ପୁରୀ : ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସକୁ ନିଆଁ ଲାଗିବା ୪ ଦିନ ବିତିଗଲାଣି। ଅଗ୍ନିକାଣ୍ଡ ସହ ୪୩ ଦୋକାନୀଙ୍କ ଜୀବୀକା ବି ଉଜୁଡ଼ିଯାଇଛି। ଯେଉଁ ଦୋକାନ ପରିବାରର ଗୁଜୁରାଣ ମେଣ୍ଟାଉଥିଲା, ତାହା ଜଳି ପୋଡ଼ି ପାଉଁଶ ହୋଇଯିବା ପରେ ଦୋକାନୀମାନେ ନିଃସ୍ବ ହୋଇଯାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଋଣ ଓ ହାତଉଧାରି ଆଣି କରିଥିବା ଦୋକାନ ଜଳିଯିବା ପରେ ଚାରିଦିନ ହେଲାଣି ପେଟକୁ ଭଲରେ ଦାନା ବି ଯାଉନି। ପୋଡ଼ା କୋଠା ଆଗରେ ଦୋକାନୀଙ୍କ କାନ୍ଦବୋବାଳିର ହୃଦୟ ବିଦାରକ ଦୃଶ୍ୟ କଠୋର ହୃଦୟକୁ ବି ତରଳାଇ ଦେଉଛି।
କୋଠାରେ ସଂକୁଚିତ ପ୍ରବେଶ ପଥ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ନ ଥିବାରୁ ଭୟଙ୍କର ନିଆଁରେ ସବୁ ଛାରଖାର ହୋଇଯାଇଛି। କିନ୍ତୁ ଦୁର୍ଭାଗ୍ୟ, ଇତିମଧ୍ୟରେ ୪ ଦିନ ବିତି ଯାଇଥିଲେ ବି କୋଠା ମାଲିକଙ୍କ ଦେଖାମିଳିନି। ଅଗ୍ନିକାଣ୍ଡ ସ୍ଥଳକୁ ଆସି ଦୋକାନୀଙ୍କୁ ଥରୁଟିଏ ବି କୋଠା ମାଲିକ ସମବେଦନ ଜଣାଇନାହାନ୍ତି। ଏହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କୋଠା ମାଲିକଙ୍କ ଭୁଲ୍ ପାଇଁ ଏତେବଡ଼ ଅଘଟଣ ଘଟି ଯାଇଥିବାବେଳେ ପ୍ରଶାସନ କୋଠା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦୋକାନୀଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି। କିନ୍ତୁ ୪ ଦିନ ପରେ ବି ପ୍ରଶାସନ କୋଠା ମାଲିକଙ୍କୁ ଡାକି ପଚରାଉଚରା କରିନି କି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିନି। କେବଳ ଦୋକାନୀଙ୍କୁ ମିଛ ଦରଦ ଦେଖାଉଛି ବୋଲି ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ମାର୍କେଟ୍ କମ୍ପ୍ଲେକ୍ସର ମାଲିକ ଅଚ୍ୟୁତ ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ତିନି ପୁଅ ଚନ୍ଦ୍ରଶେଖର ମହାନ୍ତି, ସୁରେନ୍ଦ୍ର ମହାନ୍ତି ଓ ରାଜେନ୍ଦ୍ର ମହାନ୍ତି ଏହାର ପରିଚାଳନା କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ତିନି ପୁଅ ଓ ତାଙ୍କ ପରିବାର ଏବେ ଭୁବନେଶ୍ବରରେ ରହୁଛନ୍ତି।