ଭୁବନେଶ୍ବର: ଆଜି ରତ୍ନଭଣ୍ଡାର ଖୋଲିଥିଲେ ହେଁ ଯେପରି ଭାବେ ଭିତର ଭଣ୍ଡାରର ତିନିଟି ଯାକ ତାଲା ଭାଙ୍ଗି ଖୋଲା ଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ୨୦୧୮ରେ ରତ୍ନଭଣ୍ଡାର ଖୋଲାଯିବା ବେଳେ ବିଜେଡି ସରକାର ଚାବି ହଜି ଯାଇଥିବା କହିଥିଲେ। ପରେ ପ୍ରଶାସନ ପାଖରେ ଡୁପ୍ଲିକେଟ୍ ଚାବି ରହିଛି ବୋଲି ସରକାର କହିଥିଲେ। ଏହାକୁ ଆଳ କରି ରତ୍ନଭଣ୍ଡାର ଖୋଲିଯାଇ ନଥିଲା। କିନ୍ତୁ ଏବେ ତିନିଟି ଯାକ ତାଲାକୁ କଟର୍ରେ କାଟି ରତ୍ନଭଣ୍ଡାର ଦ୍ବାର ଖୋଲାଯିବା ପରେ ରତ୍ନଭଣ୍ଡାରର ଅସଲ ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଏହା ସହ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ୍ ରଘୁବୀର ଦାସ କମିସନ୍ଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହୋଇଛି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି। ଚାବି କିଏ ହଜାଇଲା? ଅସଲି ଚାବି କୁଆଡ଼େ ଗଲା ସେନେଇ ତଦନ୍ତ ହେବ। ରକ୍ଷଣା ବେକ୍ଷଣ ପାଇଁ କମିଟି ବସିବ, ୩୦ ଦିନ ଭିତରେ କମିଟି ରିପୋର୍ଟ ଦେବ ଏବଂ କାର୍ଯ୍ୟାନୁଷ୍ଠାନ ହେବ। ଏହାସହ ସେ କହିଛନ୍ତି ଯେ ଏତେ ଦିନ ପର୍ଯ୍ୟନ୍ତ ରତ୍ନଭଣ୍ଡାର କାହିଁକି ଖୋଲୁନଥିଲେ ବୋଲି ପୂର୍ବ ସରକାରଙ୍କ ମୁଖ୍ୟଙ୍କୁ ପଚାରିବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ଓଡ଼ିଶା ବିଜେପି ପାଇଁ ପ୍ରଚାର କରିବାକୁ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ରାଜ୍ୟର ପ୍ରମୁଖ ବିଜେପି ନେତାମାନେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇଥିଲେ। ରତ୍ନଭଣ୍ଡାର ଚାବିକୁ ବିଜେଡି ସରକାର ଉପରେ ଘନଘନ ଆକ୍ରମଣ କରିଥିବାବେଳେ ତାହାର ପ୍ରଭାବ ନିର୍ବାଚନୀ ଫଳାଫଳ ଉପରେ ପଡ଼ିଥିଲା। ଏବେ ରତ୍ନଭଣ୍ଡାର ତାଲା ଭାଙ୍ଗି ଖୋଲାଯାଇଥିବାରୁ ବିଜେପି ନେତାମାନେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/ratna-bhandara-20323.jpg)