ମହାନଦୀ‌ରେ ବ୍ୟାରେଜ୍ କୁଆଡ଼େ ଗଲା? ସରକାରଙ୍କୁ ଉତ୍ତର ମାଗିଲେ ବିରୋଧୀ

ଭୁବନେଶ୍ୱର : ଓଡ଼ିଶା ସରକାର ଛତିଶଗଡ଼କୁ ଖାଲି ଦୋଷ ଠେଲୁଛନ୍ତି। କିନ୍ତୁ ମହାନଦୀ ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରୁନାହାନ୍ତି। ଗୋଟିଏ ବି ବଡ଼ ପ୍ରକଳ୍ପ ଏ ସରକାର ନିର୍ମାଣ କରିପାରିଲେ ନାହିଁ। ୧୦ ବର୍ଷ ତଳେ ନିଜେ ମୁଖ୍ୟମନ୍ତ୍ରୀ ମହାନଦୀରେ ବନ୍ଧ ପକାଇବାକୁ ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହାନଦୀରେ ବ୍ୟାରେଜ୍‌ କୁଆଡ଼େ ଗଲା ବୋଲି ଆଜି ବିଧାନସଭାରେ ବିରୋଧୀ ଦଳ ସଭ୍ୟମାନେ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ସୋମବାର ଅପରାହ୍ନରେ ଜଳସମ୍ପଦ ବିଭାଗର ୯୯୬୩ କୋଟି ୮୦ ଲକ୍ଷ ୯୮ ହଜାର ଟଙ୍କାର ଖର୍ଚ୍ଚଦାବି ପାରିତ ହୋଇଥିଲା। ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟର ସବୁ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଜଳସେଚନ ହୋଇପାରିଲା ନାହିଁ। ସବୁ ବ୍ଲକ୍‌ରେ ୩୫% ଚାଷ ଜମିକୁ ଜଳସେଚନ ପାଇଁ ସରକାର ଯେଉଁ ସ୍ବପ୍ନ ଦେଖାଇଥିଲେ ତାହା ମଧ୍ୟ ପୂରଣ ହୋଇନି। ମହାନୀଦକୁ ଅଣଦେଖା କରାଯାଇପାରିବ ନାହିଁ। ମହାନଦୀ ଶୁଖିଲେ ରାଜ୍ୟରେ ମରୁଡ଼ି ହେବ। ଫଳରେ ଲକ୍ଷାଧିକ ଜୀବନ ମରଣ ମୁହଁଙ୍କୁ ଠେଲି ହୋଇଯିବେ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବିଭିନ୍ନ ବନ୍ଧ ଓ ଆନିକଟ ପକାଇଛନ୍ତି। ଏ ସମ୍ପର୍କରେ ପୂର୍ବରୁ ବିରୋଧୀ ଦଳ ସରକାରଙ୍କୁ ଚେତାଇଥିଲେ ମଧ୍ୟ ପାଣିର ଅଭାବ ହେବ ନାହିଁ ବୋଲି ସରକାର ଦମ୍ଭୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ବି ବ୍ୟାରେଜ ମହାନଦୀରେ ଶୁଭାରମ୍ଭ ହୋଇପାରିଲା ନାହିଁ। ରାଜ୍ୟ ସରକାର ଏ ଯାଏ ଜଳନୀତି କରିପାରିଲେ ନାହିଁ। ପଞ୍ଜାବ, ହରିଆଣା ଓ ରାଜସ୍ଥାନ ଭଳି ରାଜ୍ୟରେ ଜଳ ସୁନିୟନ୍ତ୍ରିତ କରାଯାଉଥିବା ବେଳେ ସେହି ତୁଳନାରେ ଓଡ଼ିଶା ପଛରେ ରହିଛି।

Telegraph India

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାଜ୍ୟ ସରକାର ମହାନଦୀରେ ବ୍ୟାରେଜ୍ କରିପାରୁ ନାହାନ୍ତି। ଖାଲି ଛତିଶଗଡ଼ ସରକାରଙ୍କୁ ଦୋଷ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସତ୍ତ୍ବେ ଲୋୟର ଇନ୍ଦ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉନାହିଁ। ବହୁ ଜାଗାରେ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇଯାଇଛି। ବିଧାୟକ ସୁରେଶ ରାଉତରାୟ କହିଥିଲେ, ମହାନଦୀରେ ବନ୍ଧ ପକାଇ ପାଣି ଅଟକାଇ ରଖିବୁ ବୋଲି ୧୦ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ଗୋଟିଏ ବନ୍ଧ ନିର୍ମାଣ ହୋଇପାରିଲା ନାହିଁ। ତାରାପ୍ରସାଦ ବାହିନୀପତି କହିଲେ, ୨୨ ବର୍ଷରେ ଗୋଟିଏ ବି ବଡ଼ ପ୍ରକଳ୍ପ ହୋଇପାରିଲା ନାହିଁ। ଯାହା ବଡ଼ ପ୍ରକଳ୍ପ ହୋଇଥିଲା, ସେସବୁ କଂଗ୍ରେସ ସରକାର ସମୟରେ ହୋଇଥିଲା। ପ୍ରତି ବ୍ଲକ୍‌ରେ ୩୫% ଜଳସେଚନ କୁଆଡ଼େ ଗଲା? ବିରୋଧୀ ଦଳ ପକ୍ଷରୁ ନାଉରୀ ନାୟକ, ସୁବାସ ପାଣିଗ୍ରାହୀ, ଭାସ୍କର ମଢ଼େଇ ଓ ମୁକେଶ ମହାଲିଙ୍ଗ ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ପକ୍ଷରୁ ଭୂପିନ୍ଦର ସିଂହ କହିଥିଲେ ଯେ ଆମ ରାଜ୍ୟ ସର୍ବାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ତାହା ସତ୍ତ୍ବେ ରାଜ୍ୟ ସରକାର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ବାତ୍ୟା ଫନି ସମୟରେ ଜଳସମ୍ପଦ ବିଭାଗ ଗୁରୁ ଦାୟିତ୍ୱ ନେଇ ସୁଚାରୁରୂପେ ତୁଲାଇଥିଲା। ବିଧାୟକ ଧ୍ରୁବ ଚରଣ ସାହୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ ହୋଇଛି ବୋଲି କହିଥିଲେ। ଶାସକ ଦଳ ପକ୍ଷରୁ ଦେବେଶ ଆଚାର୍ଯ୍ୟ, ଲତିକା ପ୍ରଧାନ, ନାଉରୀ ନାୟକ, ସୀମାରାଣୀ ନାୟକ ଓ ପ୍ରଣବ ବଳବନ୍ତରାୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନାର ଉତ୍ତର ରଖି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷ ୮୦ ହଜାର ହେକ୍ଟର ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ନିର୍ମାଣଧୀନ ଥିବା ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡିକୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବାକୁ ଜଳସମ୍ପଦ ବିଭାଗ ଆକ୍ସନପ୍ଲାନ ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ପାଇଁ ୨୯୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ୧୭୦ଟି ନୂଆ ପ୍ରକଳ୍ପ ଲାଗି ୧୦ ହଜାର ୭୫୯ କୋଟି ଟଙ୍କା ଅନୁମୋଦନ ହୋଇଛି। ୨୦୨୬ ସୁଦ୍ଧା ଉପରୋକ୍ତ ପ୍ରକଳ୍ପଗୁଡ଼ିକ ଶେଷ କରାଯାଇ ଅଧିକ ୨.୬୩ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ଲାଗି ଲକ୍ଷ୍ୟ ରଖାଯାଇଛି। ଚାଷୀଙ୍କର ଅନୁରୋଧକ୍ରମେ ସରକାର ଆଉ ୧ ଲକ୍ଷ ଗଭୀର ନଳକୂପ ୨୦୨୫-୨୬ ସୁଦ୍ଧା ସ୍ଥାପନ ଲାଗି ଅନୁମୋଦନ କରିଛନ୍ତି। ଜଳଭଣ୍ଡାର ନିକଟରେ ମ୍ୟୁଜିୟମ ସହ ଆକ୍ଟିଭିଟି ସେଣ୍ଟର ଏବଂ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାପନ ପାଇଁ ୨୪.୫୦କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର