କେଉଁଠି ମାଡ଼ ହେବ ‘ବୁଲ୍‌ବୁଲ୍‌’? ଆଜି ବାତ୍ୟା ରୂପ ନେବ ଅବପାତ

ଓଡ଼ିଶା ଉପରୁ ବିପଦ ଟଳିନି: ପାଣିପାଗ ମହାନିର୍ଦେଶକ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପୂର୍ବାହ୍ନରେ ଅବପାତରେ ପରିଣତ ହୋଇଥିଲା। ଏହା ଅଧିକ ଘନୀଭୂତ ହୋଇ ରାତି ପ୍ରାୟ ୧୨ଟା ବେଳକୁ ଗଭୀର ଅବପାତ ରୂପ ନେଇଛି। ବୁଧବାର ତଥା ନଭେମ୍ବର ୬ ତାରିଖ ପୂର୍ବାହ୍ନ ସୁଦ୍ଧା ଏହା ବାତ୍ୟା(ବୁଲ୍‌ବୁଲ୍‌)ରେ ପରିଣତ ହୋଇ ପ୍ରଥମେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇପାରେ। ତେବେ କେଉଁଠି ସ୍ଥଳ ଭାଗ ଛୁଇଁବ ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରାଯାଇ ନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ ସମ୍ଭାବ୍ୟ ବାତ୍ୟା ରାତି ୯ଟା ୧୫ ସୁଦ୍ଧା ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୮୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିଭଳି ଏହା ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜଠାରୁ ୯୬୦ ଓ ବାଂଲାଦେଶର ଖେପୁପାରାଠାରୁ ୯୭୦ କିମି ଦୂରରେ ରହି ଶକ୍ତି ଗୋଟାଉଛି। ୬ ତାରିଖ ଅପରାହ୍ନରେ ଏହା ବାତ୍ୟା ରୂପ ନେବା ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୭୫ରୁ ୯୫ କିମି ରହିବ। ୭ ତାରିଖ ପୂର୍ବାହ୍ନ ବେଳକୁ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିବ। ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବା ସହିତ ସ୍ଥଳବିଶେଷରେ ୧୩୫ କିମି ବେଗରେ ଝଟକା ଦେବ। ୮ ତାରିଖ ପୂର୍ବାହ୍ନ ବେଳକୁ ଏହା ଅତିଭୀଷଣ ବାତ୍ୟାର ରୂପ ନେବ ଏବଂ ଘଣ୍ଟାପ୍ରତି ପବନର ବେଗ ୧୪୫ କିମି ‌ଛୁଇଁସାରିଥିବ। ତେବେ ଏହି ସମୟରେ ବାତ୍ୟା ସମୁଦ୍ର ଭିତରେ ରହିଥିବ।

ପଶ୍ଚିମବଙ୍ଗ ଓ ବାଲାଂଦେଶକୁ ବି ଯାଇପାରେ
୯ ତାରିଖରେ ଦିଗ ପରିବର୍ତନ କରିବା ସମ୍ଭାବନା
ପାରାଦୀପଠାରୁ ୮୭୦ କିମି ଦୂରରେ କେନ୍ଦ୍ରୀଭୂତ
ସତର୍କ ରହିବାକୁ ୧୫ ଜିଲ୍ଲାପାଳଙ୍କୁ ନିର୍ଦେଶ
୫ ଦିନ ପାଇଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ରାତି ପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟାର ବିପଦ ଓଡ଼ିଶା ଉପରୁ ଟଳି ନାହିଁ। ବର୍ତମାନର ସ୍ଥିତି ଅନୁଯାୟୀ ବାତ୍ୟା ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶର ଯେକୌଣସି ସ୍ଥାନରେ ଉପକୂଳକୁ ସ୍ପର୍ଶ କରିପାରେ। ତେବେ ୬ ତାରିଖ ଦିନ ଏ ନେଇ ଚିତ୍ର ସ୍ପଷ୍ଟ ହେବ।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଯେ ୯ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳଠାରୁ ଯଥେଷ୍ଟ ଦୂରରେ ଅର୍ଥାତ୍ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହେବ। ତେବେ ସେଠାରେ ଦିଗ ପରିବର୍ତନ କରି ଉତ୍ତର କିମ୍ବା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଧିକ ରହିଛି। ୧୦ ତାରିଖ ସନ୍ଧ୍ୟା ପରେ ବାତ୍ୟାର ଗତି ବଢିବ ଓ ଦୂର୍ବଳ ହେବା ଆରମ୍ଭ କରିବ। ୧୧ ତାରିଖ ସନ୍ଧ୍ୟା କିମ୍ବା ୧୨ ତାରିଖରେ ପଶ୍ଚିମବଙ୍ଗ ନ ହେଲେ ବାଂଲାଦେଶ ଉପକୂଳ ସ୍ପର୍ଶ କରିଲା ବେଳକୁ ଦୁର୍ବଳ ହୋଇଯାଇଥିବ। ଏହି ଆକଳନ ଅନୁଯାୟୀ ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପାରାଦୀପଠାରୁ ବାଲେଶ୍ବର ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା ହେବ। ପବନର ବେଗ ବିଶେଷ ରହିବ ନାହିଁ। ଅନ୍ୟାନ୍ୟ ଉପକୂଳବର୍ତୀ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ହାଲକା ବର୍ଷା ହୋଇପାରେ। ୭ରୁ ୯ ତାରିଖ ପର୍ଯ୍ୟନ୍ତ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ୯ ତାରିଖରେ ଗତିପଥ ବଦଳାଇବ ନାହିଁ। ତେବେ ଓଡ଼ିଶା ପାଇଁ ବିପଦ ଆସିପାରେ।

ଡ. ପଶୁପାଳକଙ୍କ ଆକଳନ କହୁଛି, ୭ ତାରିଖ ସକାଳେ ‘ମହା’ ଗୁଜୁରାଟରେ ପ୍ରବେଶ କରିବା ପରେ ଦୁର୍ବଳ ହୋଇଯିବ। ୯ ତାରିଖଠାରୁ ପୁଣି ଉତ୍ତର ଭାରତରେ ସମ୍ଭାବ୍ୟ ଗୁରୁଚାପ ପବନ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ପ୍ରବାହିତ ହେବ। ଯାହାକି ବାତ୍ୟା ଓଡ଼ିଶାକୁ ମୁହାଁଇବାରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ସହ ‘ବୁଲବୁଲ’କୁ ଅଧିକ ଦୁର୍ବଳ କରିପାରେ। ଏମିତିକି ଯେଉଁ ସ୍ଥାନରେ ସ୍ପର୍ଶ କଲେ ବି ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗରେ ବିଶେଷ ପ୍ରଭାବ ପକାଇବ ନାହିଁ। ପବନ ଓ ବର୍ଷାର ପ୍ରଭାବ ଜଳ ଭାଗ ଭିତରେ ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପାର୍ଶ୍ବ ପ୍ରଭାବ ପଡ଼ିବ। ତେବେ ୯ ତାରିଖ ସକାଳେ ଗତିପଥ ପରିବର୍ତନ କରି ଏକ ନିର୍ଣ୍ଣାୟକ ଭୂମିକା ନେବ। ଯାହାକି ଅଧିକ ସ୍ପଷ୍ଟ ଭାବେ କେଉଁଠାରେ, କେବେ ପହଞ୍ଚିବ କହିହେବ।

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ଯେ ବାତ୍ୟା ରୂପରେଖ କ’ଣ ରହିବ, କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହୋଇନି। ବାତ୍ୟା ହେଲେ ତାହା ଓଡ଼ିଶା ଉପକୂଳ ଛୁଇଁ ନପାରେ। ତେବେ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବର୍ତ୍ତମାନ ସ୍ଥିତିରୁ ଜଣାପଡ଼ୁଛି ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବ। ଯଦି ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବ ତେବେ ଯଥାଶୀଘ୍ର ଲୋକଙ୍କୁ ସବିଶେଷ ସୂଚନା ଦିଆଯିବ। ତେଣୁ ଏବେଠୁ ଭୟଭୀତ ହେବାର କୌଣସି କାରଣ ନାହିଁ। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟି ‌ରଖି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖାଯାଇଛି। ଉକ୍ତ ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ମାଲକାନଗିରି। ମିଳିଥିବା ସୂଚନା ଅନୁସାରେ ବାତ୍ୟାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ଆସନ୍ତା ୧୦ ତାରିଖ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବା କଥା ହେଉଛି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଇତିମଧ୍ୟରେ ଅବପାତରେ ପରିଣତ ହୋଇଛି। କେଉଁ ସ୍ଥାନକୁ ସ୍ପର୍ଶ କରିବ ତାହା ଏବେ କହିବା କଷ୍ଟକର। ତେବେ ୮ ତାରିଖଠାରୁ ଓଡ଼ିଶାରେ ପାଗ ବଦଳିବ। ମେଘୁଆ ପାଗ ସହ ୯ ତାରିଖରେ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ସେହିଦିନଠାରୁ ପଶ୍ଚିମବଙ୍ଗ ଉପକୂଳରେ ବି ପ୍ରବଳ ବର୍ଷା ଆରମ୍ଭ ହେବ। ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ସମୁଦ୍ର ଓ ଆଖପାଖ ଅଞ୍ଚଳ, ୭ ଓ ୮ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ। ୮ରୁ ୧୦ ତା‌ରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବ। ତେଣୁ ବୁଧବାରଠାରୁ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି। ଉପକୂଳର ସମସ୍ତ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ସମ୍ବନ୍ଧିତ ଖବର