ଅନୁପଙ୍କ ଭୋଟ୍‌ ବ୍ୟାଙ୍କ କୁଆଡ଼େ ଗଲା ?

ଝାରସୁଗୁଡ଼ା: ନିର୍ବାଚନରେ ନେତା ଓ ଦଳର ଭୋଟ୍‌ ବ୍ୟାଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ସହାୟତା ଯୋଗାଇ ଥାଏ।  ପ୍ରତି ନିର୍ବାଚନ କ୍ଷେତ୍ରରେ ନେତା ଓ ଦଳର ଭୋଟ୍‌ବ୍ୟାଙ୍କ ରହିଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏହି ଭୋଟ୍‌ ବ୍ୟାଙ୍କ ଅତୀତରେ କିଛି ନିର୍ଦ୍ଦିଷ୍ଟ ଦଳ ଓ ପାର୍ଟିକୁ ବିଜୟୀ କରିବାରେ ସବୁବେଳେ ସାହଯ୍ୟ କରି ଆସୁଥିଲା। ଫଳରେ ସାରା ଭାରତ ବର୍ଷରେ ଗୋଟିଏ ହାୱା ବୋହୁଥିବା ବେଳେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ସେହି ହାୱା କୌଣସି ପରିବର୍ତ୍ତନ କରି ପାରୁ ନଥିଲା। ଏହି ନିର୍ବାଚନ ମଣ୍ଡଳୀରେ ସିପିଆଇ ନେତା ପ୍ରସନ୍ନ ପଣ୍ଡା, କଂଗ୍ରେସ ନେତା ଉପେନ୍ଦ୍ର ଦୀକ୍ଷିତ ଓ ଅନୁପ ସାଏ ଭଳି ନେତା ତାଙ୍କର ଏକ ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ଲୋକଙ୍କ ସମସ୍ୟା ସମାଧାନ ହେଉ କିମ୍ବା ଜନସାଧାରଣଙ୍କ ସହିତ ସୁସଂପର୍କ କିମ୍ବା ଉତ୍ତମ କାମ ପାଇଁ ଏହି ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଥାଏ।

ଏହି ଭୋଟବ୍ୟାଙ୍କ ଜଣେ ପ୍ରାର୍ଥୀଙ୍କୁ ଅତି ସହଜରେ ବିଜୟୀ କରି ପାରୁଥିଲା। ଆସନ୍ତା ୩୧ ତାରିଖ ଦିନ ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ କେଉଁ ଦଳ କେତେ ଭୋଟ ପାଇବ ତାକୁ ନେଇ ନାନା ତର୍କ ବିତର୍କ ଜାରି ରହିଛି। ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବ ବୋଲି ମନ୍ତ୍ରୀ ନବ ଦାସ ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ତାର ପାରମ୍ପରିକ ଭୋଟ ପାଇବା ନିଶ୍ଚିତ ବୋଲି ମଧ୍ୟ ଅନେକେ ମତବ୍ୟକ୍ତ କରିଛନ୍ତି। ବିଜେପି ଓ ବିଜେଡି ଏହି ନିର୍ବାଚନ ମଣ୍ଡଳୀରେ ଯଦିଓ ସେଭଳି ଭୋଟ୍‌ ବ୍ୟାଙ୍କ କରି ନଥିଲେ ତେବେ ୨୦୧୪ ରେ ବିଜେପିର ରାଧାରାଣୀ ପଣ୍ଡା ଓ ୨୦୧୯ରେ ବିଜେଡିର ସ୍ବର୍ଗତ କିଶୋର ମହାନ୍ତି ବିଜୟୀ ହୋଇଥିବାରୁ ଏହି ଉଭୟ ଦଳ ମଧ୍ୟ ତାଙ୍କର କିଛି କିଛି ଭୋଟ୍‌ ବ୍ୟାଙ୍କ ସୃଷ୍ଟି କରିବାରେ ସଫଳ ହୋଇଥିବା କୁହାଯାଉଛି।

ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨,୧୪,୮୭୮ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୩୩ ଜଣ ନୂଆ ଭୋଟର ସାମିଲ ହୋଇଥିବା ବେଳେ ୮୦ ବର୍ଷରୁ ଅଧିକ ବୟସ ଥିବା ଭୋଟରଙ୍କ ସଂଖ୍ୟା ହେଉଛି ୧୬୨୮। ଅତୀତରେ ପ୍ରସନ୍ନ ପଣ୍ଡାଙ୍କ ଭୋଟ ବ୍ୟାଙ୍କ ହାତେଇବା ଅନ୍ୟଦଳ ପାଇଁ କାଠିକର ପାଠ ଥିଲା। ସେହିପରି କଂଗ୍ରେସ ଭୋଟବ୍ୟାଙ୍କ ମଧ୍ୟ ହାଇଜାକ୍‌ କରିବା ଏତେ ସହଜ ନଥିଲା। ତେବେ ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ପରେ ୧୯୯୮ରେ ଯେଉଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ସିପିଆଇ ଦଳ ଭଲ ପ୍ରଦର୍ଶନ କରି ପାରି ନଥିଲା। ଯେଉଁ ନେତାଙ୍କୁ ଲୋକେ ପୂଜା କରୁଥିଲେ ଓ ଅତି ଭଲ ପାଉଥିଲେ ତାଙ୍କ ବିୟୋଗ ପରେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଲୋକ‌େ ଭୋଟ୍‌ ନଦେଇ କଂଗ୍ରେସ ପ୍ରାର୍ଥୀ କେଶବ ସାହୁଙ୍କୁ ବିଜୟୀ କରିଥିଲେ। ସେହି ଉପନିର୍ବାଚନରେ ବିଜେଡି ଟିକେଟରେ ଛିଢ଼ା ହୋଇଥିବା ରାଧାରାଣୀ ପଣ୍ଡା ଦ୍ବିତୀୟ ଓ କମ୍ୟୁନିଷ୍ଟ ପ୍ରାର୍ଥୀ ମହମ୍ମଦ ଜାକିରୁଲ୍ଲା ତୃତୀୟ ସ୍ଥାନକୁ ଆସି ଯାଇଥିଲେ। ସେହି ନିର୍ବାଚନରେ ଅନୁକମ୍ପା ଭୋଟ୍‌ ଯଦି ହୋଇଥା’ନ୍ତା ତାହା ନିଶ୍ଚିତ ସିପିଆଇକୁ ଯାଇଥା’ନ୍ତା, କିନ୍ତୁ ସେପରି କିଛି ହେଲାନାହିଁ। ସେହି ସମୟରେ ରାଜ୍ୟରେ କଂଗ୍ରେସ ସରକାର ଥିବାରୁ ଉପନିର୍ବାଚନକୁ ଜିତିବା କଂଗ୍ରେସ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ  କଂଗ୍ରେସ ଅନେକ ପରିଶ୍ରମ କରିଥିଲା।

ତଥାପି କଂଗ୍ରେସ ମାତ୍ର ୫୨୨ ଭୋଟରେ ବିଜୟୀ ହୋଇ ତାର ଭୋଟବ୍ୟାଙ୍କକୁ ବଜାୟ ରଖିଥିଲା। ଏହା ପରେ ୨୦୦୦ ମସିହାରୁ ଅନୁପ ସାଏ ଲଗାତାର କଂଗ୍ରେସ ଦଳରୁ ଏହି ଆସନରୁ ତିନିଥର ବିଜୟୀ ହୋଇଥିଲେ। ବିଜେପିର ସୁରେଶ ପୂଜାରୀ ଏହି ଆସନରେ ତିନିଥର ଅନୁପଙ୍କଠାରୁ ପରାଜିତ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୦୦ ମସିହା ନିର୍ବାଚନରେ ଅନୁପ ବାବୁ  ୧୦,୦୨୨ ଭୋଟରେ ବିଜୟୀ ହୋଇଥିବା ବେଳେ ୨୦୦୪ ନିର୍ବାଚନରେ ୧୧୪୬ ଓ  ୨୦୦୯ ନିର୍ବାଚନରେ  ୧୭୪୨ ଭୋଟରେ ବିଜୟୀ ହୋଇଥିଲେ। ଉଭୟ ସୁରେଶ ଓ ଅନୁପଙ୍କ ଏକ ସ୍ଥିର ଭୋଟ୍‌ବ୍ୟାଙ୍କ ଥିବା ଏହି ନିର୍ବାଚନଗୁଡ଼ିକରୁ ସ୍ପଷ୍ଟ ହେଉଥିବା ବେଳେ ୨୦୧୪ ରେ ରାଧାରାଣୀ ପଣ୍ଡା ୫୦,୭୩୬  ହଜାର ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡିରେ  ଛିଡ଼ା ହୋଇ ଅନୁପ ୪୩୯୪୬ ଭୋଟ ପାଇ ପରାଜିତ ହୋଇଥିଲେ। ୨୦୧୯ ମସିହାରେ ଅନୁପ ବିଜେଡି ଟିକେଟ ପାଇ ନଥିବା ବେଳେ କଂଗ୍ରେସ ଦଳ କାହାକୁ ପ୍ରାର୍ଥୀ ଦେଇ ନଥିଲା। ଫଳରେ ଅନୁପଙ୍କ ଭୋଟ୍‌ ବ୍ୟାଙ୍କ ଉଭୟ ଦଳ ବିଜେପି ଓ ବିଜେଡି ମଧ୍ୟରେ ବାଣ୍ଟି ହୋଇ ଯାଇଥିବା କୁହାଯାଇଥିଲା। ଏହି ଉପନିର୍ବାଚନରେ କଂଗ୍ରେସ ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଥିବାରୁ  କଂଗ୍ରେସର ପାରମ୍ପରିକ ଭୋଟ ତାଙ୍କ ସପକ୍ଷରେ ଯିବ ବୋଲି କୁହାଯାଉଥିଲା। ହେଲେ ଚଳିତ ନିର୍ବାଚନରେ ଅନୁପଙ୍କ ଭୋଟ୍‌ବ୍ୟାଙ୍କ ଏବେ କେଉଁ ଦଳକୁ ଯିବ ତାକୁ ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର