ଗର୍ଜନପାହାଡ଼ର  ବିରଳ କଳା ବାଘ କୁଆଡ଼େ ଗଲା !

ସୁନ୍ଦରଗଡ଼: ୨୦୧୮ରେ  ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ (ବ୍ଲାକପନ୍ଥର)। ବେଶ ଚର୍ଚ୍ଚାକୁ ଆସିଥିଲା ଗର୍ଜନପାହାଡ଼। କିନ୍ତୁ ତାର ଦେଢ଼ ବର୍ଷ ପରେ ବାଘଟି କେଉଁଆଡ଼େ ଉଭାନ ହୋଇଗଲା। ଯାହା ବନ୍ୟପ୍ରାଣୀ ପ୍ରେମୀ ଓ ବିଶେଷଜ୍ଞଙ୍କୁ ବିଷର୍ଣ୍ଣ କରିଛି। ତେବେ ରାଜ୍ୟ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ବିରଳ କଳାବାଘର ସନ୍ଧାନ ନେବାକୁ   ବନ ବିଭାଗ ଯେତିକି ଗୁରୁତ୍ବ ଦେବା କଥା ସେତିକି ଦେଇ ନାହିଁ। ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ। ସବୁଠାରୁ ବଡ଼ କଥା ହେଲା, ଗର୍ଜନପାହାଡ଼ କଡ଼େ କଡ଼େ ଗୋଟିଏ ପରେ ଗୋଟିଏ ବିଶାଳ କୋଇଲା ଖଣି ସବୁ ଖୋଳା ଯାଉଛି। ତେଣୁ  କଳାହୀରାର ଚମକରେ କଳାବାଘ କଥା ସମସ୍ତେ ଭୁଲିଯିବାର ଆଶଙ୍କା ପ୍ରକାଶ ପାଇଛି।

ଏଠାରେ ସୂଚନାଯୋଗ୍ୟ,  ପ୍ରଥମେ ଦେଶର ୮ଟି ରାଜ୍ୟ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଗୋଆ,  ମହାରାଷ୍ଟ୍ର, ତାମିଲନାଡ଼ୁ ଓ  ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ ପରେ ନବମ ରାଜ୍ୟ ଭାବେ  ଓଡ଼ିଶା  ଜଙ୍ଗଲରେ  ପ୍ରଥମ କରି ଏକ ବିରଳ କଳାବାଘ ଦେଖାଯାଇଥିଲା। ଯାହା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା। ବିଭାଗ ବାଘର ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ସୁନ୍ଦରଗଡ଼ ବନବିଭାଗ  ଗର୍ଜନପାହାଡ଼ ଉପରେ ଦୃଷ୍ଟି ନିବିଦ୍ଧ କରି ସୁରକ୍ଷା ବ୍ୟବସ୍ଥାବ ଗ୍ରହଣ କରିଥିଲା। କଳା ବାଘର ଗତିବିଧି ଉପରେ ନଜର ରଖିବାକୁ ଅସ୍ଥାୟୀ ଟ୍ରାପ୍ କ୍ୟାମେରା ଖଞ୍ଜିଥିଲା ବିଭାଗ। ଠିକ୍ ଏହାର ଦେଢ଼ ବର୍ଷ ପରେ  ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଛୁଆ ବୁଲୁଥିବା ଚର୍ଚ୍ଚା ହୋଇଥିଲା। ଜଙ୍ଗଲକୁ ଯାଇଥିବା କିଛି ଲୋକ ଦୁଇ ଛୁଆକୁ  ଦେଖିଥିବା କହିଥିଲେ।  ସେତେବେଳେ ବନବିଭାଗ ମଧ୍ୟ ଏଥିରେ ସତ୍ୟତା ଥାଇପାରେ ବୋଲି କହିଥିଲେ।

ଦୁଇ ଛୁଆ ସେ କଳାବାଘର ହୋଇପାରନ୍ତି ବୋଲି କୁହାଗଲା। କିନ୍ତୁ ଏହା ପରେ କଳା ବାଘ କି ସେ ଛୁଆ ଆଉ ଦୃଷ୍ଟିକୁ ଆସିଲେ ନାହିଁ। ବାଘଟି କୁଆଡ଼େ ଗଲା କି କୌଣସି ଶିକାରୀ ହାବୁଡ଼ରେ ପଡ଼ିଲା, ତାକୁ  ନେଇ ସଂଶୟ ଲାଗି ରହିଥିଲା। ଏକ ଘଟଣାକ୍ରମେ,   ଗତ ୨୦୨୦ ଅଗଷ୍ଟରେ  ଗର୍ଜନପାହାଡ଼ ଜଙ୍ଗଲ ନିକଟ ବଡ଼ରମ୍ପିଆ ଗାଁରେ ଏକ କଲରାପତରିଆ ବାଘ ପଶି ଲୋକଙ୍କୁ ଆକ୍ରମଣ କରି ତା’ପର ଦିନ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିଲା। ଏଯାଏ ସେ ବାଘର ମୃତ୍ୟୁ ରହସ୍ୟ ଉନ୍ମୋଚନ କରିପାରିନି ବନବିଭାଗ। ଏହା ପରେ ପରେ କଳାବାଘର ଗାଏବକୁ ନେଇ ଶିକାରୀଙ୍କ ହାବୁଡ଼ରେ ପଡ଼ିଥିବାର ଆଶଙ୍କା ବି ଧାରଣରେ ଉଙ୍କି ମାରିଥିଲା। ତେବେ ସେତେବେଳେ ଉଠିଥିବା ଅନ୍ୟ ଏକ ଚର୍ଚ୍ଚାକ୍ରମେ, ୨୦୧୭ରେ ମହାରାଷ୍ଟ୍ର ଓ ପରେ ପରେ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ଉଦନ୍ତୀସୀତା ନଦୀ ବନ୍ୟପ୍ରାଣୀ ଅଭ୍ୟୟାରଣ୍ୟରେ ଦେଖାଯାଇଥିବା କଳାବାଘ ୨୦୧୮ରେ ସେଠାରୁ ମାତ୍ର ୩ ଶହ କିଲୋମିଟର ଦୂର ହେମଗିର ଗର୍ଜନପାହାଡ଼କୁ ଆସିଥିଲା। ସେତେବେଳେ ସେ ସମ୍ଭବତଃ ଗର୍ଭବତୀ ଥିଲା ଓ ଛୁଆ ଜନ୍ମ କରିବାକୁ ଏଠାକୁ ଚାଲିଆସିଥିଲା। ଏଠାରେ ରହିବା ଭିତରେ ଛୁଆ ଜନ୍ମ କରିଥିଲା।

ପରେ ହୁଏତ ପୂର୍ବସ୍ଥାନକୁ ଫେରି ଯାଇଥିବା ଲୋକେ ଅନୁମାନ ଲଗାଇଥିଲେ। ଏହା ମଧ୍ୟରେ ବର୍ଷା ଦିନରେ ବନବିଭାଗ ଟ୍ରାପ୍ କ୍ୟାମେରାକୁ  ଖୋଲି ଦେଇଥିଲା। ଏହା ପରଠାରୁ କଳା ବାଘ କି ତା’ ଛୁଆକୁ ଖୋଜିବା ମୁସ୍କିଲ ହୋଇପଡ଼ିଛି। ଗର୍ଜନପାହାଡ଼,  ଢେକନାପାଣି, ରୋହିଣୀ ସଂରକ୍ଷିତ ଜଙ୍ଗଲରେ ୨୫ରୁ ଅଧିକ କଲରାପତରିଆ ଓ ଚିତା ବାଘ ଥିବା ଆକଳନ କରାଯାଇଥିବା ବେଳେ ପ୍ରଥମ କରି  ଏକ ବିରଳ କଳା ବାଘ (ବ୍ଲାକପନ୍ଥର) ଠାବ ହେବା ଓ ଦେଢ଼ ବର୍ଷ ପରେ ପୁଣି ଉଭାନ ହୋଇଯିବା ବନବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ‘ ବାଘର ପାଦଚିହ୍ନ ରହିଛି, କିନ୍ତୁ ତାହା କଳାବାଘ କି ସାଧାରଣ ବାଘର ତାହା ସ୍ପଷ୍ଟ ହୋଇପାରି ନାହିଁ। ଏବେ  ସ୍ଥାନୀୟ ଗାଁ ଲୋକଙ୍କ ସହାୟତାରେ କଳା ବାଘକୁ ଠାବ କରିବା ପାଇଁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡ଼ାର ବନବିଭାଗ ପକ୍ଷରୁ ଗର୍ଜନପାହାଡ଼ରେ ସ୍ଥାୟୀ ଟ୍ରାପ କ୍ୟାମେରା ଲଗାଇବାକୁ  ରାଜ୍ୟ ବନବିଭାଗର ଅନୁମୋଦନ ଲୋଡ଼ାଯାଇଛି, ଏହା ହେଲେ କଳାବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଟିକିନିଖି ତଥ୍ୟ ମିଳିଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର