ମିଲରଙ୍କ ଗୋଦାମରେ ଏତେ ଧାନ ଆସିଲା କେଉଁଠୁ? ଯାଜପୁରରେ ୫ଜଣିଆ ଟିମ୍‌ର ତଦନ୍ତ

ଯାଜପୁର/ଟାଉନ/ସଦର : ଯାଜପୁର ଜିଲ୍ଲାର ହଜାର ହଜାର ଧାନଚାଷୀ ଏବେ ସୁଦ୍ଧା ଧାନ ବିକି ପାରିନଥିବା ଅଭିଯୋଗ ହୋଇଆସୁଥିଲା। ଏହି ଅଭିଯୋଗକୁ ଭିତ୍ତିକରି ରାଜ୍ୟ ଖାଦ୍ୟ ଯୋଗାଣ କମିସନଙ୍କ ନିର୍ଦ୍ଦେଶ ବଳରେ ୫ଜଣିଆ ଟିମ୍ ଗତ ୩ଦିନ ଧରି ଜିଲ୍ଲାର ବିଭିନ୍ନ ବ୍ଲକ୍ ପରିଦର୍ଶନ କରିବା ସହିତ ତଦନ୍ତ କରି ଫେରିଯାଇଛନ୍ତି। ତେବେ, ତଦନ୍ତ ରିପୋର୍ଟ ଏହି ସମସ୍ୟାର ସମାଧାନ ଦିଗରେ କିଭଳି ସହାୟକ ହେଉଛି ତାହାକୁ ଚାଷୀ ମହଲରେ ଉତ୍ସୁକତାର ସହ ଅପେକ୍ଷା କରାଯାଇଛି।

ଜିଲ୍ଲାରେ ଚଳିତ ବର୍ଷ ଖୋଲିଥିବା ୧୧୮ପାକ୍ସ ଓ ୩୩ଟି ମହିଳା ଏସଏଚ୍‌ଜି ପକ୍ଷରୁ ଖୋଲିଥିବା ଧାନମଣ୍ଡି ବନ୍ଦ ହୋଇଯାଇଛି। ପଞ୍ଜିକୃତ ୧୦ହଜାର ୯୯୨ଚାଷୀ ଏବେ ସୁଦ୍ଧା ଧାନ ଦେଇପାରିନାହାନ୍ତି ବୋଲି ସରକାରୀ ତଥ୍ୟ କହୁଛି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହିଭଳି ଅଭିଯୋଗକୁ ଭିତ୍ତିକରି ଖାଦ୍ୟ ଯୋଗାଣ ନିଗମ କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ମଲ୍ଲିକ, ରାଜ୍ୟ ମୁଖ୍ୟାଳୟ ସିଏସ୍‌ଓ ବସନ୍ତ ପଣ୍ଡା, ଅନାଦି ଚରଣ ସେଠୀ, ବିକ୍ରମ ମାଝି ଓ ଏସିଏସ୍‌ଓ ଦୁର୍ଗା ପଟ୍ଟନାୟକଙ୍କୁ ନେଇ ଗଠିତ ୫ଜଣିଆ କମିଟି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି।

ଯୋଗାଣ ବିଭାଗ ତଥ୍ୟ ମୁତାବକ ଚଳିତ ବର୍ଷ ମୋଟ ୫୦ହଜାରରୁ ଅଧିକ ଚାଷୀଙ୍କ ନାମ ପ୍ରଥମେ ପଞ୍ଜୀକରଣ ହୋଇଥିଲା। ଜାଲ୍‌ ଚାଷୀ ଅଭିଯୋଗ ପରେ ତନଖିରେ ୫ହଜାରରୁ ଅଧିକ ଚାଷୀ ବାଦ୍‌ ପଡ଼ିବାପରେ ୪୫ହଜାର ୮୨୪ଚା‌ଷୀ ଧାନ ଦେବାକୁ ଚୂଡାନ୍ତ ହୋଇଥିଲା। ସେ ମଧ୍ୟରୁ ୩୪ହଜାର ୮୩୨ଚାଷୀ ୧୪ଲକ୍ଷ ୨୨ହଜାର ୫୮କୁଇଣ୍ଟାଲ ଧାନ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମୋଟ ୧୩ଲକ୍ଷ ୯୨ହଜାର ୯୧କୁଇଣ୍ଟାଲ ଧାନ କ୍ରୟ ହୋଇଥିବାର ଜିଲ୍ଲା ଯୋଗାଣ ବିଭାଗର ତଥ୍ୟ କହୁଛି। ଏହାବାଦ୍‌ ୧୦ହଜାର ୯୯୨ଜଣ ଚାଷୀ ଧାନ ଦେଇପାରି ନାହାନ୍ତି। ଏପରିକି ଅନେକ ଚାଷୀଙ୍କର କୁପନର ସମୟ ସୀମା ଶେଷ ହୋଇଯାଇଛି। ଏହି ବାବଦରେ ପ୍ରାୟ ୨ଲକ୍ଷ ୬୨ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ରହିଯାଇଛି ବୋଲି ସରକାରୀ ତଥ୍ୟରେ କୁହାଯାଉଛି। ଏହି କିମିଟି କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କର ଧାନ ଅବିକ୍ରି ରହିଥିବା ଅନୁଭବ କରିଛି ବୋଲି ‌ବିଶେଷ ସୂତ୍ରରୁ ଜଣାପଡିଛି। କମିଟି ଏ ସଂପର୍କରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।

ପ୍ରକାଶଥାଉକି, ମିଲର ଓ ଦଲାଲଙ୍କ ଅସାଧୁମେଣ୍ଟ ଯୋଗୁଁ ଧାନକିଣା କେଳେଙ୍କାରୀ ହେଉଥିବାର ବାରମ୍ବାର ଅଭିଯୋଗ ସତ୍ତ୍ବେ ଏହି କମିଟି ସେହି ଦିଗ ପ୍ରତି ତଦନ୍ତ ବେଳେ ଧ୍ୟାନ ଦେଇନି। ମିଲ୍‌ ଗୁଡ଼ିକରେ କେତେ ଧାନ କିଣା ଯାଇଛି ତାହାର ତଦନ୍ତ କରାଯାଇ ନାହିଁ। ହଜାର ହଜାର କୁଇଣ୍ଟାଲ ଧାନ କାଗଜପତ୍ରରେ ‌କିଣାଯାଇଛି। ତାହାର ସଠିକ ତଦନ୍ତ କରାଗଲେ ଧାନକିଣା କେଳେଙ୍କାରୀ ଲୋକଲୋଚନକୁ ଆସିବା ସହିତ ଚାଷୀମାନେ ଉପକୃତ ହୋଇପାରିଥାନ୍ତେ। ଏହାସହ କୋଟି କୋଟି ଟଙ୍କା ଚାଉଳ ରିସାଇକ୍ଲିଂ କାରବାର ପର୍ଦ୍ଦାଫାସ ହୋଇପାରନ୍ତା। ଏହା ଉପରେ ଗୁରୁତ୍ବ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର