ଭୁବନେଶ୍ବର: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତିନିଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଲେ, ସରକାର କିଛି ପ୍ରତିଶ୍ରୁତି ରକ୍ଷା କରୁ ନାହାନ୍ତି। ଲୋକପାଳ, ହାଇକୋର୍ଟ, ସୁପ୍ରିମକୋର୍ଟ କାହା କଥା ଶୁଣୁ ନାହାନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ। ସେହି ପ୍ରତିଶ୍ରୁତି କୁଆଡ଼େ ଗଲା? ଗୋଟିଏ ନୂଆ ଜିଲ୍ଲା ଗଠନ କରିବାକୁ ହେଲେ କ୍ୟାବିନେଟ୍ ସବ୍-କମିଟି ଗଠନ କରି ପ୍ରକ୍ରିୟା ଆରମ୍ଭ ହୁଏ। କିନ୍ତୁ ତାହା ଏ ପର୍ଯ୍ୟନ୍ତ ହୋଇ ନାହିଁ। ସରକାର ପଦ୍ମପୁରବାସୀଙ୍କୁ ଧୋକ୍କା ଦେଇଛନ୍ତି, ସେମାନଙ୍କ ସହ ବେଇମାନି କରିଛନ୍ତି।

Advertisment

ଶ୍ରୀ ମିଶ୍ର କହିଥିଲେ, ଝାରସୁଗୁଡ଼ା ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଯେ ଅଘରିଆ ସମାଜ ପାଇଁ ଭୁବନେଶ୍ବରରେ ଜମି ଓ ୩ କୋଟି ଟଙ୍କା ଦିଆଯିବ। କିନ୍ତୁ ନିର୍ବାଚନ ଜିତିଗଲା ପରେ ସେହି ପ୍ରତିଶ୍ରୁତି ଭୁଲିଗଲେ। ଭୁବନେଶ୍ବରରେ ଏକ ଛୋଟ ଅନୁଷ୍ଠାନକୁ ଅଘରିଆ ସମାଜ ନାଁରେ ଜମି ଦେବା ପାଇଁ ଉଦ୍ୟମ ଚାଲିଛି। ସେହି ଅନୁଷ୍ଠାନରେ ମୁଖ୍ୟମନ୍ତ୍ରୀଙ୍କର ଜଣେ ସୁରକ୍ଷା କର୍ମୀ ସଦସ୍ୟ ଅଛନ୍ତି। ଏହାକୁ ନେଇ ପଶ୍ଚିମ ଓଡ଼ିଶାର ଅଘରିଆ ସମାଜ ଅସନ୍ତୋଷ ପ୍ରକାଶ କରିଛି।

ବେଦାନ୍ତ ପ୍ରସଙ୍ଗ ଉଠାଇ ସେ କହିଥିଲେ, ବେଦାନ୍ତ ପାଇଁ ସରକାର ପୁରୀରେ ବେଆଇନ ଭାବେ ଜମି ଅଧିଗ୍ରହଣ କରିଥିଲେ। ଏ ସଂକ୍ରାନ୍ତ ମାମଲା ହାଇକୋର୍ଟକୁ ଗଲା। ଜମି ମାଲିକଙ୍କୁ ତୁରନ୍ତ ଜମି ଫେରାଇଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ। ମାମଲା ସୁପ୍ରିମକୋର୍ଟକୁ ଗଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସରକାର ଜମି ଫେରାଉ ନାହାନ୍ତି। ସରକାର ତୁରନ୍ତ ଜମି ନ ଫେରାଇଲେ କୋର୍ଟ ଅବମାନନା ମାମଲା କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ପୁରୀର ଶ୍ରୀମନ୍ଦିରରେ ଚାରି ଦ୍ବାର ଖୋଲାଯାଉ ନ ଥିବାରୁ ଶ୍ରୀ ମିଶ୍ର ଉଦ୍‌ବେଗ ପ୍ରକାଶ କରିଥିଲେ।