କୁଆଡ଼େ ଗଲା ୪୩୦୦ କୋଟି? ବର୍ଷେ ପରେ ବି ଫନି ପତିଶ୍ରୁତି ପାଳନ ହେଲାନି

ଶହ ଶହ କ୍ଷତିଗ୍ରସ୍ତଙ୍କୁ ମିଳିନି ଘରଭଙ୍ଗା ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଉଡ଼ାଇଦେଲେ ଅଫିସର

ଭୁବନେଶ୍ବର: ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ୩୧୧୪ କୋଟି ଟଙ୍କାର ବାତ୍ୟା (ଫନି) ସହାୟତା ଦେଲେ। ବୁଲବୁଲ୍ ପାଇଁ କେନ୍ଦ୍ରୀୟ ସହାୟତା ମିଳିଲା ୧୭୯ େକାଟି ଟଙ୍କା। ଏସବୁକୁ ମିଶାଇ ଉଭୟ ବାତ୍ୟା ମୁକାବିଲା କ୍ଷେତ୍ରରେ ପାଖାପାଖି ୪୩୦୦ କୋଟି ଟଙ୍କା ଗତବର୍ଷ ବିଭିନ୍ନ ଜିଲ୍ଲା ପ୍ରଶାସନ ନେଇଥିବା ସୂଚନା ମିଳିଛି। ହେଲେ ଏ ଟଙ୍କା ଗଲା କୁଆଡେ? କେତେ ଖର୍ଚ୍ଚ ହେଲା? କେଉଁ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେଲା? କେତେ ବଳକା ରହିଛି? ଯଦି ଖର୍ଚ୍ଚ ହୋଇଛି, ତେବେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟକୁ ବିନିଯୋଗ ପ୍ରମାଣପତ୍ର ଏଯାଏ ଆସୁନାହିଁ କାହିଁକି?

ଏଭଳି କିଛି ପ୍ରଶ୍ନ ଏବେ କେବଳ ବୁଦ୍ଧିଜୀବୀ ବା ରାଜନୈତିକ ମହଲରେ ନୁହେଁ, ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ମନରେ ବଡ଼ଧରଣର ଅସନ୍ତୋଷ ସୃଷ୍ଟି କଲାଣି। ଏମିତି ଲାଗୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ପ୍ରଶାସନିକ ଅଧିକାରୀ ଅଡ଼ୁଆରେ ପକାଇବା ଲାଗି ଷଡ଼ଯନ୍ତ୍ର ଚଳାଇଛନ୍ତି। ଏକଥା ସରକାରଙ୍କର ମୂୂଳରୁ ଚୂଳ ସମସ୍ତେ ଜାଣିଛନ୍ତି, ହେଲେ ନା କେହି ତନାଘନା କରୁଛନ୍ତି, ନା କାର୍ଯ୍ୟାନୁଷ୍ଠାନ ହେଉଛି ।ପୁରୀ ଜିଲ୍ଲାକୁ କେବଳ ଉଦାହରଣ ନେଲେ, ଏ ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ଆସିଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମେ’ ୩ ଫନି ପରେ ପରେ ଘୋଷଣା କରିଥିଲେ ଯେ ଲୋକଙ୍କୁ ତୁରନ୍ତ ଘରଭଙ୍ଗା ଟଙ୍କା ମିଳିବ। ୯୫ ହଜାର ଟଙ୍କା ଲେଖାଏଁ ପୂରା ଘର ଭାଙ୍ଗିଥିଲେ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ। ଆଜି ଦିନର ତଥ୍ୟ କହୁଛି, ସତ୍ୟବାଦୀ ତହସିଲ ଅଧୀନରେ ବର୍ଷେ ପରେ ଏ ଟଙ୍କା ଶହ ଶହ ଯୋଗ୍ୟ ଲୋକଙ୍କୁ ମିଳିନି। ସରକାର ଗଛଭଙ୍ଗା ସହାୟତା ଦେବା କଥା ବି ଘୋଷଣା କରିଥିଲେ। ଏ କ୍ଷେତ୍ରରେ ବି ସ୍ଥିତି ସେୟା। ଶହ ଶହ ପରିବାର ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଦୁଇମାସ ତଳେ ନିଜେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ବିଭାଗୀୟ ନିର୍ଦେଶକ ଏମ୍ ମୁଥୁକୁମାର ସତ୍ୟବାଦୀ ଉଦ୍ୟାନ ଫାର୍ମ ପରିସରରେ ସମୀକ୍ଷା କରିବାପରେ ପ୍ରତିଶ୍ରୁତି ଦେଇଥିଲେ ଯେ ତୁରନ୍ତ କ୍ଷତିପୂରଣ ସହାୟତା ରାଶି ଦିଆଯିବ। ସେଥିପାଇଁ ଗୋଟିଏ ମାସ କଣ୍ଟ ଦେଇଥିଲେ। ଅନ୍ୟଥା ଅଧିକାରୀ ନିଲମ୍ବିତ ହେବେ। ମାସେ ଯାଇ ଦୁଇମାସ ବିତିଗଲାଣି। ମନ୍ତ୍ରୀ ବି କାର୍ଯ୍ୟାନୁଷ୍ଠାନ ନେବା କଥା ଭୁଲିଯାଇଛନ୍ତି। କାହିଁକି ଲୋକଙ୍କୁ ସହାୟତା ମିଳିପାରୁନାହିଁ? ସେ ନେଇ କାହା ପାଖରେ ଜବାବ ନାହିଁ। ପୁରୀ ଜିଲ୍ଲାପାଳ, ମୁଖ୍ୟଶାସନ ସଚିବ,ସ୍ବତନ୍ତ୍ର ରିଲିଫ୍ କମିସନର ମଧ୍ୟ ଚୁପ୍ ବସିଛନ୍ତି।

ଟଙ୍କା ନେଲେ, ବିନିଯୋଗ ପ୍ରମାଣପତ୍ର ଦେଉନାହାନ୍ତି

ସୂଚନାଯୋଗ୍ୟ ଯେ ମୁଖ୍ୟ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଯାହା ଘୋଷଣା କରନ୍ତି, ତାହା ତତ୍କାଳ କାର୍ଯ୍ୟକାରୀ ହେବାର ଅନେକ ନଜିର ରହିଛି। ଏଣୁ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିଶ୍ରୁତି ଦେଲେ, ଲୋକେ ତାହାକୁ ବିଶ୍ବାସ କରିଥାନ୍ତି। ଏହାର ପ୍ରଭାବ ଏତେ ଅଧିକ ଯେ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ଲୋକେ ଘର ଛାଡିଦେଲେ। ହେଲେ ସେହି ପୁରୀ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଭାଙ୍ଗିବାରେ କେଉଁ କେଉଁ ମାନେ ଲାଗିଛନ୍ତି, ଏକଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୀକ୍ଷା କରୁନି କାହିଁକି? ବୋଲି ପ୍ରଶ୍ନ ଉଠିଲାଣି। କିଛି ଦିନ ଲୋକଙ୍କ ଆକାଉଣ୍ଟ ଅଚଳ କରାଗଲା, ବାରମ୍ବାର ସର୍ଭେ ହେଲା। ଆଗକୁ ବର୍ଷା ଆସୁଛି। ଲୋକେ ସରକାରୀ ସହାୟତା ପାଇବେ ବୋଲି କ’ଣ ଘର ମୁକୁଳା କରି ବସିଥିବେ? ମିଳିଥିବା ତଥ୍ୟ ଅନୁସାରେ, ପୁରୀ ଜିଲ୍ଲା ପ୍ରଶାସନକୁ ୧୩୦୦ କୋଟି ଟଙ୍କା ଦିଆଯାଇଥିଲା। ସେମାନେ ୨୦୦ କୋଟି ଟଙ୍କା ଫେରାଇଛନ୍ତି। ଅର୍ଥାତ୍ ବାକି ୧୧୦୦ କୋଟି ଟଙ୍କା କେଉଁଠି ଖର୍ଚ୍ଚ ହେଲା? ଯଦି ଖର୍ଚ୍ଚ ହୋଇନି, ଏ ଟଙ୍କା କଣ ଜିଲ୍ଲାପାଳଙ୍କ ପାଖରେ ରହିବା ପାଇଁ କେନ୍ଦ୍ର ସରକାର ଦେଇଥିଲେ? ସେହିଭଳି ସେସୁକୁ ପାଖାପାଖି ୭୦୦ କୋଟି ଟଙ୍କା ଦିଆଯାଇଥିଲା। ଏ ଟଙ୍କା କେଉଁ କେଉଁ କାମରେ ଲାଗିଲା, ତାର ବିନିଯୋଗ ପ୍ରମାଣ ପତ୍ର ବି ଆସିନାହିଁ। ଖୋଦ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୦୬ କୋଟି ଟଙ୍କା ନେଇଛି। ଏ ଟଙ୍କା କେଉଁ କେଉଁ ପ୍ରକଳ୍ପରେ ଲାଗିଲା? ତାହାର ମଧ୍ୟ ଉତ୍ତର ନାହିଁ।

ସବୁଠାରୁ ବିଡ଼ମ୍ବନା ହେଲା, ପୁରୀ ଜିଲ୍ଲାରେ ୨ଜଣ ବିଜେପି ବିଧାୟକ ନିର୍ବାଚନ ଜିତିଛନ୍ତି। ନିମାପଡା, କାକଟପୁର ବିଧାୟକ ବିଜେଡିର ଓ ସେମାନେ ଏବେ ରାଜ୍ୟ ସରକାରଙ୍କର ମନ୍ତ୍ରୀ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିବା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଏବେ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଅଛନ୍ତି। ପିପିଲିକୁ ସାତ ସାତ ଥର ବିଧାୟକ ଜିତିଥିବା ପ୍ରଦୀପ ମହାରଥୀ ପ୍ରତିନିଧିତ୍ବ କରୁଛନ୍ତି। ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ବି ଦୁଇଥରିଆ ଲୋକପ୍ରତିନିଧି। ନିମାପଡାରୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ପଦରେ ଥିବା ପ୍ରଭାତୀ ପରିଡା ଲଢୁଥିଲେ। ପୁରୀରୁ ଅଳ୍ପ କେଇ ଭୋଟରେ ହାରିଥିବା ବିଜେଡି ନେତା ମହେଶ୍ବର ମହାନ୍ତିଙ୍କ ପତିଆରା କାହିଁରେ କେତେ। ସାଂସଦ ପିନାକୀ ମିଶ୍ର ଲୋକସଭା ସଂସଦୀୟ ଦଳର ନେତା। ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଏବେ ପୁରୀ କଥା ପ୍ରତ୍ୟକ୍ଷ ଭାବେ ବୁଝୁଛନ୍ତି ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆଉ କେତେ ବଡ଼ ବଡ଼ ଲୋକ ରହିଲେ, ସରକାରଙ୍କ ଘୋଷଣା ଶହେ ପ୍ରତିଶତ କାର୍ଯ୍ୟକାରୀ ହେବ। ଲୋକେ ନ୍ୟାୟ ପାଇବେ, ତାହା ଦେଖିବା କଥା। ଯଦି ପୁରୀ କ୍ଷେତ୍ରରେ ସ୍ଥିିତି ଏୟା, ତେବେ ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଅନ୍ୟ ସହର କଥା କଣ ହୋଇଥିବ, ତାହା ସହଜରେ ଅନୁମେୟ।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ସପ୍ତାହ ବେଳକୁ ଓଡ଼ିଶା ପ୍ରତି ପୁଣି ଏକ ବାତ୍ୟା ଭୟ ଦେଖାଦେଲାଣି। ଆସନ୍ତା ୭ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟା ରୂପ ନିଏ, ତେବେ ଉପକୂଳ ପ୍ରଭାବିତ ହୋଇପାରେ। ଗତବର୍ଷ ଭୀଷଣ ରୂପ ନେଇ ବାତ୍ୟା ‘ଫନି’ ପୁରୀ ଓ ଭୁବନେଶ୍ବରକୁ ଖିନଭିନ୍ କରିଦେଇଥିଲା। ଏକାଧିକ ଜିଲ୍ଲାରେ ପ୍ରଭାବ ପକାଇଥିଲା। ବାତ୍ୟା ବୁଲବୁଲ୍ ଓଡ଼ିଶା ସୀମା ଦେଇ ଘଷି ହୋଇଗଲା ବେଳେ ଭଦ୍ରକ, ବାଲେଶ୍ବର ଆଦିରେ ତାର ପାଦଚିହ୍ନ ଛାଡ଼ିଦେଇଯାଇଥିଲା।

ସମ୍ବନ୍ଧିତ ଖବର