ସମ୍ବଲପୁର: ଯେଉଁଠି ଅନ୍ୟମାନଙ୍କ ଆଶା ଶେଷ ହୋଇଯାଏ, ସେଠାରେ ମୋଦୀର ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ। ମୋଦୀର ଗ୍ୟାରେଣ୍ଟି ‌ହେଉଛି, ଗ୍ୟାରେଣ୍ଟି ପୂରା କରିବାର ଗ୍ୟାରେଣ୍ଟି। ପୂର୍ବରୁ ଦିଲ୍ଲୀରେ ଥିବା ସରକାର ଓଡ଼ିଶାକୁ ବିକାଶରୁ ବଞ୍ଚିତ କରାଇ ରଖୁଥିଲେ। ହେଲେ, ବିଜେପି ସରକାର କିନ୍ତୁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରର ରେମେଡ଼ ପଡ଼ିଆରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଏଭଳି ବକ୍ତବ୍ୟ ରଖିଛନ୍ତି। ୨୦୧୪ ପୂର୍ବର ୧୦ ବର୍ଷ ଏବଂ ୨୦୧୪ ପରର ୧୦ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ କେଉଁ ସରକାର କେତେ କାମ କରିଛନ୍ତି, ତା’ର ତୁଳନାତ୍ମକ ଚିତ୍ର ରଖି କଂଗ୍ରେସ ଏବଂ ଏହାର ସହଯୋଗୀ ଦଳକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। ତେବେ ୨୪ ବର୍ଷ ଧରି ଓଡ଼ିଶାରେ କ୍ଷମତାରେ ଥିବା ବିଜେଡି ସରକାର ବିରୋଧରେ ଗୋଟିଏ ଶବ୍ଦ ବି କହିନଥିଲେ।

Advertisment

ଆଜି ଅପରାହ୍‌ଣରେ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ, ଜୟ ମା’ ସମଲେଇରୁ ନିଜର ଭାଷଣ ଆରମ୍ଭ କରି କହିଥିଲେ ଯେ ଆଗରୁ ଦିଲ୍ଲୀରେ ଥିବା ସରକାର କଳାହାଣ୍ଡିର ଗରିବ ଲୋକଙ୍କ ପାଖକୁ ଯାଇ ଫଟୋ ଉଠାଉଥିଲେ। ସେମାନେ ସାରା ଦୁନିଆରେ ଓଡ଼ିଶାର ଗରିବୀର ଚିତ୍ର ଦେଖାଉଥିଲେ। କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଗୌରବ ବଢ଼ାଇବା ପାଇଁ କାମ କରୁଛନ୍ତି। ଜି-୨୦ ସମ୍ମଳିନୀରେ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଓଡ଼ିଶା ସଂପର୍କରେ ଅବଗତ କରାଇବା ନିମନ୍ତେ କୋଣାର୍କ ଚକ୍ରକୁ ବଛାଯାଇଥିଲା। ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ଅପାର ସମ୍ଭାବନା ପାଇଁ ଅନେକ ପଦକ୍ଷେପ ନେ‌ବ। ଆଜି ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି। କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ ‌କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ନୂଆ ବଜେଟ୍‌ରେ ଗତ ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ବାହାରି ଆସିଥିବା ଜଣାପଡ଼ିଛି। ଗତ ୧୦ ବର୍ଷ ମଧ୍ୟରେ ଦେଶର ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି। ଏଥିରୁ ୨୫ ଲକ୍ଷ ଲାଭାର୍ଥୀ ପରିବାର ହେଉଛନ୍ତି ଓଡ଼ିଶାର। ପିଏମ୍‌ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କ ନିମନ୍ତେ ଏହି ବଜେଟ୍‌ରେ ଆହୁରି ୨ କୋଟି ଆବାସ ଯୋଗାଇବାର ଯୋଜନା କରାଯାଇଛି। କେହି ଯେମିତି ଝୁମ୍ପୁଡ଼ିରେ ନରହିବେ, ସେଥିପାଇଁ ମୁଁ ଦିନରାତି ଏକ କରୁଛି। ଚାଷୀ, ପଶୁପାଳନ, ମତ୍ସ୍ୟଜୀବୀଙ୍କ ଆୟବୃଦ୍ଧି ଓ ଜୀବନ ସହଜ କରିବା ହେଉଛି ବିଜେପି ସରକାରର ପ୍ରାଥମିକତା। ପିଏମ୍‌ କିଷାନ ନିଧିରେ ଓଡ଼ିଶାର ୪୦ ଲକ୍ଷ ଚାଷୀ ଲାଭାନ୍ବିତ ହୋଇଛନ୍ତି।

ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ
କଂଗ୍ରେସ ବିରୋଧରେ ଗର୍ଜିଲେ, ବିଜେଡି ସଂପର୍କରେ ନିରବ
କଂଗ୍ରେସ ଓଡ଼ିଶାର ଗରିବୀ ଦେଖାଉଥିଲା, ବିଜେପି ଗୌରବ ବଢ଼ାଉଛି

ମୋଦୀ ଆହୁରି କହିଲେ, ୨୦୧୪ ପୂର୍ବର ୧୦ ବର୍ଷ ମଧ୍ୟରେ ୩୬ ହଜାର କୋଟି ଟଙ୍କାର ଧାନ କିଣାଯାଇଥିଲା। ବିଜେପି ସରକାର ଅମଳରେ ଗତ ୧୦ ବର୍ଷ ମଧ୍ୟରେ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ଧାନ କିଣାଯାଇଛି। ସଂଚୟ ବଢ଼ିବ, ଆମଦାନୀ ବଢ଼ିବ, ଖର୍ଚ୍ଚ କମ୍ କରିବା ହେଉଛି ଆମର ପ୍ରାଥମିକତା। ଓଡ଼ିଶାର ୨୫ ଲକ୍ଷରୁ ଅଧିକ ପରିବାରକୁ ବିଜୁଳି ପହଞ୍ଚିଛି। ବିଜୁଳି ବିଲ୍‌ ଶୂନ୍ ଓ ରୋଜଗାର ବୃଦ୍ଧି ନିମନ୍ତେ ୧ କୋଟି ପରିବାର ପାଇଁ ରୁଫ୍‌ଟପ୍ ସୋଲାର ପ୍ରକଳ୍ପ ବ୍ୟବସ୍ଥା କରାଯାଉଛି। ଆଶା ଓ ଅଂଗନୱାଡ଼ି କର୍ମୀମାନଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଓଡ଼ିଶାର ୬୦ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ପାଣି ଯୋଗାଣ କରାଯାଇଛି। ୫୫ ଲକ୍ଷ ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ରୋଷେଇ ଗ୍ୟାସ୍ ପହଞ୍ଚାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇଛନ୍ତି। ଏହି ବଜେଟ୍‌ରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାର ବ୍ୟବସ୍ଥା କରାଯାଇଛି। ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ବଜେଟ୍‌ରେ ଯେତିକି ଘୋଷଣା କରାଯାଉଥିଲା, ତାଠାରୁ ଅଧିକ ଦୁର୍ନୀତି ହେଉଥିଲା। ପୂର୍ବରୁ ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧାରରେ ଥିବା ବେଳେ ବର୍ତ୍ତମାନର ଯୁବକମାନଙ୍କ ମଧ୍ୟ‌ରେ ଆତ୍ମବିଶ୍ବାସ ରହିଛି। ସମ୍ବଲପୁର ଆତ୍ମନିର୍ଭର ଭାରତର ଏକ କେନ୍ଦ୍ରରେ ପରିଣତ ହୋଇଛି। ଆଦିବାସୀ ସମାଜ ପ୍ରତିନିଧି ଭାବେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ସମୟରେ କଂଗ୍ରେସ ଓ ସହଯୋଗୀ ଦଳ ତାଙ୍କୁ ପରାଜିତ କରିବା ନିମନ୍ତେ ନିଜର ପୂରା ଶକ୍ତି ଲଗାଇ ଆଦିବାସୀ ସମାଜକୁ ଅପମାନିତ କରିଥିଲେ। ଏଥିସହିତ ମୋଦୀ କହିଥିଲେ, ଗୁଜରାଟର ବିକାଶରେ ଓଡ଼ିଆମାନଙ୍କ ଯଥେଷ୍ଟ ଅବଦାନ ରହିଛି।

ବୀର ସୁରେନ୍ଦ୍ର ସାଏ, ସନ୍ଥକବି ଭୀମ ଭୋଇ, ସ୍ବଭାବ କବି ଗଂଗାଧର ମେହେରଙ୍କୁ ସ୍ମରଣ କରିବା ସହିତ ପ୍ରଧାନମନ୍ତ୍ରୀ ଏଥର ଓଡ଼ିଶାର ୪ ପଦ୍ମ ସମ୍ମାନପ୍ରାପ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ଅଭିନେତା ସାଧୁ ମେହେରଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ବିଜେପି ରାଜ୍ୟ ସାଧାରଣ ସଂପାଦକ ସୀମାଞ୍ଚଳ ଖଟାଇ ସଭା ପରିଚାଳନା କରିଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶା ପ୍ରତି ମୋଦୀଙ୍କ ଅବଦାନ ସଂପର୍କରେ କହିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟର ବିଜେପି ବିଧାୟକ ଓ ସାଂସଦମାନେ ସଭାରେ ଉପସ୍ଥିତ ଥିଲେ। ରେଙ୍ଗାଳି ବିଧାୟକ ନାଉରୀ ନାୟକ ଓ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।