କୁଆଡ଼େ ଗଲେ ଫୁଡ୍‌ ଇନ୍ସପେକ୍ଟର? ଖାଦ୍ୟ କାରବାରରେ ବଡ଼ ଜାଲିଆତି

ବରଗଡ଼: ଜିଲ୍ଲାରେ ଖାଦ୍ୟ କାରବାରରେ ବଡ଼ ଧରଣର ଜାଲିଆତି ଚାଲିଛି। ଏନେଇ ପୂର୍ବରୁ ବିଭିନ୍ନ ଅଭିଯୋଗ ହେଉଥିଲା। କିନ୍ତୁ ଗତମାସ ୧୯ ତାରିଖ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳାବତୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହି ଅଭିଯୋଗର ସତ୍ୟତା ଥିବା ଜଳଜଳ ହୋଇ ଦିଶୁଛି। ଜଣେ ‌ବ୍ୟକ୍ତି ହୋଟେଲ୍‌ ଖୋଲିବା ପାଇଁ ଫୁଡ୍‌ ଲାଇସେନ୍ସ ସକାଶେ ଡା. ସାହୁଙ୍କ ଠାରେ ଆବେଦନ କରିଥିଲେ। ହେଲେ ଡା. ସାହୁ ତାଙ୍କ ଠାରୁ ଲାଇସେନ୍ସ ବାବଦକୁ ୫ହଜାର ଟଙ୍କା ଦାବି କରି ଧରାପଡ଼ିଥିଲେ।

ଏହି ମାମଲା ଭିଜିଲାନ୍ସ ଚଢ଼ଉ ପରେ ଲୋକଲୋଚନକୁ ଆସିଛି। କିନ୍ତୁ ଏହି ଘଟଣା ପୂର୍ବରୁ କେତେ ଯେ ଫୁଡ୍‌ ଲାଇସେନ୍ସ ଡା. ସାହୁ କିମ୍ବା ତାଙ୍କ ପୂର୍ବରୁ ଥିବା ଅଧିକାରୀମାନେ ଟଙ୍କା ନେଇ ଜାରି କରିଛନ୍ତି, ତାହା ହିସାବ ଲଗାଇବା ମୁସ୍କିଲ। ଗୋଟିଏ ହିସାବରେ କହିବାକୁ ଗଲେ, ବର୍ତମାନ ଜିଲ୍ଲାରେ ଏଭଳି ଅସତ୍‌ ଉପାୟରେ ଗୁଡ଼ାଏ ହୋଟେଲ, ରେସ୍ତୋରାଁ ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଫୁଡ୍‌ ଲାଇସେନ୍ସ ହାତେଇଛନ୍ତି। ଉକ୍ତ ଲାଇସେନ୍ସ ଦୋକାନରେ ଟଙ୍ଗା ଯାଇଛି। କିନ୍ତୁ ଆଜି ଯାଏଁ କାହାରି ଉପରେ ଚଢ଼ଉ ହୋଇନାହିଁ।

ଜିଲ୍ଲାର ଅଖାଦ୍ୟ କାରବାରରେ କିଏ ନିୟନ୍ତ୍ରଣ ଲଗାଇବ, ତାହା ବଡ଼ ପ୍ରଶ୍ନ। ଗୋଟିଏ ଛୋଟ ଉଦାହରଣ ଏଠାରେ ନିଆଯାଇପାରେ। ଏବେ  ଖରା ବଢ଼ିବା ଥଣ୍ଡା ପାନୀୟର ଚାହିଦା ବଢ଼ି ଯାଇଛି। ଲସି ଏବଂ ଅାଖୁରସ ବେପାର ଭଲ ଜମୁଥିବା ପରିଲକ୍ଷିତ ହୋଇଛି। ପ୍ରାୟ ୫୦ରୁ ଅଧିକ ଆଖୁରସ ବେପାରୀ, ମାଳମାଳ ଚୁସ୍‌କି ଏବଂ ନାନାଦି ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌ (ଚୁସ୍‌କି) ଠେଲା ଲାଗିଛି। ଖରାମାଡ଼ରେ ଅସ୍ତବ୍ୟସ୍ତ ବାଟୋଇମାନେ ଏସବୁ ଠେଲା ପାଖରେ ଭିଡ଼ ଜମାଉଛନ୍ତି। ସହରରେ ୩୦ରୁ ଅଧିକ ଲସି କାଉଣ୍ଟର ଖୋଲିଛି । ଗ୍ଲାସ୍‍ ପ୍ରତି ୧୫ରୁ ୬୦ ଟଙ୍କା ଯାଏଁ ବିକ୍ରି ହେଉଛି। ରାସ୍ତାକଡ଼ରେ ଥିବା ଗୁଡ଼ାଏ ଦୋକାନ‌ରେ ୩୦ରୁ ୫୦ ଟଙ୍କା ଭିତରେ ଫଳରସ ଗ୍ଲାସ ଉପଲବ୍ଧ ରହିଛି। କିନ୍ତୁ ଏହାର ମାନ ପରୀକ୍ଷଣ ପାଇଁ କିଛି ବନ୍ଦୋବସ୍ତ ନାହିଁ।

ପାନୀୟଗୁଡ଼ିକୁ ଆକର୍ଷଣୀୟ ରୂପ ଦେବାକୁ ନାନାଦି ରଂଗ ବ୍ୟବହାର କରାଯାଉଛି। ଏହି ରଂଗଗୁଡ଼ିକ କେଉଁ ଧରଣର, ତାହା ଯାଂଚ ବି ହେଉନାହିଁ। ଏବେ ସହରରେ ‘ଫୁଡ୍‌ କୋର୍ଟ’ ଖୋଲିଛି। ଯେଉଁଠି ବିଭିନ୍ନ କିସମର ଫାଷ୍ଟ ଫୁଡ୍‌, ବର୍ଗର୍‌, ଗୁପ୍‌ଚୁପ୍‌ ଏବଂ ଅନ୍ୟ ଖାଦ୍ୟପେୟ ମହଜୁଦ ରହିଛି। ବିଳମ୍ବିତ ସଂଧ୍ୟା ଯାଏ ଏଠାରେ ଲୋକଙ୍କ ଭିଡ଼ ଜମୁଛି। କିନ୍ତୁ ଏଠାରେ ବଳି ଯାଉଥିବା ଖାଦ୍ୟ ପଦାର୍ଥକୁ କ’ଣ କରାଯାଉଛି, ତାହା କେବେ ଯାଂଚ ହେଉନାହିଁ। କିଛି ଦୋକାନୀ ଗୋଟିଏ ଦିନର ବାସି ଖାଦ୍ୟକୁ ତା’ ପରଦିନ ବି ଗ୍ରାହକଙ୍କୁ ଦେଉଛନ୍ତି। ଯିଏ ଅଭିଯୋଗ କଲା, ତାକୁ ପୁଣି ସଜ ଖାଦ୍ୟ ଦେଉଛନ୍ତି। ନଚେତ, ଅନେକ ଦୋକାନୀ ବିଭିନ୍ନ ବାହାନା ଦେଇ ଅଭିଯୋଗକୁ ଉଡ଼ାଇ ଦେଉଛନ୍ତି।

ସମ୍ବନ୍ଧିତ ଖବର