ଭୁବନେଶ୍ବର : ସାତକୋଶିଆର ‘ସୁନ୍ଦରୀ’ ଠିକଣା କେଉଁଠି? ନନ୍ଦନକାନନ ଖୁଆଡ଼ ନା ମଧ୍ୟପ୍ରଦେଶର ବାନ୍ଧବଗଡ଼? ନା ପୁଣି ଫେରିବ ସାତକୋଶିଆ। ଟ୍ରାଙ୍କୁଲାଇଜ୍ କରାଯିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି। ବନ ବିଭାଗ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିନି। ଗତ ସପ୍ତାହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ ଯେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ ପରେ ନନ୍ଦନକାନନରେ ରଖାଯିବ। ହେଲେ ବିଭାଗୀୟ ଅଧିକାରୀମାନେ ଆଜି ଏହାକୁ ଖଣ୍ଡନ କରିଛନ୍ତି। ‘ସୁନ୍ଦରୀ’କୁ କେଉଁଠି ରଖାଯିବ ତାହା ନେସନାଲ ଟାଇଗର କନ୍ଜରଭେସନ୍ ଅଥରିଟି (ଏନ୍ଟିସିଏ) ଓ ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ)ର ପରାମର୍ଶ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପିସିସିଏଫ୍(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ସପ୍ତାହ ହେଲା ବନ ବିଭାଗର ବିଶେଷଜ୍ଞଙ୍କ ସମେତ ମଧ୍ୟପ୍ରଦେଶରୁ ଆସିଥିବା ସ୍ବତନ୍ତ୍ର ଟିମ୍ ସୁନ୍ଦରୀକୁ ଧରିବାକୁ ନାକେଦମ୍ ହୋଇଥିଲେ। ଚନ୍ଦକା ଜଙ୍ଗଲରୁ କୁମ୍କି ହାତୀ ‘ଯଶୋଦା’କୁ ବି ଅଭିଯାନରେ ସାମିଲ କରାଯାଇଥିଲା। ହାତୀ ଉପରେ ବସି ବନ ବିଭାଗର ଅଧିକାରୀମାନେ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲେ। ସମସ୍ତ ପ୍ରକାର ଉଦ୍ୟମ ପରେ ଶେଷରେ ବନ ବିଭାଗ ଚକ୍ରବ୍ୟୁହରେ ଫସିଛି ‘ସୁନ୍ଦରୀ’। ବିଶେଷଜ୍ଞ ଟିମ୍ଙ୍କ ଟ୍ରାଙ୍କୁଲାଇଜ୍ ପରେ ପିସିସିଏଫ୍ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ସୁନ୍ଦରୀ ଏବେ ସୁସ୍ଥ ରହିଛି। ତା’ର ଚିକିତ୍ସା ଚାଲିଛି। ରାଇଗୁଡ଼ା ଏନ୍କ୍ଲୋଜର୍ରେ ରଖାଯାଇଛି। ବିଶେଷଜ୍ଞ ଟିମ୍ ସୁନ୍ଦରୀ ଉପରେ କଡ଼ା ନଜର ରଖିଛି। ସେଠାରେ ୨ରୁ ୩ ଦିନ ପର୍ଯ୍ୟନ୍ତ ରଖାଯିବ। ଏହି ସମୟ ମଧ୍ୟରେ ଏନ୍ଟିସିଏ ଓ ଡବ୍ଲୁଆଇଆଇର ବୈଷୟିକ ପରାମର୍ଶ ନିଆଯିବ। ସେମାନଙ୍କଠାରୁ ମତାମତ ମିଳିବା ପରେ ପରବର୍ତୀ ଗାଇଡ୍ଲାଇନ୍ ଆଧାରରେ ସୁନ୍ଦରୀ କେଉଁଠି ରହିବ ତାହା ନିଷ୍ପତ୍ତି ହେବ।
ପୂର୍ବତନ ପିସିସିଏଫ୍ ବିଜୟ କେତନ ପଟ୍ଟନାୟକଙ୍କ କହିବା କଥା ‘ସୁନ୍ଦରୀ’କୁ କାବୁ କରାଯିବା ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି। ଏବେ ବନ ବିଭାଗ ପାଖରେ ୩ଟି ବିକଳ୍ପ ରହିଛି। ପ୍ରଥମତଃ ରାଇଗୁଡ଼ା ଏନ୍କ୍ଲୋଜର୍ରେ ରଖାଯାଇ ବନ ବିଭାଗ ତାହାର ଗତିବିଧି ଅନୁଧ୍ୟାନ କରିବ। କ’ଣ ପାଇଁ ସୁନ୍ଦରୀ ଉଗ୍ର ହେଉଛି? ସାଥୀ ପାଇନି ବୋଲି ଏମିତି ହେଉଛି କି? ଏଭଳି ବିଷୟ ଉପରେ ଅନୁଧ୍ୟାନ କରାଯିବ। ଯେହେତୁ ସୁନ୍ଦରୀ ଜୀବଜନ୍ତୁଙ୍କୁ ଶିକାର କରି ଖାଉଛି ତେଣୁ ଏହା ଉପରେ କୌଣସି ସନ୍ଦେହ ନାହିଁ। ଅନ୍ୟ ଦିଗଗୁଡ଼ିକ ଉପରେ ବନ ବିଭାଗ ଅନୁଧ୍ୟାନ କରିବା ଆବଶ୍ୟକ। ଦ୍ବିତୀୟତଃ ଯଦି ବାଘୁଣୀକୁ ନନ୍ଦନକାନନରେ ଆଣି ରଖାଯାଏ ତେବେ ତା’ର ଜଙ୍ଗଲୀ ଅଭ୍ୟାସ ନଷ୍ଟ ହୋଇଯିବ। ଶିକାର କରିପାରିବ ନାହିଁ। ଖୁଆଡ଼ରେ ଥିବା ଅନ୍ୟ ବାଘ/ବାଘୁଣୀଙ୍କ ପରି ସେ ରହିବ। ତୃତୀୟ ବିକଳ୍ପ ରହୁଛି ତାକୁ ପୁଣିଥରେ ବାନ୍ଧବଗଡ଼ ଫେରାଇ ନେବା। ଏହା କରାଗଲେ ସାତକୋଶିଆ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଏନ୍ଟିସିଏ ଓ ଡବ୍ଲୁଆଇଆଇ ପରାମର୍ଶ ଅନୁଯାୟୀ ନିଷ୍ପତ୍ତି ନିଆଯିବ।
ପରିବେଶବିତ୍ ବିଶ୍ବଜିତ୍ ମହାନ୍ତି କହିଛନ୍ତି ଯେ ସୁନ୍ଦରୀକୁ ଜଙ୍ଗଲ ଭିତରେ ହିଁ ରଖାଯାଉ। ଭଲ ହେବ ଯଦି ତା’କୁ ପୁଣିଥରେ ବାନ୍ଧବଗଡ଼ ଫେରାଇ ଦିଆଯାଏ। କାରଣ ଓଡ଼ିଶାରେ ଏବେ ବାଘ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଦେବ୍ରିଗଡ଼ ଘଟଣାରୁ ତାହା ସ୍ପଷ୍ଟ ଅନୁମେୟ ହୋଇଛି। ଶିମିଳିପାଳ ଓ ସାତକୋଶିଆରେ ବାଘ ସୁରକ୍ଷିତ ନୁହନ୍ତି। ଯେଉଁଥିପାଇଁ ଗତ ଦୁଇ ଦଶନ୍ଧିରେ ବହୁ ପରିମାଣରେ ବାଘ ହ୍ରାସ ପାଇଛନ୍ତି। ସାତକୋଶିଆରେ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ସପକ୍ଷରେ ସେଠାକାର ଲୋକେ ନାହାନ୍ତି। ବାଘଙ୍କ ଶିକାର ଲାଗି ସେଠାରେ ଯେତିକି ହରିଣ, ସମ୍ବର ରହିବା କଥା ତାହା ନାହାନ୍ତି। ତେଣୁ ବାଘ ଗାଈ, ଗୋରୁ ମାରି ଖାଇବେ। ଏହାଦ୍ବାରା ଲୋକେ ପ୍ରଭାବିତ ହେବେ। ବାଘକୁ ହତ୍ୟା କରିବାକୁ ପଛାଇବେ ନାହିଁ। ତେଣୁ ଉଚିତ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ସାତକୋଶିଆରେ ସଫଳ ହୋଇଛି। ତେଣୁ ପରବର୍ତୀ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ବିଭିନ୍ନ ଅଭୟାରଣ୍ୟରୁ ବାଘ ଅଣାଯାଇ ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରାଯିବ।