ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିର୍ମିରା ସହ ସମ୍ବଲପୁର ଜିଲ୍ଲାର ଯୁଯୁମୁରାକୁ ସିଡ୍ୟୁଲ ବ୍ଲକ୍ର ମାନ୍ୟତା ପ୍ରସ୍ତାବ ସରକାରଙ୍କ ନାଲିଫିତା ତଳେ ଚାପି ହୋଇରହିଛି। ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କେହି ବି ଆଗ୍ରହ ଦେଖାଉନାହାନ୍ତି। ବିଭିନ୍ନ ସମୟରେ ଏହି ପ୍ରସ୍ତାବକୁ ନେଇ ଉଭୟ ସରକାର ଆଦିବାସୀମାନଙ୍କୁ ଭ୍ରମିତ କରିଆସୁଛନ୍ତି। ଫଳରେ, ଅଦିବାସୀ ସମାଜ ନିରାଶ ହେବାସହିତ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।
ପ୍ରଥମେ, ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗନ୍ତ କିର୍ମିରା ବ୍ଲକ୍କୁ ଉଦାହରଣ ଭାବେ ନିଆଯାଉ। ଗତବର୍ଷ ବିଧାନସଭାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ସ୍ପଷ୍ଟ କରି କହିଥିଲେ ଯେ, କିର୍ମିରା ବ୍ଲକ୍କୁ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ) ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ପତ୍ର ସଂଖ୍ୟା ୧୯୩୮୭/ଏସ୍ଏସ୍ଡି ତା. ୬.୧୧.୨୦୧୭ରେ କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର, ଏହି ପ୍ରସ୍ତାବ ଅନୁ ମୋଦନ ହୋଇନାହିଁ। ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ, ଝାରସୁଗୁଡ଼ା ଜିଲ୍ଲାର କୌଣସି ବ୍ଲକ୍କୁ ଆଇଟିଡିଏ ବ୍ଲକ୍ର ମାନ୍ୟତା ଦେବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ, ମନ୍ତ୍ରୀଙ୍କ ଉତ୍ତରୁ ହିଁ ଜଣାପଡ଼ିଥିଲା। କିର୍ମିରା ସହିତ ଲଇକେରା ଓ ଯୁଯୁମରା ବ୍ଲକ୍ରେ ଆଦିବାସୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହେବ। ଫଳରେ, ଏହି ୩ଟି ବ୍ଲକ୍କୁ ସିଡ୍ୟୁଲ୍ ମାନ୍ୟତା ଦେବାପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଥିଲା। ମାତ୍ର, ବିଭଗୀୟ ମନ୍ତ୍ରୀ କେବଳ କିର୍ମିରା ବ୍ଲକ୍ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ। ଅପରପକ୍ଷେ, ଲଇକେରା ଓ ଯୁଯୁମୁରା ବ୍ଲକ୍ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇନଥିବା ସ୍ପଷ୍ଟ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଆନ୍ତରିକତା ବେଶ୍ ଅନୁମେୟ। ସେହିଭଳି, କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗକୁ ଆଦୌ ଗୁରୁତ୍ବ ଦେଇନାହାନ୍ତି। କେବଳ କିର୍ମିରା ହେଉପଛକେ ୨୦୧୭ ମସିହାରେ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ଏହାଉପରେ ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାରେ ଆଦିବାସୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଆଦିବାସୀ ସଂଗଠନ ପକ୍ଷରୁ କୁହାଯାଇଛି, ‘କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ସମୟ ଧରି ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିବା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରାଳୟରେ ମନ୍ତ୍ରୀ ଥିବା ଜୁଏଲ ଓରାମ ମଧ୍ୟ ଏହି ତିନୋଟି ବ୍ଲକ୍କୁ ସିଡ୍ୟୁଲ ବ୍ଲକ୍ ଘୋଷଣା କରିବାରେ ସହଯୋଗ କରିନାହାନ୍ତି। ସେହିଭଳି, ରାଷ୍ଟ୍ରୀୟ ଜନଜାତି ଆୟୋଗ ଅଧ୍ୟକ୍ଷ ମାନେ ମଧ୍ୟ ବିଭିନ୍ନ ସମୟରେ ଏହି ତିନୋଟି ବ୍ଲକ୍କୁ ସିଡ଼୍ୟୁଲ ବ୍ଳକର ମାନ୍ୟତା ପ୍ରସ୍ତାବର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି କରି ପାରିନାହାନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସିଡ୍ୟୁଲ୍ ମାନ୍ୟତା ପାଇଲେ ସେହି ବ୍ଲକ୍ରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିଥାଏ। ଛାତ୍ରଛାତ୍ରୀଙ୍କୁ ପାଇଁ ଷ୍ଟାଇପେଣ୍ଡ ସୁବିଧା ସହିତ ମନରେଗା ଭଳି ଯୋଜନାରେ ସେମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ମାତ୍ର, ସରକାରଙ୍କ ଏଭଳି ଅଭୂତପୂର୍ବ ନିରବତା ଆଦିବାସୀମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।