ଭୁବନେଶ୍ବର: ଓଡ଼ିଶାର କୋଟି କୋଟି ଟଙ୍କାର ସଂପତ୍ତି ଗିଳିଦେଲେ ଚିଟ୍‌ଫଣ୍ଡ ମାଲିକ। ସିସୋର୍‌, ଅର୍ଥତତ୍ତ୍ବ ଆଦି ଚିଟ୍‌ଫଣ୍ଡ କଂପାନିର ମାଲିକଙ୍କୁ ବାନ୍ଧି ସିବିଆଇ ଜେଲ୍‌ରେ ପୂରାଇଲା। ରାଜନୈତିକ ଦଳର କିଛି ନେତା ବି ବନ୍ଧାହେଲେ। ହେଲେ ଯେଉଁ କାର୍ପଟଦାରମାନେ ହସ୍ତମୁଦି ମାହଲ ସାଜିଥିଲେ, ସେମାନେ କ’ଣ ଜ୍ବାଇଁ ପୁଅ? କୁଆଡ଼େ ଗଲା ବହୁଚର୍ଚ୍ଚିତ ଶୁଭଙ୍କର ଡାଏରି? କୁଆଡ଼େ ଗଲେ କରିତ୍‌କର୍ମା ଆଇଏଏସ୍ ବାବୁ, ଯେଉଁମାନଙ୍କ ନାମ ଏହି ଡାଏରୀରେ ଥିଲା? କାହିଁକି ଏଯାଏ ସିବିଆଇ ସେମାନଙ୍କୁ ଛୁଇଁ ପାରୁନାହିଁ?

Advertisment

ଯଦି ସେମାନେ ଦୋଷମୁକ୍ତ, ତେବେ ସାର୍ବଜନୀନ କରାଯାଉନି କାହିଁକି? ଯଦି ସେମାନେ ଦୋଷଯୁକ୍ତ, ସେମାନେ ସରକାରର ଉଚ୍ଚ ପଦ ପଦବିରେ ଅଛନ୍ତି କେମିତି? ସରକାରଙ୍କ ଫାଇଲ୍ ଦସ୍ତଖତ କରୁଛନ୍ତି କେମିତି? ଏଭଳି ଦୁର୍ନୀତିଗ୍ରସ୍ତଙ୍କୁ କୋଳରେ ଧରିଥିବା ସରକାର ସ୍ବଚ୍ଛ କେମିତି ହେଲା?

ଗୋଟିଏ ପଟେ ଟଙ୍କା କି ପାହୁଲାଟିଏ ନ ପାଇ ଲକ୍ଷ ଲକ୍ଷ ଲୋକ ଆଜି ବି ଦାଣ୍ଡରେ ସରକାର ବିରୋଧରେ ଯୁଝୁଥିବା ବେଳେ ଅନ୍ୟପଟରେ ଲୋକସେବା ଭବନର ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ହୁକୁମ୍‌ ଚଲାଇଛନ୍ତି ବାବୁ। ସରକାର ବିରୋଧୀ ଅସନ୍ତୋଷ ଦ୍ରୁତ ବେଗରେ ବଢ଼ିବା ସହିତ ଏମିତି ମାଳ ମାଳ ପ୍ରଶ୍ନ ଏବେ ପୁଣି ଥରେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କେବେ ଏମାନଙ୍କ ପାଖରେ ସିବିଆଇ ପହଞ୍ଚିବ? କିଏ ସିବିଆଇକୁ ଅଟକାଇଛି? ସର୍ବୋପରି ରାଜ୍ୟର କେଉଁ ସ୍ବାର୍ଥ ବିନିମୟରେ ଏତେ ବଡ଼ ଦୁର୍ନୀତି ସହିତ ବୁଝାମଣା ହୋଇଛି, ଏସବୁକୁ ନେଇ ଏବେ ପୁଣି ସାଧାରଣରେ ଚର୍ଚ୍ଚା ହେଲାଣି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି କେବଳ ସିସୋର୍‌ କେଳେଙ୍କାରୀ ଉପରେ ନଜର ପକାଯାଉ।

ସେଦିନ ଥିଲା, ୨୦୧୪ ନଭେମ୍ବର ୧୮ ତାରିଖ। ସିସୋର୍‌ କଂପାନି ସହିତ ଯୋଡ଼ି ହୋଇ ରହିଥିବା ଠକଙ୍କୁ ଧରିବା ଲାଗି ଦିଲ୍ଲୀ, ମୁମ୍ବାଇ, ଭୁବନେଶ୍ବର ସମେତ ୧୮ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା। ବିଜୁ ଜନତା ଦଳ ସରକାର କମ୍ପିଲା। ଏଇଥିପାଇଁ ଯେ ସେଦିନ ପ୍ରଶାନ୍ତ ଦାଶଙ୍କ ସହିତ ଆପିକଲ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ହୋତା, ପୂର୍ବତନ କ୍ରୀଡ଼ା ସଚିବ ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଘରେ ସିବିଆଇ ପଶିଥିଲା। କଟକ ପୌରନିଗମର ପୂର୍ବତନ କମିସନର ରବି ନାରାୟଣ ନନ୍ଦଙ୍କ ସଂପର୍କୀୟ ବିଭୂତି ଭୂଷଣ ନନ୍ଦଙ୍କ ଘରେ ବି ସିବିଆଇ ଛାନ୍‌ଭିନ୍ କଲା। ଏମିତି ଅନେକ ସ୍ଥାନରେ ସିବିଆଇ ଅଧିକାରୀମାନେ ମାଳ ମାଳ ହୋଇ ପଶି ସବୁକିଛି ଘାଣ୍ଟି ପକାଇଲେ। ହେଲେ ଖେଳ ବଦଳିଲା, ଯେବେ କରିତକର୍ମା ମଧ୍ୟସ୍ଥ ଶୁଭଙ୍କର ନାୟକ ସିବିଆଇ କବ୍‌ଜାକୁ ଆସିଲା। ବିଭିନ୍ନ ସରକାରୀ ସଂସ୍ଥା ସହିତ ସିସୋର୍ କାରବାର ପାଇଁ କେଉଁ ଅଧିକାରୀ, କେଉଁ ମନ୍ତ୍ରୀଙ୍କୁ ଶୁଭଙ୍କର ଜରିଆରେ ଆପ୍ୟାୟିତ କରି କାମ ହାସଲ କରାଯାଇଥିଲା, ତାହା ସାମ୍ନାକୁ ଆସିଲା। ଓଡ଼ିଶା ପଡ଼ିଲା, ଉଠିଲା।

ସିବିଆଇ ଖୋଳତାଡ଼ରୁ ସେବେ ଜଣାପଡ଼ିଲା ଯେ ଆଇଏଏସ୍, ଆଇପିଏସ୍ ଅଫିସରଙ୍କୁ ସିସୋର୍ ଟଙ୍କା ଦେଉଥିଲା। ସାଂସଦ, ବିଧାୟକଙ୍କ ନାମ ବି ଏହି ତାଲିକାରେ ଥିଲା। ସଚିବ, ଡିଆଇଜି, ଏସ୍‌ପି, ଜିଲ୍ଲାପାଳମାନଙ୍କ ମଧ୍ୟରୁ କାହାକୁ କେତେ ଟଙ୍କା ଯାଉଥିଲା, ସେ ତାଲିକା ଶୁଭଙ୍କର ଡାଏରି ଜରିଆରେ ଗଣମାଧ୍ୟମ ଶିରୋନାମା ଛୁଇଁଲା। ନେତାମାନଙ୍କୁ ସିନା ସିବିଆଇ ବାବୁ ବାନ୍ଧି ହଲାପଟା କଲେ, କିନ୍ତୁ ଏହି ଡାଏରିକୁ ସିବିଆଇ ଏବେ ମାଡ଼ି ବସିଛି।
ଶୁଭଙ୍କର ଘରୁ ମିଳିଥିବା କେତେକ ଲଫାଫାରେ ସିସୋର୍ ସିକ୍ୟୁରିଟି ଏବଂ ସିସୋର୍ ମଲ୍‌ଟି ପର୍‌ପୋଜ୍ କୋ-ଅପରିଟିଭ୍ ଲିମିଟେଡ୍‌ର କାଗଜପତ୍ର ଥିଲା। ଏଥିରେ ଅନୁ ଗର୍ଗଙ୍କୁ ଟଙ୍କା ଦିଆଯାଇଥିବା ଲେଖାଯାଇଛି। ହେଲେ କିଏ ଏଇ ଅନୁ? ତାଙ୍କ ପାଖରେ ସିବିଆଇ ପହଞ୍ଚିଲାଣି ନା ନାହିଁ? ଆଉ କେତେ ଦିନ ସିବିଆଇ ତାଙ୍କୁ ଘଣ୍ଟ ଘୋଡ଼ାଇବ?

ଆଉ କିଛି କାଗଜପତ୍ରରେ କେଉଁ ଆଇପିଏସ୍ ଅଫିସରଙ୍କୁ କେତେ ଅଗ୍ରୀମ ଟଙ୍କା ଦିଆଯାଇଥିଲା, ତାର ହିସାବ ଲେଖାଯାଇଥିଲା। ଏଥିରେ ତତ୍କାଳୀନ ସମ୍ବଲପୁର ରେଂଜ ଡିଆଇଜି ରାଜେଶ କୁମାର ଏବଂ ଢେଙ୍କାନାଳ ଏସ୍‌ପିଙ୍କ କଥା ଲେଖାଯାଇଥିଲା। ଆଇପିଏସ୍‌ ରାଜେଶ କୁମାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦାୟିତ୍ବରେ ଥିଲେ। ସିସୋର୍‌ ତଦନ୍ତକୁ ସେବେ ସେ ନିଜେ ତଦାରଖ କରୁଥିଲେ। ସିବିଆଇ ଏ କ୍ଷେତ୍ରରେ କ’ଣ କଲା?

୨୦୧୨ ମସିହାର ଏକ ଡାଏରିରେ କେନ୍ଦୁଝର ଏସ୍‌ପି, ସମ୍ବଲପୁର ଜିଲ୍ଲାପାଳ, ସୁନ୍ଦରଗଡ଼ ଏସ୍‌ପି, ବାଲେଶ୍ବର ଏସ୍‌ପିଙ୍କୁ ସିସୋର୍ କଂପାନି ଟଙ୍କା ଦେଇଥିବା ଦର୍ଶାଯାଇଥିଲା। ହେଲେ ଜବତ ତାଲିକାରେ ଏମାନଙ୍କ ନାମ ନ ଥିଲା ଏବଂ କେଉଁ ମସିହାରେ ଦିଆଯାଇଥିଲା, ତାହା ଉଲ୍ଲେଖ କରାଯାଇନଥିଲା। ଏମାନଙ୍କ ପାଖେ ସିବିଆଇ ପହଞ୍ଚିଲା କି? ବାବୁ ବୋଲି କଣ ମାଫ୍? ନା ଆଉ କେଉଁ ବିନିମୟରେ ସିବିଆଇ ତଦନ୍ତ ଶିଥିଳ ପଡ଼ିଗଲା?

ଶୁଭଙ୍କରଙ୍କ ପାଖରୁ ୨୦୦୯ ମସିହାର ଆଉ ଗୋଟିଏ ଡାଏରି ମିଳିଥିଲା। ଏଥିରେ ଅନେକ ଆଇଏଏସ୍, ଆଇପିଏସ୍‌, ଏମ୍‌ଏଲ୍‌ଏ ଓ ଏମ୍‌ପିଙ୍କ ନାମ ଲେଖାଯାଇଥିଲା। ଏମାନେ ସବୁ କିଏ?

ଭୁବନେଶ୍ବର କୋ-ଅପରେଟିଭ୍ ନାମକ ଏକ ଡାଏରିରେ ସାହୁ ବାବୁ, ସତ୍ୟ ମିଶ୍ର, ପଞ୍ଚାୟତିରାଜ ବିଭାଗର ଜୁନିଅର ଇଞ୍ଜିନିୟର, ମାଡାମ୍, ଜିତୁ ଭାଇଙ୍କ ନାମ ରହିଥିଲା। ଏମାନଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯାଇଥିଲା। ଅନ୍ୟ ଏକ ଡାଏରିରେ ଅଙ୍କିତା ବେହେରା ଲେଖାଯାଇଥିଲା ଓ ତାଙ୍କ ଠାରୁ ଟଙ୍କା ଯାଇଥିଲା ବିଭିନ୍ନ ଆକାଉଣ୍ଟକୁ।

ଆଉ କେତେ ଦିନ ସିବିଆଇ ଏହି ଡାଏରିକୁ ମାଡ଼ି ବସିବ? କୁଆଡ଼େ ଗଲେ ସିବିଆଇ କେ​ଳେଙ୍କାରୀର ଅସଲ କାର୍ପଟଦାର?
ରାଜ୍ୟ ରାଜନୀତିରେ ବିଜେଡି-ବିଜେପି ତୁ ତୁ ମେଁ ମେଁ ହେଉଛନ୍ତି। ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ବିରୋଧରେ ବି ବିଜେପି ନେତାମାନେ ଅନେକ ଥର ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାରଙ୍କ ଅଫିସରଙ୍କ ବିରୋଧରେ ବି। ହେଲେ କେନ୍ଦ୍ର ସରକାରଙ୍କ ସିବିଆଇ ହାତ କିଏ, କାହିଁକି ବାନ୍ଧିଛି? ରାଜ୍ୟ ବିଜେପି ନେତାମାନେ ଚୁପ୍ କାହିଁକି? ଏହି ତଦନ୍ତକୁ ନିର୍ଣ୍ଣାୟକ ମୋଡ଼ ଦେବା ଲାଗି ସିବିଆଇ ଆଉ କେତେ ସମୟ ନେବ?