ବାରିପଦା: ପାଠ ପଢାଇବା ନାଁରେ ବାରିପଦାରୁ ନାବାଳିକାଙ୍କୁ ନେଇ ବାଣପୁରରେ ଦେହ ବେପାରରେ ଲଗାଇବା ଘଟଣାରେ ରାଣୀ ମହୁମାଛି ହାଇସ୍କୁଲ ଶିକ୍ଷୟିତ୍ରୀ ଟୁନା ଦାସ ଓ ତାଙ୍କ ଭାଇ ହୋଟେଲ ମାଲିକ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ପୁଲିସ ଗିରଫ କରିଛି। ବାରିପଦା ଷ୍ଟେସନରୁ ନାବାଳିକାଙ୍କୁ ନେଇ ଟୁନାଙ୍କ ପାଖରେ ପହଞ୍ଚାଇଥିବା ଆମ୍ବୁଲାନ୍‌ସ ଡ୍ରାଇଭର ଶରତ ମଧ୍ୟ ଗିରଫ ହୋଇ ବାଲେଶ୍ବର ଜେଲ୍‌ରେ ଅଛି। ତେବେ ଏହି ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ରହସ୍ୟମୟୀ ଚୁମ୍‌କି ଏବେ କେଉଁଠି? ସେ ଗିରଫ ଭୟରେ ଲୁଚିଛି ନା ପୁଲିସ ଅନ୍ୟ କାହାକୁ ସୁରକ୍ଷା ଦେବାକୁ ଯାଇ ଜାଣିଶୁଣି ତାକୁ ଧରୁନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ଶରତ ଓ ଚୁମ୍‌କି ମିଶି ପୂର୍ବରୁ ବହୁ ନାବାଳିକା ଓ ଯୁବତୀଙ୍କୁ ନେଇ ଦେହ ବେପାରରେ ଲଗାଇଛନ୍ତି। ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଯୁବତୀ ଓ ନାବାଳିକା ଏମାନଙ୍କ ଷଡଯନ୍ତ୍ରର ଶିକାର ହୋଇଛନ୍ତି। ହେଲେ ଲୋକଲଜ୍ଜା ଭୟରେ କେହି ମୁହଁ ଖୋଲୁ ନଥିବା କୁହାଯାଉଛି। ଏଥିସହ ସେମାନଙ୍କ ପଛରେ ବହୁ ବଡ଼ବଡ଼ିଆଙ୍କ ହାତ ଥିବା ଆଲୋଚନା ହେଉଛି। ହେଲେ ଏମିତି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ କେବଳ ଟୁନା ଓ ତାଙ୍କ ଭାଇଙ୍କୁ ଗିରଫ କରି ଚୁପ୍ ବସିଛି। ଅଧିକ ଖୋଳତାଡ଼ କଲେ ଚୁମ୍‌କି ଧରାପଡ଼ିବ ଓ ବଡ଼ବଡିଆଙ୍କ ଅସଲ ମୁଖା ଖୋଲିଯିବା ଭୟରେ ପୁଲିସ ଉପରେ ମାମଲାକୁ ଚାପି ଦେବାକୁ ଚାପ ପଡୁଥିବା କୁହାଯାଉଛି। ତେବେ ଚୁମ୍‌କିକୁ ଖୋଜା ଚାଲିଛି। ପୁଲିସ କାହା ଚାପକୁ ଖାତିରି କରିନୁ। ଖୁବ୍ ଶୀଘ୍ର ଚୁମ୍‌କିକୁ ଧରିବାରେ ସଫଳ ହେବୁ ବୋଲି ବାରିପଦା ଟାଉନ ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତି ଦୃଢୋକ୍ତି ପ୍ରକାଶ କରିଛନ୍ତି।