ଦିନ ଦ୍ବିପ୍ରହରରେ ଲୁଟେରାଙ୍କ ଉତ୍ପାତ, ପାଟ୍ରୋଲିଂ ପାଇଁ ଆସିଥିବା ସ୍କୁଟି ଗଲା କୁଆଡ଼େ!

୪୮ ସିସି କ୍ୟା‌ମେରାରୁ ଅଧିକାଂଶ ଅଚଳ, ସୁରକ୍ଷିତ ମଣୁନାହାନ୍ତି ସହରବାସୀ

ବାଲେଶ୍ବର: ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି। କିଛି ଜାଣିବା ଆଗରୁ ଗାଏବ୍‌ ହୋଇଯାଉଛନ୍ତି। ଯଦି କେହି ବିରୋଧ କରୁଛନ୍ତି, ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଲଗାଇ ଲୁଟି ନେଉଛନ୍ତି ଦୁର୍ବୃତ୍ତ। ଏମିତିକି ପାଟି ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଆଉ ଭୟରେ ପାଟି ନ ଖୋଲି ଚୁପ୍‌ ହୋଇଯାଉଛନ୍ତି ଲୋକେ। ରାତି କଥା ଛାଡ଼ନ୍ତୁ, ଦିନ ଦ୍ବିପହର‌ରେ ଲୁଟିବା ସହରରେ ନିତିଦିନିଆ ଘଟଣା ପାଲଟିଲାଣି। ହେଲେ ଅଭିଯୋଗ ପରେ ବି ଲୁଟେରାକୁ ଧରିବାରେ ଏବଂ ଲୁଟ୍‌ ସାମଗ୍ରୀ ଜବତ କରିବାରେ ପୁଲିସ ବିଫଳ ହେଉଛି। ଦିନକୁ ଦିନ ସହରରେ ଏପରି ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି।

ଗତକାଲି ସକାଳେ ଜଣେ କଲେଜ ଛାତ୍ର ଆଜିମାବାଦରୁ ନାରୀ ସଂଘ ରାସ୍ତାରେ ଯାଉଥିବା ବେଳେ ପଛରୁ ଆସି ଝାମ୍ପି ନେଇଥିଲେ ତାଙ୍କ ମୋବାଇଲ୍‌। ପାଟି କରିବାକୁ ବେକରେ ଛୁରୀ ଲଗାଇ ପଛାଇ ନଥିଲେ। ଏମିତିକି ଛାତ୍ର ଜଣଙ୍କ ବେକରେ ଆଘାତ ବି ଲାଗିଛି। କିନ୍ତୁ ଜୀବନ ଭୟରେ ଛାତ୍ର ଜଣକ ଥାନାରେ ଅଭିଯୋଗ କରିନାହାନ୍ତି। ସେହିପରି ଏହାର ପୂର୍ବଦିନ ଫକୀରମୋହନ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀ ବିଶ୍ବବିଦ୍ୟାଳୟକୁ ଯାଉଥିବା ବେଳେ ସହଦେଖୁଣ୍ଟା ନିକଟରେ ତାଙ୍କ ବେକ‌ରୁ ଲୁଟେରା ସୁନାଚେନ୍‌ ଛିଣ୍ଡାଇ ନେଇ ପଳାଇଥିଲା। ସେମିତି ସେହିଦିନ ଜଣେ ଗଣମାଧ୍ୟମର ପ୍ରତିନିଧି କର୍ମଚାରୀଙ୍କଠାରୁ ଲୁଟିବା ପାଇଁ ଚେଷ୍ଟା କରିଥିଲେ ବି ଲୁଟେରା ନେଇପାରି ନଥିଲା। ଏମିତି ଗୋଟିଏ କି ଦୁଇଟି ଘଟଣା ନୁହେଁ ପ୍ରତିଦିନ କେହି ନା କେହି ଲୁଟ୍‌ର ଶିକାର ହୋଇଥିଲେ। ବିଶେଷ କରି ଶାନ୍ତିକାନନ ଗଳି, ଆଜିମାବାଦ, ମଠସାହି, ସହଦେବଖୁଣ୍ଟା, ଏଡିଏମ୍‌ ଛକ ଆଦି ରାସ୍ତାରେ ଏଭଳି ଘଟଣା ଘଟୁଥିବା ଜଣାଯାଇଛି। ଗଳିକନ୍ଦିରେ ଛକି ରହୁଛନ୍ତି ଲୁଟେରା। ଆଉ ସୁଯୋଗ ପାଇବା ମାତ୍ରେ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ହେଲେ ଦୁର୍ଭାଗ୍ୟ‌, ଏ ଦିଗରେ ପୁଲିସ ପାଟ୍ରୋଲିଂ ‌ଯେମିତି ହେବା କଥା ତାହା ହେଉନାହିଁ। ଆଉ ଏହାର ଫାଇଦା ଉଠାଉଛନ୍ତି ଲୁଟେରା।

ବର୍ଷେ ତଳେ ନିର୍ଭୟା ଯୋଜନାରେ ଓଡ଼ିଶାକୁ ୫ ଶହ ନାଲି ସ୍କୁଟି ଯୋଗାଇ ଦେଇଥିଲେ ସରକାର। ଏହି କ୍ରମରେ ବାଲେଶ୍ବର ଜିଲ୍ଲାକୁ ୨୦୨୧ ଜାନୁଆ‌ରି ୧୦ ତାରିଖରେ ୨୦ଟି ନାଲି ସ୍କୁଟି ଆସିଥିଲା। ଛିନ୍‌ତାଇ, ଚୋରି, ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଭଳି ଅପରାଧ ରୋକିବା ପାଇଁ ଏହି ସ୍କୁଟି ପାଟ୍ରୋଲିଂ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଥିଲା। ତେବେ ସ୍କୁଟି ଆସିବାର କିଛିଦିନ ପରେ ସବୁ ଥାନାକୁ ଗୋଟିଏ ଲେଖାଏ ସ୍କୁଟି ପ୍ରଦାନ କରାଯାଇଥିଲା। ମହିଳା ପୁଲିସ କର୍ମଚାରୀ ସାଦା ପୋଷାକରେ ଏହି ସ୍କୁଟିରେ ପାଟ୍ରୋଲିଂ କରିଥାନ୍ତେ। ତେବେ ଏହି ସ୍କୁଟି ଆସିବାର ଦେଢ଼ବର୍ଷ ବିତିଥିଲେ ମଧ୍ୟ ଆଜିଯାଏ କିନ୍ତୁ ପାଟ୍ରୋଲିଂ ହେଉଥିବା ଦେଖିବାକୁ ମିଳିନାହିଁ। ଯାହା ଜଣାଯାଇଛି ଏହା ଥାନାରେ ପଡ଼ିପଡ଼ି ଖତ ଖାଉଛି। କେଉଁ କେଉଁ ଥାନାରେ ନିଜସ୍ବ କାମରେ ଲଗାଯାଉଥିବା ଜଣାଯାଇଛି।

ଅନ୍ୟପକ୍ଷରେ ସହରରେ ଲାଗିଥିବା ସିସି କ୍ୟାମେରା ମଧ୍ୟ ଲୁଟେରାଙ୍କୁ ଧରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ବିଭିନ୍ନ ଛକରେ ଏସବୁ କ୍ୟାମେରା କାମ କରୁ ନଥିବା ଜଣାଯାଇଛି। ଯାହାଫଳରେ ବିଭିନ୍ନ ଅପରାଧକୁ ନିୟନ୍ତ୍ରଣ କରିବାରେ ଏହି କ୍ୟାମେରା ଯେତିକି ସହାୟକ ହେଉଥିଲା, ତାହା ବିଫଳ ହୋଇଛି। ସୂଚନା ମୁତାବକ, ବାଲେଶ୍ବର ସହରରେ ମୋଟ୍‌ ୪୮ଟି ସିସିକ୍ୟାମେରା ବିଭିନ୍ନ ଛକମାନଙ୍କରେ ଲଗାଯାଇଥିବା ବେଳେ ଏଥିରୁ ୫ଟି କ୍ୟାମେରା ଅଚଳ ହୋଇଥିବା ଥାନା ରିପୋର୍ଟରୁ ଜଣାଯାଇଛି। ତେବେ ଏହାଠୁ ଢେର ଅଧିକ କ୍ୟାମେରା ଅଚଳ ହୋଇଥିବା ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର