ଗୋବିନ୍ଦର ଏତେ ସାହସ ଆସିଲା କେଉଁଠୁ?

ଭୁବନେଶ୍ୱର : ଅକ୍ଟୋବର ୬ ତାରିଖରେ ନିର୍ମାଣାଧୀନ ଷ୍ଟାଡିୟମରେ ଗାତ ଖୋଳାଗଲା। ୮ ତାରିଖ ଦିନ ଦି’ ପହରରେ ନିଜ କାର ଭିତରେ ମମିତା ମେହେରଙ୍କୁ ପୂର୍ବ ଯୋଜନା ଅନୁଯାୟୀ ଏକାକୀ ହତ୍ୟା କଲା। କିଛି ସହଯୋଗୀଙ୍କୁ ଧରି ଷ୍ଟାଡିୟମକୁ ଆଣି ଖୋଳାଯାଇଥିବା ସ୍ଥାନରେ ମମିତାଙ୍କୁ ପୋଡ଼ିଲା ଏବଂ ପୋତିଲା। ଆଉ ସବୁ ପ୍ରମାଣକୁ ନଷ୍ଟ କରିଦେଇ ଏମିତି ବୁଲିଲା, ଯେମିତି କିଛି ବି ଘଟିନାହିଁ।

ଜଣେ ପେସାଦାର ଅପରାଧୀ ଭଳି ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଏଭଳି କାରନାମା ଯେ କୌଣସି ବ୍ୟକ୍ତିଙ୍କୁ ଆଚମ୍ବିତ କରୁଛି। ଘଟଣା ସଂପର୍କରେ ପୁଲିସର ପ୍ରାଥମିକ ସାମ୍ବାଦିକ ସମ୍ମିଳନୀ ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରୁନି, ବରଂ ଘଟଣାର ଗମ୍ଭୀରତାକୁ ବହୁଗୁଣିତ କରିଛି ଓ ଗୋବିନ୍ଦର ପତିଆରା, ପ୍ରତିଷ୍ଠା ପଛର ଆହୁରି ଅନେକ ହସ୍ତୀ ଲୁଚି ରହିଛନ୍ତି, ସେ ସନ୍ଦେହ ଅଧିକ ଘନୀଭୂତ ହେବାକୁ ଲାଗିଛି।

ହତ୍ୟାକାଣ୍ଡ ସଂପର୍କରେ ପୁଲିସର ସୂଚନା ପରେ ଯେଉଁ କଥା ଉପରେ ମଝିଦାଣ୍ଡରେ ଆଲୋଚନା ଚାଲିଛି, ତାହା ହେଲା ଗୋବିନ୍ଦ କ’ଣ ଜଣେ ପେଶାଦାର ଅପରାଧୀ ନା ତା’ ପଛରେ ଆଉ କାହାର ଅଭୟ ଆଶୀର୍ବାଦ କାରଣରୁ ସେ ଏଭଳି ଦୁଃସାହସିକ ଢଙ୍ଗରେ ଯୋଜନାବଦ୍ଧ ଅପରାଧ ଘଟାଇଲା? ଏହି ପ୍ରସଙ୍ଗଟି ଚର୍ଚ୍ଚାକୁ ଆସିବା ପଛର ଅନ୍ୟ କାରଣ ଦୁଇଟି ହେଲା, ଅଟକ ଠାରୁ ଫେରାର ହେବା ଯାଏ ପାଖପାଖି ୪ ଦିନ ଧରି ପୁଲିସର ସବୁ ପ୍ରଶ୍ନକୁ ଟାଳି ଦେଇଥିବା ଗୋବିନ୍ଦ କ’ଣ ମାତ୍ର କେଇ ଘଣ୍ଟାର ଜେରାରେ ସବୁ ସତ ଉଗାଳି ଦେଲା? ତାକୁ କେମିତି ପୁଲିସ ବାବୁମାନେ ପଚାରୁଥିଲେ କି? ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମାମଲା ରୁଜୁ ନକରି ପୁଲିସ ସବୁ ପ୍ରମାଣକୁ ନଷ୍ଟ କରିଦେବା ଲାଗି ଗୋବିନ୍ଦକୁ ସୁଯୋଗ ଦେଲା କି?

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଘଟଣାର ସବୁଠାରୁ ସମ୍ବେଦନଶୀଳ ଦିଗକୁ ପୁଲିସ ହାତ ମାରିନାହିଁ ବା ସେ ଦିଗରେ ତଦନ୍ତକୁ ଆଗେଇ ନେବା ଲାଗି ସାମାନ୍ୟ ଉଦ୍ୟମ କରୁନାହିଁ। ତାହା ହେଲା- ଅନୈତିକ କାରନାମା ଧରାପଡିବା ଭୟରେ ମମିତାଙ୍କୁ ରାସ୍ତାରୁ ଗୋବିନ୍ଦ ହଟାଇଦେଲା ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ହେଲେ ସେ କାରନାମାଟି କ’ଣ? ତାର ମୂଳ ରହସ୍ୟ କେଉଁଠି ଲୁଚିଛି? ଗୁପ୍ତ କୋଠରି କାଳ୍ପନିକ ନା ଏହି କୋଠରି ଭିତରେ ଶହ ଶହ କାହାଣୀ ଲୁଚି ରହିଛି? ଗୋବିନ୍ଦ ଏହି ଅନୈତିକ କାରବାର ପଛର ଏକମାତ୍ର ହିତାଧିକାରୀ ନା ଏଥିରେ ଆଉ କାହାର ହାତ ରହିଛି?

ଯେଉଁ କଥାଟି ବରିଷ୍ଠ ପୁଲିସ ଅଧିକାରୀମାନେ ସନ୍ଦେହ କଲେଣି ତାହା ହେଲା- ଏହି ଘଟଣାର ତଦନ୍ତକାରୀ ଅଧିକାରୀମାନେ ଯେତେ ଲୋକଙ୍କୁ ଏଯାଏ ସନ୍ଦେହ ପରିସରକୁ ଆଣିଛନ୍ତି, ତା’ ଠାରୁ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଏହି ଘଟଣାରେ ନିଶ୍ଚିତ ଭାବେ ରହିଛି। ଅନ୍ୟଥା ରାସ୍ତା ଉପରେ ଏକୁଟିଆ ଗୋବିନ୍ଦ ୮ ତାରିଖ ଦିନ ମମିତାଙ୍କୁ କେମିତି ହତ୍ୟା କରିଦେଲା? କାର୍ ଭିତରେ ପାଉଜି ଆଦି ମିଳିବା, ସିଟ ଚିରିବା ପରିପ୍ରେକ୍ଷୀରେ ସନ୍ଦେହ ହେଉଛି, ଧସ୍ତାଧସ୍ତି ହୋଇଥାଇପାରେ। ମମିତା ଚିତ୍କାର ବି କରିଥାଇପାରନ୍ତି। ଏ ଡର ବି ଗୋବିନ୍ଦର ନଥିଲା? ସେ ନିଜେ ଗାଡି ଚଳାଉଥିଲା, ନା ଡ୍ରାଇଭର ଥିଲା? ଜଣେ ନିଜେ ଡ୍ରାଇଭିଂ କରୁଥିବା ବେଳେ ପଛସିଟରେ ମାରିବା ଅର୍ଥ, ରାସ୍ତାରେ ଗାଡି ଅଟକିଥିବ। ଏହା କେଇ ସେକେଣ୍ଡର ଘଟଣା ଆଦୌ ନୁହେଁ। ସେପଟେ କଣ ସେହି ସମୟରେ କେହି ଯାଉନଥିଲେ? ଗୋବିନ୍ଦର କଣ ଆଇନ ପ୍ରତି ଆଦୌ ଭୟ ନଥିଲା? ସେ ମମିତାକୁ ହତ୍ୟା କରିବା ପରେ ପୋଡିବା, ପୋତିବା ଯାଏ, କାହା କାହା ସହିତ ଟେଲିଫୋନରେ ବାର୍ତ୍ତାଳାପ କରିଛି, ପୁଲିସ ସେ କଲ୍‌ ରେକର୍ଡ ସଂଗ୍ରହ କରି ସାର୍ବଜନୀନ କରୁନି କାହିଁକି? ଗୋବିନ୍ଦ ପେଶାଦାର ଅପରାଧୀ ନା ଆଉ କାହା ବଳରେ ବଳୀୟାନ୍?

ମାମଲାର ଅନ୍ୟ ଦିଗଟି ବି ସୂଚାଇ ଦେଉଛି ଯେ ଗୋବିନ୍ଦ ସାହୁ ଅତ୍ୟନ୍ତ କରିତକର୍ମା ବ୍ୟକ୍ତି ଥିଲା। ଯୁକ୍ତ ଦୁଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମହାଲିଙ୍ଗ କଲେଜ ଓଡ଼ିଶାରେ ଗୋଟିଏ ସମୟରେ ଚହଳ ପକାଇଥିଲା। ସେ ସମୟରେ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କେନ୍ଦ୍ରରେ ପୁଣି କେମିତି ପରୀକ୍ଷା କରାଗଲା? ସେହିଭଳି ‘ମୋ ସ୍କୁଲ’ ଅଭିଯାନରେ ମହାଲିଙ୍ଗ ହାଇସ୍କୁଲର ପୁରାତନ ଛାତ୍ରମାନେ ପାଖାପାଖି ୬୨ଲକ୍ଷ ଟଙ୍କା ଆଦାୟ କରିଥିଲେ। ନିୟମ ଅନୁସାରେ, ସରକାର ଏହାର ଦୁଇଗୁଣା ଦେଲେ। ହେଲେ କୌତୂହଳର କଥା ହେଲା, ନିଜେ ଗୋବିନ୍ଦ ୬୨ ଲକ୍ଷରୁ ୫୫ଲକ୍ଷ ଟଙ୍କା ଦେଇଥିବା ସୂଚନା ମିଳିଛି। ଏତେ ଅର୍ଥ ସେ ଆଣିଲା କେଉଁଠୁ?

ମିଳୁଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ଭିତରେ ଗୋବିନ୍ଦ ଏତେ କ୍ଷମତାଶାଳୀ ପାଲଟିଯାଇଥିଲା ଯେ ସେ ହିଁ ସ୍ଥାନୀୟ ଅଞ୍ଚଳରେ ସବୁକିଛି ନିଷ୍ପତ୍ତି ନେଉଥିଲା। ବ୍ଲକରେ ତାର ହିଁ ଦବଦବା ଚାଲିଥିଲା। ଆହୁରି ବଡ କଥା ହେଲା, ୨୦୧୯ ମସିହାରୁ ଗୋବିନ୍ଦ କେଳେଙ୍କାରୀ ପ୍ରସଙ୍ଗରେ ଟୁପୁରୁଟାପର ଆରମ୍ଭ ହେଲାଣି। ସେ ସମୟରେ ଗୋଟିଏ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହୋଇଛି। ତା’ ପରେ ବି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସତର୍କ ହେଲେନି? ଗୋବିନ୍ଦ ସହିତ କେଉଁ ସ୍ବାର୍ଥରେ ଘନିଷ୍ଠତା କେମିତି ବଢାଇଲେ? ନିଜର କ୍ୟାବିନେଟ୍ ସହଯୋଗୀମାନଙ୍କୁ ସେ ଏହି କଲେଜକୁ ନେବା ଲାଗି କେମିତି ଉତ୍ସାହିତ କଲେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଭାବମୂର୍ତି ପ୍ରତି କଣ ସେ ଏତେ ବେଫିକର?

ସମ୍ବନ୍ଧିତ ଖବର