ମାଲକାନଗିରି: ହିଡମା ନାମ ଶୁଣିଲେ କେବଳ ପୁଲିସ ନୁହେଁ ଚାରି ରାଜ୍ୟର ଲୋକେ ମଧ୍ୟ ଆତଙ୍କିତ ହୋଇପଡନ୍ତି। ଦୁର୍ଦାନ୍ତ ମାଓନେତା ହିଡମାକୁ ଚାରି ରାଜ୍ୟର ପୁଲିସ ଖୋଜୁଛି। ତାଂକ ନାମରେ ୨୫ କୋଟି ଟଂକାର ପୁରସ୍କାର ରହିଛି। ଛତିଶଗଡ଼ର ଘଂଚ ଜଗଲରେ ସେ ରହୁଛି। ପୁଲିସ ହିଡମାକୁ ଧରିବାକୁ କିମ୍ବା ମାରିବାକୁ ବହୁ ଯୋଜନା କରି ଫେର ମାରିଛି। କାରଣ ହିଡମାର ସୁରକ୍ଷା ଅତି କଡାକଡି। ଚାରୋଟି ସେକ୍ସନ ଦେଇ ହିଡମା ପାଖରେ ପହଞ୍ଚିବାକୁ ପଡିବ। ତାଂକର ପୁରୁଣା ଫଟୋ ହିଁ ପୁଲିସ ନିକଟରେ ରହିଛି।

Advertisment

ବର୍ତ୍ତମାନ ସେ କିପରି ଦେଖାଯାଉଛନ୍ତି କେହି ମଧ୍ୟ ଜାଣିନାହାନ୍ତି। ତାଂକ ସଂପର୍କରେ ଆତ୍ମସମର୍ପଣ କରିଥିବା ତାଂକର ଗନମ୍ୟାନ ସୁନ୍ଦରୀ କୁରାମି ଯାହା ବଖାଣିଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଜଣେ ମୁଖ୍ୟମନ୍ତ୍ରୀ କିମ୍ବା କ୍ୟାବିନେଟ ମନ୍ତ୍ରୀଙ୍କୁ ମିଶିବାକୁ ହେଲେ କିଛି ପ୍ରଟକଲ ରୁହେ। ସେହିପରି ହିଡମାକୁ ମଧ୍ୟ ସାକ୍ଷାତ କରାଯାଇପାରିବ ନାହିଁ।ସୁନ୍ଦରୀ ଛୋଟ ଥିବା ବେଳେ ହିଁ ନକ୍ସଲ ତାକୁ ଘରୁ ଉଠାଇ ନେଇଥିଲେ। ସେତେବେଳେ ସୁନ୍ଦରୀକୁ ୧୩ ବର୍ଷ ହୋଇଥିଲା। ସେ ଭଲ ଗୀତ ଗାଉଥିବାରୁ ସଂଗଠନର ନାଟ୍ୟମଣ୍ଡଳୀର ସଦସ୍ୟ ହେଲା ପରେ ସେ ପାର୍ଟି ମେମ୍ବର ହୋଇ ପୁଲିସ ବିରୋଧରେ ଲଢେଇ କରି କିଛି ଦିନ ପାଇଁ ତାକୁ ହିଡମାର ଗନମ୍ୟାନ ହିସାବରେ ଦାୟୀତ୍ବ ମିଳିଥିଲା। ଯେଉଁଥଇପାଇଁ ସେ ହିଡମାକୁ ଦେଖିପାରିଥିଲା।

ହିଡମା ରହିବା ସ୍ଥାନରେ ପ୍ରଥମେ ୪ ଜଣ ଗନମ୍ୟାନ ରହିବେ। ଏମାନେ ହିଡମା ପାଇଁ ରନ୍ଧାବଢା କରିବା ସହ ଦେଖାଶୁଣା କରିବେ। ତାଂକ ସୁରକ୍ଷାର ଏ-ସେକ୍ସନରେ ୨୨ ଜଣ ନକ୍ସଲ ରହିବେ। ବି-ସେକ୍ସନରେ ୨୫ ଜଣ, ସି-ସେକ୍ସନରେ ୨୫ ଜଣ ଏବଂ ଡି-ସେକ୍ସନରେ ୧୪ ଜଣ ନକ୍ସଲ ରହିବେ। କୌଣସି ନକ୍ସଲ କିମ୍ବା ସାଧାରଣ ନାଗରିକ ତାଂକ ସହ ସାକ୍ଷାତ କରିପାରିବ ନାହିଁ। କେବଳ ଏରିଆ କମାଣ୍ଡରମାନେ ହିଁ ତାଂକୁ ସାକ୍ଷତ କରିପାରିବେ। ଯେତେ ସବୁ ବଡ଼ବଡ଼ ଘଟଣା ଘଟିଛି, ସେସବୁର ମାଷ୍ଟରମାଇଣ୍ଡ ହେଉଛି ହିଡମା। ବନ୍ଧୁକ ତିଆରି କରିବା ସହ ବୋମା ତିଆରି କରିବାର ସମସ୍ତ କୌଶଳ ହିଡମାକୁ ଜଣା। ଶତ୍ରୁକୁ କିପରି ପରାସ୍ତ କରାଯିବ ସେ ହିଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରେ।ହିଡମା ପ୍ରତିଦିନ କିପରି ଶତ୍ରୁକୁ ହରାଇବେ ସେନେଇ ପ୍ଲାନ ପ୍ରସ୍ତୁତ କରିଥାଏ। ସଂଧ୍ୟାରେ ସେ ରାତି ୧୧ଟା ପର୍ଯ୍ୟନ୍ତ ପଢେ। ପରେ ଏରିଆ କମାଣ୍ଡରମାନଙ୍କ ସହ ୱାକିଟକିରେ କଥାବାର୍ତ୍ତା ହୁଏ। ପୁଣି ସକାଳ ୪ଟାରେ ଉଠି ପୁଣି ପଢେ। ସକାଳ ହେଲେ ସମସ୍ତ କାମ ସାରି ରୋଲକୋଲ ନିଏ।

ପ୍ରତିଦିନ ନକ୍ସଲଙ୍କୁ ପିଟି କରାଏ। ଲଢିବାକୁ ସେ ନିଜେ ଯାଏନି। ନିଜର ଦଳକୁ ସବୁବେଳେ ପଠାଏ। ହିଡମା ବହୁତ ସାତିର ଏବଂ ବହୁତ ଚାଲାକ ବୋଲି ସୁନ୍ଦରୀ କହନ୍ତି।ଏକେ-୪୭ ସବୁବେଳେ ଧରେ। ତାକୁ ବର୍ତ୍ତମାନ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗ ରହିଛି। ବିଭିନ୍ନ ରାଜ୍ୟର ଡାକ୍ତରମାନେ ତାଂକୁ ଔଷଧ ପଠାନ୍ତି ବୋଲି ସୁନ୍ଦରୀ କହନ୍ତି।ବଜାରରୁ କ୍ଷୀର ଆସିଲେ ସେ ଚାହା ପିଏ। ହିଡମା ସବୁବେଳେ ଗାଈ ଓ ଛେଳି ଖାଇବାକୁ ପସନ୍ଦ କରେ। ତାଂକ ପାଇଁ ସବୁ ଅଲଗା ଜିନିଷ ଆସେ ଏବଂ ଦାମି ଖାଦ୍ୟ ଖାଏ।ହିଡମା ଏବେ ବି ରାଜକୀୟ ଢଙ୍ଗରେ ରହୁଛି।