ଗଛ ଲଗାଇବା ଦାୟିତ୍ବରେ ଥିଲେ ଅଭୟ ପାଠକ
ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଜୁନରେ ତଥ୍ୟ ଦେଇଥିଲେ
୧୬କୋଟି ଚାରା ଲଗାଯିବା ପାଇଁ ଯୋଜନା ଥିଲା

Advertisment

ଭୁବନେଶ୍ୱର : କୋଟିଏ କି ଦୁଇକୋଟି ନୁହେଁ, ୨୦୨୦-୨୧ ମସିହାରେ ପୂରା ୭୨୬ କୋଟି ଟଙ୍କା କେବଳ ବନୀକରଣରେ ଖର୍ଚ୍ଚ କରିବା ଲାଗି ଆପାତତଃ ଯୋଜନା ହୋଇଥିଲା। ୧୧ଟି ଯୋଜନା ବା କାର୍ଯ୍ୟକ୍ରମରେ ଏ ବାବଦ ଅର୍ଥ ବରାଦ କରିଥିଲେ ରାଜ୍ୟ ସରକାର। ହେଲେ ଏ ଟଙ୍କା କେଉଁଠି ଖର୍ଚ୍ଚ ହେଲା? କେତେ ଗଛ ଲାଗିଛି? କେତେ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଏଯାଏ ବିଭାଗକୁ ମିଳିସାରିଲେଣି?

ରାଜ୍ୟରେ ବନୀକରଣ ଦାୟିତ୍ବରେ ଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ଓ ତାଙ୍କ ନିକଟରେ ଥିବା କୋଟି କୋଟି ଟଙ୍କାର ସଂପତ୍ତି ଜବତ ହେବା ପରେ ଏବେ ଏଭଳି କିଛି ପ୍ରଶ୍ନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ପାଠକ କେଉଁ ସୂତ୍ରରୁ ଏତେ ଅର୍ଥର ଅଧିକାରୀ ହେଲେ, କିଭଳି ରାଜକୀୟ ଜୀବନ ଜିଉଁଥିଲେ, ତାକୁ ନେଇ ସାଧାରଣରେ ଯେତିକି ଉତ୍ସୁକତା ପ୍ରକାଶ ପାଉଛି, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟକଳାପ ସେତିକି ସନ୍ଦେହ ପରିସରକୁ ଆସିବାରେ ଲାଗିଛି। ଶ୍ରୀ ପାଠକ ବନୀକରଣ ଯୋଜନାରେ ଆଉ ବଡ଼ କେଳେଙ୍କାରୀ କରିନାହାନ୍ତି ତ? ଏମିତି ପ୍ରଶ୍ନ ମଧ୍ୟ ଏବେ ଆନ୍ଦୋଳିତ କଲାଣି।

କୌତୂହଳ କଥା ହେଉଛି, ଗତ ଜୁନ୍ ୩୦ ତାରିଖରେ ନିଜେ ଶ୍ରୀ ପାଠକ ଗୋଟିଏ ଚିଠି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦେଇଥିଲେ। ମନ୍ତ୍ରୀ ବା ତାଙ୍କ କାର୍ଯ୍ୟାଳୟ ବନୀକରଣ ସଂପର୍କରେ ଜାଣିବାକୁ ଚାହିଁଥିବା ପରିପ୍ରେକ୍ଷୀରେ ଏହି ତଥ୍ୟ ଶ୍ରୀ ପାଠକ ଦେଇଥିଲେ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଇ-ମେଲ୍ ଯୋଗେ ଦିଆଯାଇଥିବା ଏହି ତଥ୍ୟ କିନ୍ତୁ ବନୀକରଣ ପ୍ରକ୍ରିୟାକୁ ନେଇ ଲୋକଙ୍କ ସନ୍ଦେହକୁ ବହୁଗୁଣିତ କରିବା ପାଇଁ ଯଥେଷ୍ଟ। ଏଥିରେ କୁହାଯାଇଛି ଯେ ଏବର୍ଷ (୨୦୨୦-୨୧) ୧ଲକ୍ଷ ୩୦ ହଜାର ୨୭୦ ହେକ୍ଟର ଅଞ୍ଚଳରେ ବନୀକରଣ ଲାଗି ଲକ୍ଷ୍ୟ ରଖାଯାଇଥିଲା। ଯୋଜନା େହାଇଥିଲା ୬କୋଟି ୩୨ଲକ୍ଷ ୯୧ହଜାର ଚାରା ବିଭାଗ ବିଭିନ୍ନ ସଂସ୍ଥା ଜରିଆରେ ଲଗାଯିବ। ୯କୋଟି ୯୦ଲକ୍ଷ ୫୦ ହଜାର ଚାରା ବଣ୍ଟାଯିବ। ଏହିଭଳି ମୋଟ ୧୬ କୋଟି ୨୩ଲକ୍ଷ ୪୧ ହଜାର ଚାରା ସୃଷ୍ଟି ହେବ। ସମୁଦାୟ ବଜେଟ୍ ୭୨୬ କୋଟି ଟଙ୍କା ଅଟକଳ କରାଯାଇଥିଲା। ଏହି ତଥ୍ୟ ଅନୁସାରେ, ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ ଜରିଆରେ ୫୩ କୋଟି, ଜାତୀୟ ବନୀକରଣ ଯୋଜନାରେ ୨୨କୋଟି, ଗ୍ରିନ୍ ଇଣ୍ଡିଆ ମିସନ୍ ଜରିଆରେ ୨୬ କୋଟି, ସବୁଜ ବଳୟ ବୃଦ୍ଧି କାର୍ଯ୍ୟକ୍ରମରେ ୩୯କୋଟି, ଗ୍ରିନ୍ ମହାନଦୀ ମିସନ ଯୋଜନାରେ ୩୧କୋଟି, କାମ୍ପା ଯୋଜନା ଜରିଆରେ ୧୬୧ କୋଟି ଟଙ୍କା ବରାଦ କରାଯାଇଥିଲା। କେବଳ ସେତିକି ନୁହେଁ, ଡିଏମ୍୍ଏଫ୍‌ରେ ୬୨କୋଟି, ଓଏମ୍‌ସି ଜରିଆରେ ୮ କୋଟି, ଓଡ଼ିଶା ପରିବେଶ ପରିଚାଳନା ପାଣ୍ଠି ଯୋଜନାରେ ୧୩କୋଟି, ଓମ୍‌ବାଡ଼୍‌ସି ଜରିଆରେ ୨୬ କୋଟି ବୃକ୍ଷରୋପଣ ପାଇଁ ସରକାର ବରାଦ କରିଥିଲେ। ସବୁଠାରୁ ଅଧିକ ଅର୍ଥ ଦେଇଥିଲେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ବା ମନରେଗାରେ। ୨୮୫ କୋଟି ଟଙ୍କା ବ୍ୟୟ କରିବା ଲାଗି ଖସଡ଼ା ପ୍ରସ୍ତୁତ ହୋଇଥିଲା। ରାଜ୍ୟ ସରକାର କୋଭିଡ୍ ପରିପ୍ରେକ୍ଷୀରେ ମନରେଗା କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଥିବା ପରିପ୍ରେକ୍ଷୀରେ ଏହି ସଂଖ୍ୟା ବଢ଼ିଥାଇପାରେ।

ହେଲେ ଯେଉଁ କଥାଟି ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି ତାହା ହେଲା, ହଠାତ୍ ଜୁନ୍ ମାସରେ ଏହି ତଥ୍ୟ ମନ୍ତ୍ରୀ ମାଗିଥିଲେ କାହିଁକି? ଏହା ପାଇବା ପରେ କେତେଥର ଶ୍ରୀ ଆରୁଖ ବନୀକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଏବଂ କେତେଥର ସରଜମିନ୍ ତଦନ୍ତ କରିଛନ୍ତି? ସର୍ବୋପରି ଏହି ଗୋଟିଏ ବର୍ଷର ବନୀକରଣ ବ୍ୟୟବରାଦ ଯଦି ଏତେ, ଗତ ତିନି ଚାରିବର୍ଷ ଭିତରେ ଏ ବାବଦରେ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କେଉଁ କେଉଁ ସ୍ଥାନରେ ବନୀକରଣ ହୋଇଥିଲା, କେତେ ଗଛ ବଞ୍ଚିଛି ଏସବୁକୁ ମଧ୍ୟ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯିବା ଏବେ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି।

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନଙ୍କର କହିବା କଥା ଯେ ଗତ କିଛି ବର୍ଷ ଭିତରେ ଯେତେ ଅଞ୍ଚଳରେ ବନୀକରଣ ପାଇଁ କୁହାଯାଇଛି ତାହାକୁ ଯଦି ବିଚାରକୁ ନିଆଯିବ, ତେବେ ଓଡ଼ିଶା ଜଙ୍ଗଲମୟ ହୋଇଯିବା କଥା। ବାସ୍ତବ କଥା ହେଲା, ଏତେ ସଂଖ୍ୟକ ଚାରା ଉତ୍ପାଦନ ପାଇଁ ଓଡ଼ିଶାର କ୍ଷମତା ଅଛି ନା ନାହିଁ? କେଉଁ କେଉଁ ସଂସ୍ଥା ଏସବୁ ଚାରା ଉତ୍ପାଦନ କରୁଛନ୍ତି, କେତେ ଚାରା ରାଜ୍ୟ ବାହାରୁ ଆସୁଛି, କେତେ ଗଛ ବଞ୍ଚୁଛି, ଏସବୁର ଅଡିଟ୍ ହେବା କଥା। ନା ସିଏଜି ନିଜଆଡୁ ଅଡିଟ୍ କରୁଛନ୍ତି ନା ବିଭାଗ କେବେ ତୃତୀୟପକ୍ଷଙ୍କୁ ନିଯୁକ୍ତି କରି ଅଡିଟ୍ କରାଉଛି। ବନୀକରଣ ପ୍ରକ୍ରିୟାରେ ଗୋଟିଏ ଋତୁ ଗଲା ପରେ ଚାରା ମରିଯିବା, ଚାରା ଗାଈ, ଛେଳି ଖାଇଯିବା ଓ ଲୋକଙ୍କ ବଣ୍ଟାଯିବା ଆଳରେ ଏକ ବଡ଼ ଧରଣର କେଳେଙ୍କାରୀ ଲୁଚି ରହିଛି।

ସୂଚନାଯୋଗ୍ୟ ଯେ ଲୋକାୟୁକ୍ତଙ୍କ ନିକଟରେ ବନୀକରଣ କେଳେଙ୍କାରୀ ଅଭିଯୋଗ ହୋଇଛି। ଗଛଲଗାରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗରେ ନିଜେ ଲୋକାୟୁକ୍ତ ସନ୍ଦେହ ବ୍ୟକ୍ତ କରି ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି।