ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଇଁ ପ୍ରସ୍ତାବିତ ହୋଇଥିଲା ନୂଆ ହେଲିପ୍ୟାଡ୍ ପ୍ରକଳ୍ପ। ପ୍ରାୟ ଦେଢ଼ବର୍ଷ ତଳେ ଅନୁଗୁଳ ଜିଲ୍ଲାରେ ଏହି ପ୍ରକଳ୍ପ ପାଇଁ ପୂର୍ତ୍ତ ବିଭାଗକୁ ସରକାର ଚିଠି ଲେଖିଥିଲେ। ହେଲେ, ଏହି ପ୍ରକଳ୍ପ ପାଇଁ ପୂର୍ତ୍ତ ଓ ରାଜସ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଜିଲ୍ଲାରେ ହେଲିପ୍ୟାଡ୍ କେବେ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଓଡ଼ିଶାର ହୃଦୟ କୁହାଯାଉଥିବା ଅନୁଗୁଳ ଜିଲ୍ଲା ପରିବହନ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଶିଳ୍ପ ହେଉ ଅବା ବାଣିଜ୍ୟ କିମ୍ବା ଖଣି ସବୁ କ୍ଷେତ୍ରରୁ ରାଜ୍ୟ ତଥା ରାଜ୍ୟ ବାହାର ସହିତ ଅନୁଗୁଳ ସଦାସର୍ବଦା ଯୋଡ଼ି ହୋଇରହିଛି। ହେଲେ, ଏହି ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ପାଇଁ ଏକ ହେଲିପ୍ୟାଡ୍ ନାହିଁ। ନିକଟରେ ଜିଲ୍ଲାକୁ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୩ଜଣ କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ଜିଲ୍ଲା ପ୍ରଶାସନକୁ ତତ୍କ୍ଷଣାତ୍ ଦୁଇଟା ଅସ୍ଥାୟୀ ହେଲିପ୍ୟାଡ୍ ବ୍ୟବସ୍ଥା କରିବା ପାଇଁ ପଡ଼ିଆ ଖୋଜିବାକୁ ପଡ଼ିଥିଲା।
ସୂଚନା ଅନୁସାରେ, ଏହି ହେଲିପ୍ୟାଡ୍ର ସ୍ଥାୟୀ ସମାଧାନ ପାଇଁ ପ୍ରାୟ ଦେଢ଼ବର୍ଷ ତଳେ ସରକାର ଅନୁଗୁଳ ପୂର୍ତ୍ତ ବିଭାଗକୁ ଏକ ଚିଠି ଲେଖିଥିଲେ। ଅନୁଗୁଳରେ ଏକ ହେଲିପ୍ୟାଡ୍ ତିଆରି କରିବା ପାଇଁ ଚିଠିରେ ପ୍ରସ୍ତାବ ଦିଆଯାଇଥିଲା। ପୂର୍ତ୍ତ ବିଭାଗ ମଧ୍ୟ ତୁରନ୍ତ ଏନେଇ ରାଜସ୍ବ ବିଭାଗକୁ ଚିଠି ଲେଖିଥିଲା। ହେଲିପ୍ୟାଡ୍ ପାଇଁ ଅନ୍ୟୂନ ୫ରୁ ୭ଏକର ଜାଗା ଦେବାପାଇଁ ସେତେବେଳେ ରାଜସ୍ବ ବିଭାଗକୁ ଅନୁରୋଧ କରାଯାଇଥିଲା। ଚିଠି ଲେଖି ପୂର୍ତ୍ତ ବିଭାଗ ସେବେଠାରୁ ଚୁପ୍ ବସିଥିବା ବେଳେ ରାଜସ୍ବ ବିଭାଗ ବି ଚିଠିକୁ ଚାପି ଦେଇଛି। ସେବେଠାରୁ ନା ଜାଗା ଖୋଜା ହୋଇଛି ନା ପ୍ରକଳ୍ପ ଆଗେଇ ପାରୁଛି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ହରିପାଳ କହିଛନ୍ତି, ‘ମୁଁ ଏବେ ନୂଆ ଆସିଛି। ସରକାର ଯଦି ଚିଠି କରିଥିବେ, ତେବେ ଏ ପ୍ରକଳ୍ପ ପାଇଁ ଆମକୁ ଜାଗା ଦରକାର। ରାଜସ୍ବ ବିଭାଗ ଜାଗା ଦେଲେ ସିନା ଆମେ କରିବୁ ବୋଲି ସେ କହିଛନ୍ତି।’ ଅନ୍ୟପକ୍ଷରେ ଅନୁଗୁଳ ତହସିଲଦାର ବିମଳ ଲେଙ୍କା କହିଛନ୍ତି, ହେଲିପ୍ୟାଡ୍ ପାଇଁ କିଛିଦିନ ତଳେ ଆମ ନିକଟକୁ ଚିଠି ଆସିଥିଲା। ସେଥିପାଇଁ ଶରଧାପୁର ନିକଟରେ ଜାଗା ଦେବାକୁ ଚିନ୍ତା କରାଯାଇଥିଲା। କିନ୍ତୁ, ପୂର୍ତ୍ତ ବିଭାଗ ଏଥିପାଇଁ ଆଗ୍ରହ ଦେଖାଇଲା ନାହିଁ। ତେଣୁ, ଜାଗା ଦିଆଯାଇ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।