇଁ କଲେଜ ନାହିଁ। ତୁରନ୍ତ ଚିକିତ୍ସା ସେବା ପାଇଁ ଭଲି ଡାକ୍ତରଖାନାଟିଏ ନାହିଁ। ଖଣି ଅଞ୍ଚଳର ଲୋକ‌େ ଗ୍ରୀଷ୍ମ ଦିନରେ ପାଣି ମୁନ୍ଦିଏ ପାଇଁ ଆଜିବି ଡହକବିକଳ ହେଉଛନ୍ତି। ପ୍ରଦୂଷଣ ଏଠାରେ ଏକ ବଡ଼ ସମସ୍ୟା ‌ହୋଇ ମୁଣ୍ଡ ଟେକିଛି। ସବୁପ୍ରକାର ସମସ୍ୟା ଭିତରେ ଏବେ ବ୍ଲକ ବିଭାଜନ ପ୍ରସଙ୍ଗ ଉଠିବା ଆରମ୍ଭ କରିଛି। ଅଞ୍ଚଳର ବିକାଶରେ କାହିଁକି ଅନ୍ତରାୟ ସୃଷ୍ଟି ହୋଇଛି ବୋଲି ଏବେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର