ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଗତିବିଧି ଭିନ୍ନ ରୂପ ନେଉଛି। ପଞ୍ଚାୟତ ନିର୍ବାଚନ ପରେ ଏହି ଗତିବିଧି ଏବେ ବଢ଼ି ଯାଇଛି। ଖୋଲା ଆଖିକୁ ବି ଦେଖାଯାଉଛି। ବରପାଲି ଏନ୍ଏସି ନିର୍ବାଚନ ପ୍ରଚାର ବେଳେ ବିଜେଡିର ପ୍ରଚାର ପ୍ରକ୍ରିୟାରେ ଦଳ ଭିତରେ ଥିବା ଫାଟ ବାରି ହେଉଛି। ଏନ୍ଏସି ଅଧ୍ୟକ୍ଷ ଦୌଡ଼ରେ ଦଳ ପକ୍ଷରୁ ପ୍ରଦ୍ୟୁମ୍ନ ତ୍ରିପାଠୀ ମଇଦାନରେ ଅଛନ୍ତି। ପ୍ରଦ୍ୟୁମ୍ନ ଜିଲ୍ଲା ଯୁବ ବିଜେଡିର ସଭାପତି ଦାୟିତ୍ବରେ ମଧ୍ୟ। କିନ୍ତୁ ତାଙ୍କ ପ୍ରଚାର ବେଳେ ସ୍ଥାନୀୟ ବିଧାୟିକା ରୀତା ସାହୁଙ୍କୁ ଦେଖିବାକୁ ମିଳୁନାହିଁ। ପ୍ରଦ୍ୟୁମ୍ନ ନିଜ ପ୍ରଚାର ମଂଗ ନିଜେ ଧରିଛନ୍ତି। କିଛି ଦିନ ହେଲା ମନ୍ତ୍ରୀ ନିରଂଜନ ପୂଜାରୀ ଏବଂ ମନ୍ତ୍ରୀ ସୁଶାନ୍ତ ସିଂହ ବରପାଲି ଆସି ପ୍ରଦ୍ୟୁମ୍ନଙ୍କ ପାଇଁ ପଡ଼ାପଡ଼ା ବୁଲି ପ୍ରଚାର କରିଥିଲେ। କୌଣସି ପ୍ରଚାର ଅଭିଯାନରେ ବିଧାୟିକା ରୀତା ସାହୁଙ୍କୁ ଦେଖିବାକୁ ମିଳିନଥିଲା। କିନ୍ତୁ କାଉନ୍ସିଲର୍ଙ୍କ ପାଇଁ ସେ ବୁଲି ବୁଲି ପ୍ରଚାର କରିଛନ୍ତି।
ସୂଚନା ମୁତାବକ, ରବିବାର ମନ୍ତ୍ରୀ ନିରଂଜନ ପୂଜାରୀ ବରପାଲି ପହଂଚିଥିଲେ। କିଛି ସମୟ ବିଜେଡି କର୍ମୀଙ୍କ ସହ ବସି ଏନ୍ଏସି ନିର୍ବାଚନର ରଣନୀତି ଉପରେ ଆଲୋଚନା କରିଥିଲେ। ଏହାପରେ ପ୍ରଦ୍ୟୁମ୍ନ ଏବଂ ଅନ୍ୟ କର୍ମୀଙ୍କୁ ନେଇ ମନ୍ତ୍ରୀ ଶୀ ପୂଜାରୀ ବରପାଲି ସହରରେ ମାରାଥନ ପ୍ରଚାର କରିଥିଲେ। କିନ୍ତୁ ଦଳୀୟ ସଭା ହେଉ କି ପ୍ରଚାର ହେଉ, ବିଧାୟିକାଙ୍କୁ ଦେଖିବାକୁ ମିଳିନଥିଲା। ଏପରିକି ସୌଜନ୍ୟମୂଳକ ଭାବେ ସେ ମନ୍ତ୍ରୀଙ୍କୁ ବି ଭେଟିବାକୁ କୌଣସି ସ୍ଥାନକୁ ଆସିନଥିଲେ। ଦ୍ବିତୀୟ ଘଟଣା ହେଲା ଗତ ୧୭ ତାରିଖର। ଏହି ଦିନ ବିଜେପୁର ନିର୍ବାଚନମଣ୍ଡଳୀର ଭଲମନ୍ଦ ବୁଝୁଥିବା ମନ୍ତ୍ରୀ ସୁଶାନ୍ତ ସିଂହ ମଧ୍ୟ ବରପାଲିକୁ ଆସିଥିଲେ। ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା କରିବା ପରେ ପ୍ରଚାର ଆରମ୍ଭ କରିଥିଲେ। ବେଶ୍ କେଇ ଘଣ୍ଟା ମନ୍ତ୍ରୀ ଶ୍ରୀ ସିଂହ ବରପାଲିରେ କଟାଇଥିଲେ। ହେଲେ ଏଠାରେ ବି ବିଧାୟିକା ରୀତା ସାହୁଙ୍କ ଉପସ୍ଥିତି ନଥିଲା। କିନ୍ତୁ ସେ ଅନ୍ୟ କାଉନ୍ସିଲର୍ଙ୍କ ପାଇଁ ପ୍ରଚାର କରୁଥିବା ଶୁଣିବାକୁ ମିଳିଛି। ତେଣୁ ଏହି ଦୁଇଟି ଘଟଣା ବିଜେପୁର ରାଜନୀତିର ନୂଆ ସମୀକରଣ ସୃଷ୍ଟି କରିଛି। ଦୁଇ ମନ୍ତ୍ରୀଙ୍କ ଗସ୍ତ ବେଳେ ସ୍ଥାନୀୟ ବିଧାୟିକା ଅନୁପସ୍ଥିତ ରହିବା ଏକ ସଂଯୋଗ ନୁହେଁ ବୋଲି ସମୀକ୍ଷକମାନେ କହୁଛନ୍ତି।
/sambad/media/post_attachments/wp-content/uploads/2022/03/rita-f-300x192.jpg)
ଦିବଂଗତ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ରୀତାଙ୍କୁ ବିଜେଡିରେ ସାମିଲ କରାଇବାରେ ମନ୍ତ୍ରୀ ଶ୍ରୀ ସିଂହଙ୍କ ବଡ଼ ଭୂମିକା ରହିଥିଲା। ଏପରିକି ଉପନିର୍ବାଚନରେ ରୀତାଙ୍କୁ ରେକର୍ଡ ଭୋଟ୍ରେ ବିଜୟୀ କରାଇବାରେ ମଧ୍ୟ ମନ୍ତ୍ରୀ ଶ୍ରୀ ସିଂହ ପରିଶ୍ରମ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ ବରପାଲି ଗସ୍ତ ତଥା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ବିଧାୟିକା ସହଯୋଗ ନକରିବା ଆଶ୍ଚର୍ଯ୍ୟର କଥା। ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେପୁର ନିର୍ବାଚନମଣ୍ଡଳୀର ରାଜନୈତିକ ଦୃଶ୍ୟପଟ୍ଟ ବଦଳିବ ବୋଲି ସମୀକ୍ଷକମାନେ ପୂର୍ବାନୁମାନ କରୁଛନ୍ତି। ଯଦି ଏହା ସତ ହେବ, ତେବେ ଏହି ସଦ୍ୟ ଦୁଇଟି ଘଟଣା ଉକ୍ତ ପୂର୍ବାନୁମାନର ଗୋଟିଏ ଅଂଶ ବୋଲି କୁହାଯାଉଛି।