ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଖରିଫ୍ ଧାନ କିଣା ଆଗତୁରା ଶେଷ ହୋଇଛି। ମଣ୍ଡିରେ ତାଲା ଝୁଲୁଛି। ନା ଅଛି ଧାନବସ୍ତା, ନା ଚାଷୀଙ୍କ ଭିଡ଼। ବାସ୍ତବ କଥା ହେଲା, ଟୋକନ୍ ଜାରି ହୋଇଥିଲେ ହେଁ ଏଯାବତ୍ ୧୫ ହଜାର ଚାଷୀଙ୍କ ଧାନ ବିକ୍ରି ହୋଇନାହିଁ। ଧାନ କିଣା ଅବଧି ସରିନଥିଲେ ମଧ୍ୟ ଏତିକି ସଂଖ୍ୟାର ଚାଷୀ ମଣ୍ଡିକୁ ଧାନ ଆଣିଲେନି ବୋଲି ଯୋଗାଣ ବିଭାଗ କହୁଛି। ମାତ୍ର ଏହିସବୁ ଚାଷୀଙ୍କ ଧାନ କୁଆଡ଼େ ଗଲା, ସେସମ୍ପର୍କରେ କାହା ପାଖରେ ଉତ୍ତର ନାହିଁ। ଜିଲ୍ଲାରେ ଏଥର ପାଖାପାଖି ୩୮ ଲକ୍ଷ କ୍ବିଣ୍ଟାଲ ଧାନ ଉତ୍ପାଦନ ହୋଇଥିଲା। ସେହି ହିସାବରେ ଟାର୍ଗେଟ୍ ବି ଆସିଥିଲା।
ମାତ୍ର, ମଣ୍ଡିରେ ତାଲା ଝୁଲିବା ପୂର୍ବରୁ ୩୪ ଲକ୍ଷ କ୍ବିଣ୍ଟାଲ ଧାନ କିଣା ସରିଥିଲା। ଅର୍ଥାତ୍ ଟାର୍ଗେଟ୍ ଅନୁଯାୟୀ ୪ ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇନଥିଲା। ସେହିଭଳି, ଧାନବିକ୍ରି ପାଇଁ ଜିଲ୍ଲାର ୮୯ହଜାର ଚାଷୀ ପଞ୍ଜିକୃତ ହୋଇଥିଲେ। ଚାଷୀ ପଞ୍ଜୀକରଣ ଓ ଜମିର ତଥ୍ୟ ଅନୁପାତକୁ ହିସାବ ଲଗାଇଲେ ଜିଲ୍ଲାରେ ପ୍ରାୟ ୪୦ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ କିଣାଯିବା କଥା। ମାତ୍ର, ୭୪ ହଜାର ଚାଷୀ ଧାନ ବିକ୍ରି କରିଥିଲା ବେଳେ ଅବଶିଷ୍ଟ ୧୫ ହଜାର ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ଫଳରେ ସେମାନଙ୍କ ଧାନ କୁଆଡ଼େ ଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
କୁହାଯାଉଛି ଯେ ଅଧିକାଂଶ ଚାଷୀଙ୍କ ଧାନ ଛତିଶଗଡ଼ ଚାଲିଯାଇଛି। ବଲାଙ୍ଗୀରରୁ କଳାହାଣ୍ଡି, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲା ଦେଇ ହିଁ ଛତିଶଗଡ଼କୁ ଧାନ ଯାଇଥିବା ସନ୍ଦେହ କରାଯାଉଛି। ଧାନ ଚୋରାଚାଲାଣ ରୋକିବାକୁ ପ୍ରଶାସନ ଏବଂ ଯୋଗାଣ ବିଭାଗ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଥିଲେ ମଧ୍ୟ ଗୋଟିଏ ବି ଧାନଭର୍ତ୍ତି ଗାଡ଼ି ଧରାପଡ଼ିନାହିଁ। ଅର୍ଥାତ୍ ଏଥିପାଇଁ ଧରପଗଡ଼ ହୋଇନାହିଁ। ସେହିଭଳି, ଏଥର ପ୍ରଥମଥର ପାଇଁ ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ଜିପିଏସ୍ ବ୍ୟବସ୍ଥା କରାଯାଇଛି। କିଛି ଗାଡ଼ିରେ ବି ତାହାକୁ ଖଞ୍ଜାଯାଇଛି। ମାତ୍ର, ଏହି ବ୍ୟବସ୍ଥା ସତ୍ତ୍ବେ କିଭଳି ଚୋରାଚାଲାଣ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏ ସମ୍ପର୍କରେ ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ଚାଷୀ ଧାନ ମଣ୍ଡିକୁ ନଆଣିଲେ, ବିଭାଗ କ’ଣ କରିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।