କୁଆଡ଼େ ଗଲେ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ? ୨ ମାସ ହେଲା ୨୫୦ କର୍ମଚାରୀ ଓ ଡାକ୍ତରଙ୍କ ଦରମା ମିଳିନି

ସ୍ବାସ୍ଥ୍ୟ ବିଭାଗର କାରଣ ଦର୍ଶାଅ ନୋଟିସ୍‌କୁ ବି ବେଖାତିର

ବାଲେଶ୍ବର: ନୀଳଗିରି ବ୍ଲକ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ ତଥା ଶଲ୍ୟ ଚିକିତ୍ସା ବିଶେ‌ଷଜ୍ଞ ଡାକ୍ତର କାଳୀଚରଣ ପାଲ ଜୁନ୍‌ ୨୦ ତାରିଖରୁ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଡାକ୍ତରଖାନା କର୍ମଚାରୀଙ୍କ ଦରମା ଓ ଖର୍ଚ୍ଚ (ଡିଡିଓ, ଡ୍ରୟାଲ୍‌ ଓ ଡିସବୋର୍ସ ଅଫିସର୍) ଦାୟିତ୍ବରେ ଡାକ୍ତର ପାଲ ରହିଥିବା ବେଳେ ତାଙ୍କ ଅଧୀନରେ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହିତ କାଂଶ, ଅଯୋଧ୍ୟା, ବେତକଟା, କଳାକାଦଳ, ସଜନାଗଡ଼ ଆଦି ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହି ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୨୫୦ କର୍ମଚାରୀ ଓ ଡାକ୍ତର ଦୁଇ ମାସ ହେଲା ଦରମା ପାଇନାହାନ୍ତି। ବିଶେଷ କରି ସ୍ବାସ୍ଥ୍ୟକେନ୍ଦ୍ରର ତଳିଆ କର୍ମଚାରୀମାନେ ବିନା ଦରମାରେ ନାହିଁନଥିବା ହଇରାଣ ହେଉଛନ୍ତି। ଡାକ୍ତର ପାଲ ୪ ବର୍ଷ ହେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୋଇଥିବା ବେଳେ ତାଙ୍କର ଏଭଳି ଦାୟିତ୍ବହୀନତାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ ଜୁଲାଇ ୨୦ ତାରିଖରେ ଚିଠି ନଂ ୧୧୦୮୫ରେ ଡାକ୍ତର ପାଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ହେଲେ ଡାକ୍ତର ପାଲ ଏହି ନୋଟିସ୍‌ର କୌଣସି ଉତ୍ତର ରଖିନାହାନ୍ତି। ଏମିତିକି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି। କିନ୍ତୁ ଆଜିଯାଏ ଡାକ୍ତର ପାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସ୍ବାସ୍ଥ୍ୟସେବା ଭଳି ଏକ ଜରୁରୀ ସେବାରେ ବିଭାଗୀୟ ମୁଖ୍ୟ ଅଧିକାରୀ ଏତେ ଦିନ ଅନୁପସ୍ଥିତ ରହିବା ଏବଂ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଆଦୌ ମୁଣ୍ଡ ନ ଖେଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସବୁଠୁ ବଡ଼ କଥା ହେଲା, ଡାକ୍ତର ଓ କର୍ମଚାରୀ ଦରମା ନ ପାଇ ହଇରାଣ ହେଉଥିବା ବେଳେ ସ୍ବାସ୍ଥ୍ୟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହି ଅବ୍ୟବସ୍ଥାକୁ ନେଇ ଆଜି ସ୍ବାସ୍ଥ୍ୟକେନ୍ଦ୍ରର କିଛି କର୍ମଚାରୀ ଓ ଡାକ୍ତର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଜଣାଇଛନ୍ତି। ଡାକ୍ତର ପାଲଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଡାକ୍ତର ଓ କର୍ମଚାରୀ ଦାବି କରିଛନ୍ତି।

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗଦ୍ଦେବ କହିଛନ୍ତି, ଏ ବିଷୟରେ ଦୁଇ ଥର ଅଭିଯୋଗ ପାଇଛି। ଜିଲ୍ଲାପାଳଙ୍କ ସହିତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଏ ବାବଦରେ ଜାଣିଛନ୍ତି। ଖୁବ୍‌ଶୀଘ୍ର ଡାକ୍ତର ଓ କର୍ମଚାରୀ କିପରି ଦରମା ପାଇବେ, ସେଥିପାଇଁ ଉଦ୍ୟମ କରାଯାଉଛି।

ସମ୍ବନ୍ଧିତ ଖବର