ପୁରୀ: ବିଗତ କିଛି ବର୍ଷ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ତମ୍ବିତୋଫାନ ଚାଲିଛି। ୨୦୧୮ ମସିହାରେ ଯେଉଁଭଳି ନାଟକୀୟ ଢଙ୍ଗରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ଟାଳି ଦିଆଗଲା, ତାହା ବିଶ୍ବର ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶଙ୍କାରେ ପକାଇଛି। ୧୯୭୮ ମସିହା ଗଣତି ବେଳେ ରତ୍ନଭଣ୍ଡାରରେ ଯେତିକି ଅଳଙ୍କାର ଗଚ୍ଛିତ ଥିଲା, ଏବେ ସେତିକି ଅଛି ତ? ଏପ୍ରକାର ଏକ ସନ୍ଦେହ ଭକ୍ତଙ୍କ ମନରେ ବସା ବାନ୍ଧିଲାଣି। ଏହି ସନ୍ଦେହ ଓ ଆଶଙ୍କା ପଛର ପ୍ରମୁଖ କାରଣ ରତ୍ନଭଣ୍ଡାର ଚାବି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ନକଲି(ଡୁପ୍ଲିକେଟ୍‌) ଚାବିର ଦ୍ବାହି ଦେଇ ଗତ ସରକାର ଭକ୍ତଙ୍କୁ ଭଣ୍ଡାଇ ଆସୁଥିଲେ। ଏବେ ପୁଣି ସେହି ନକଲି ଚାବି କଥା ଉଠିଲାଣି। ଯଦି ମିଳିଥିବା ଚାବି ନକଲି, ତେବେ ରତ୍ନଭଣ୍ଡାରର ଅସଲ ଚାବି କାହା ପାଖରେ ବୋଲି ଭକ୍ତ ମହଲ ପ୍ରଶ୍ନ କଲେଣି।

Advertisment

ମହାପ୍ରଭୁଙ୍କ ରତ୍ନଭଣ୍ଡାର ତିନିଟି ପର୍ଯ୍ୟାୟରେ ଥିବାବେଳେ ପ୍ରଥମଟି ଚଳନ୍ତି ଭଣ୍ଡାର, ଦ୍ବିତୀୟଟି ବାହାର ଭଣ୍ଡାର ଓ ତୃତୀୟଟି ଭିତର ଭଣ୍ଡାର। ଚଳନ୍ତି ଭଣ୍ଡାର ଦୈନନ୍ଦିନ ନୀତିକାନ୍ତି ପାଇଁ ବ୍ୟବହୃତ ଅଳଙ୍କାର ରଖିବା ଘର। ବାହାର ରତ୍ନଭଣ୍ଡାର ରଥଯାତ୍ରା, ଯାନିଯାତ୍ରା ସମୟରେ ବ୍ୟବହୃତ ଅଳଙ୍କାର ରଖିବା ଘର। ଶେଷ ତଥା ଭିତର ରତ୍ନଭଣ୍ଡାର ସର୍ବଦା ରହସ୍ୟମୟ। ମହାପ୍ରଭୁଙ୍କ ପାଇଁ ଅଳଙ୍କାର ଆବଶ୍ୟକ ପଡ଼ିଲେ ଏଠାରୁ ସୁନା, ରୁପା ଆଦି କଢ଼ାଯାଇ, ଆବଶ୍ୟକ ଅଳଙ୍କାର ମରାମତି ଅବା ନୂଆ ଅଳଙ୍କାର ଗଢ଼ାଯାଇଥାଏ। ୧୯୭୮ ମସିହା ମେ ମାସ ୧୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁବର୍ଣ୍ଣ, ରତ୍ନ ଆଦି ଅଳଙ୍କାରର ଗଣତି ହୋଇଥିଲା। ପ୍ରାୟ ୩ ମାସ ଧରି ଅର୍ଥାତ୍‌ ସେହି ବର୍ଷ ଜୁଲାଇ ୨୩ ପର୍ଯ୍ୟନ୍ତ ଏହି ଗଣତି ଚାଲିଥିଲା। ଗଣତି ସମୟରେ ରତ୍ନଭଣ୍ଡାରରୁ ମହଣ ମହଣ ସୁନା, ରୁପା ଅଳଙ୍କାର ସହ ଅନେକ ଦୁର୍ମୁଲ୍ୟ ପଥର ବି ମିଳିଥିଲା। ଯାହାର ତାଲିକା ସେ ସମୟରେ ସତ୍ୟବାଦୀ ପ୍ରେସ୍‌ରେ ଛପା ଯାଇଥିଲା। ଶେଷ ଥର ୨୦୧୮ ଏପ୍ରିଲ ମାସ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଭିତର ରତ୍ନଭଣ୍ଡାର ଚାବି ହଜି ଯାଇଥିବା କହି ସେ ସମୟରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ ଗଠିତ ୧୭ଜଣିଆ କମିଟି ଫେରି ଆସିଥିଲେ। ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ୨୦୧୮ମସିହା ଜୁନ ମାସ ୧୩ ତାରିଖରେ ଜିଲ୍ଲା ରେକର୍ଡ ରୁମରୁ ହଜିଥିବା ଚାବିର ଡୁପ୍ଲିକେଟ୍‌ ଚାବି ମିଳିଯାଇଛି ବୋଲି ଗଣମାଧ୍ୟମ ଆଗରେ କହିଥିଲେ। କିନ୍ତୁ ଚାବି କାହାରିକୁ ଦେଖାଯାଇନଥିଲା। ସେବେଠୁ ହଜିଥିବା ଚାବି ସତରେ ମିଳିଛି କି ମିଳିନି, ସେ ସନ୍ଦେହ ଭକ୍ତଙ୍କ ମନରେ ଅଦ୍ୟାବଧି ରହିଛି। ଅପରପକ୍ଷେ ଯଦି ନକଲି ଚାବି ମିଳିଲା, ତେବେ ଅସଲ ଚାବି କିଏ ରଖିଛି ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି।

ଆଜି ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ବି ସମସ୍ତେ ନକଲି ଚାବି କଥା ଉଠାଇଛନ୍ତି। କିନ୍ତୁ ଅସଲ ଚାବି କିଏ ରଖେ ଓ ଏହା ତାଙ୍କ ପାଖରେ ଅଛି କି ନାହିଁ, କେହି ମୁହଁ ଖୋଲିନାହାନ୍ତି କି କୌଣସି ଆଲୋଚନା ପର୍ଯ୍ୟାଲୋଚନା ହୋଇନି। ଏ ସଂପର୍କରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି, ଆମେ ଅଦ୍ୟାବଧି ଚାବି ଦେଖିନୁ। ଆସନ୍ତା ୯ ତାରିଖରେ ଦେଖିବା ପରେ କିଛି କହିପାରିବୁ। କମିଟି ସଦସ୍ୟ ପ୍ରଫେସର ହରିହର ହୋତା କହିଛନ୍ତି, ବୈଠକରେ ଆଲୋଚନା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦୁଇଟି ପ୍ୟାକେଟ୍‌ରେ ଚାବି ରହିଛି ବୋଲି କହିଛନ୍ତି। କିନ୍ତୁ କିଏ ନକଲି, କିଏ ଅସଲ ଆମେ କହିପାରିବୁନ‌ାହିଁ। ଆସନ୍ତା ୯ ତାରିଖରେ ଚାବି ଉପସ୍ଥାପନ ପରେ ଯାହା କିଛି କହିହେବ। ଶ୍ରୀମନ୍ଦିର ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର କହିଛନ୍ତି, ଭିତର ରତ୍ନଭଣ୍ଡାରରେ ତିନିଟି ତାଲା ରହିଛି। ଗୋଟିଏ ମୁଦ ଦିଆ ଓ ଅନ୍ୟ ଦୁଇଟି ଖୋଲା। ବାକି ଅସଲ ଚାବି କାହା ପାଖରେ ଅଛି, ସେକଥା ମହାପ୍ରଭୁ ହିଁ ଜାଣିଛନ୍ତି ବୋଲି ସେ କହିଛନ୍ତି।