ବାହାନଗା: ତାତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକ କଲବଲ ହେଉଛନ୍ତି | ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିବା ପାଇଁ ତତ୍କାଳ ପଦକ୍ଷେପ ନେବାକୁ ଶକ୍ତି ବିଭାଗ ଓ ବିତରଣ କମ୍ପାନିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ସବଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାରି ଭିତରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି | ଖୋଦ ଶକ୍ତି ମନ୍ତ୍ରୀଙ୍କ ସଭାରେ ବିଦ୍ୟୁତ ଚାଲିଯାଇଛି |

Advertisment

କିଛିଦିନ ତଳେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଦମ୍ଭୋକ୍ତିର ସହ କହିଥିଲେ ଯେ ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହୋଇନାହିଁ କି ହେବାର ସମ୍ଭାବନା ବି ନାହିଁ। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହେଁ କି ପାୱାର୍‌ କଟ୍ ‌ହେଉଛି। ପ୍ରତିଶ୍ରୁତି ଦେଉଛି ଯେ ଏବର୍ଷ ପାୱାର୍‌ କଟ୍‌ ହେବନି। କିନ୍ତୁ ଆଜି ବାହାନଗାଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଆୟୋଜିତ ଶୋକସଭାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଯୋଗ ଦେଇଥିବାବେଳେ ସଭାରେ ଭାଷଣ ଚାଲିଥିବାବେଳେ ବିଦ୍ୟୁତ କଟିଯାଇଥିଲା | ଆଉ ଶକ୍ତିମନ୍ତ୍ରୀ ଆୟୋଜକଙ୍କୁ ପ୍ରଶ୍ନ କରିଥିଲେ ଜେନେରେଟର ଆଣିନ କି? ବିଜୁଳି କାଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିବାବେଳେ ଶକ୍ତି ମନ୍ତ୍ରୀ କିନ୍ତୁ ଏହାକୁ ସ୍ୱୀକାର କରୁନଥିଲେ | ତେବେ ଶକ୍ତି ମନ୍ତ୍ରୀ କିନ୍ତୁ ନିଜେ ବସିଥିବା ସଭା ଆରମ୍ଭରୁ ବିଜୁଳି କଟିଯାଇଥିଲା । ଏବାଵଦରେ ଶକ୍ତି ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ଚାହିଁଥିଲେ ବି ସେ କୌଣସି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ |