ଭୁବନେଶ୍ବର: ୨୦୧୫ ଜୁନ୍ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ, ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ତାହା ପରେ ଦୁଇ ଦୁଇ ଜଣ ସ୍ବାସ୍ଥ୍ୟ ମନ୍ତ୍ରୀ ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟ ହେବା ନେଇ କହି ଚାଲିଲେ। ଏହା ମଧ୍ୟରେ ଚାରି ବର୍ଷ ବିତିଗଲା। କେବଳ ଘୋଷଣା ଓ କାଗଜପତ୍ରରେ ଅଟକିଗଲା ପ୍ରସ୍ତାବିତ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ। ଫାଇଲ୍ ଭିତରୁ କେବେ ବିଶ୍ବବିଦ୍ୟାଳୟ ବାହାରକୁ ଆସିବ, ତାହାର ଉତ୍ତର କାହା ପାଖରେ ନାହିଁ। ନୂଆ ମେଡିକାଲ କଲେଜ ସହ ସ୍ବାସ୍ଥ୍ୟ ଶିକ୍ଷାର ଭିତ୍ତିଭୂମି ରାଜ୍ୟରେ ବଢ଼ୁଥିଲା ବେଳେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ଏମିତି ସ୍ଥାଣୁତା ଆଗାମୀ ଦିନରେ ସ୍ବାସ୍ଥ୍ୟ ଶିକ୍ଷାକୁ ବାଟବଣା କରିବାର ଆଶଙ୍କା ରହିଛି। ୨୦୧୫ ଜୁନ୍ ପ୍ରଥମ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗର ବାର୍ଷିକ କାର୍ଯ୍ୟ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କଲେ। ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଲେ। ସେହି ମାସ ୧୮ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଗଲା। ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ସମସ୍ତ ଡିଗ୍ରି ପାଠ୍ୟକ୍ରମ ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ ବୋଲି ନିଷ୍ପତ୍ତି ହେଲା। ବୈଠକରେ ବିଶ୍ବବିଦ୍ୟାଳୟର ଏକ ପ୍ରାଥମିକ ରୂପରେଖ ବି ପ୍ରସ୍ତୁତ କରାଗଲା।
ଏହା ପରେ ବିଭିନ୍ନ ପ୍ରକ୍ରିୟା ଦେଇ ‘ୟୁନିଭର୍ସିଟି ଅଫ୍ ହେଲ୍ଥ୍ ସାଇନ୍ସେସ୍ ଆକ୍ଟ,୨୦୧୬’ ଶୀର୍ଷକ ଚିଠା ମେମୋରାଣ୍ଡମ୍ ପ୍ରସ୍ତୁତ କରାଗଲା। ୨୦୧୬ ମେ’ ୬ ତାରିଖରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଲା। କିନ୍ତୁ ବିଲ୍ରେ କିଛି ସର୍ତ୍ତାବଳୀକୁ ରାଜ୍ୟପାଳ ଆପତ୍ତି ଉଠାଇଲା ପରେ ତାହା ଆଇନ ବିଭାଗକୁ ଗଲା ଓ କିଛିଟା ସଂଶୋଧନ କରାଗଲା। ବାସ୍, ତା’ପରେ ଅଟକିଗଲା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରକ୍ରିୟା। ତିନି ବର୍ଷ ହେଲା ସଂଶୋଧିତ ପ୍ରସ୍ତାବ କ୍ୟାବିନେଟ୍କୁ ଆସିଲା ନାହିଁ କି ବିଧାନସଭାରେ ଉପସ୍ଥାପନ ହେଲା ନାହିଁ। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ମୁଣ୍ଡ ଟେକିବା ଆଗରୁ ଖୋଦ୍ ସ୍ବାସ୍ଥ୍ୟ ବିଭାଗ ହିଁ ତାହାକୁ ଫାଇଲ୍ ଭିତରେ ବାନ୍ଧିଦେଲା। ୨୦୧୭ରେ ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ ଦାୟିତ୍ବ ନେଲା ପରେ ହୋଇଥିବା ବାର୍ଷିକ ସମୀକ୍ଷା ବୈଠକରେ ସେହି ପୁରୁଣା କଥାକୁ ଦୋହରାଇଥିଲେ। ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କହିଥିଲେ। କିନ୍ତୁ ମନ୍ତ୍ରୀଙ୍କ ଘୋଷଣା ସହିତ ବିଭାଗୀୟ କାର୍ଯ୍ୟର କୌଣସି ସମ୍ପର୍କ ନ ଥିଲା। ଫାଇଲ୍ ଭିତରେ ସେମିତି ବିଶ୍ବବିଦ୍ୟାଳୟର ଭାଗ୍ୟ ଅଟକି ରହିଲା।
ଦୀର୍ଘ ବର୍ଷ ଧରି ରାଜ୍ୟରେ ମାତ୍ର ତିନିଟି ସରକାରୀ ମେଡିକାଲ୍ କଲେଜ ଓ ଅନ୍ୟ ପାଠ୍ୟକ୍ରମ ପାଇଁ ଖୁବ୍ କମ୍ କଲେଜ ଥିବାରୁ ସ୍ବାସ୍ଥ୍ୟ ଶିକ୍ଷା ପାଇଁ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟର ଆବଶ୍ୟକତା ନ ଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିପୁଳ ସଂଖ୍ୟାରେ ମାନବ ସମ୍ବଳର ଆବଶ୍ୟକତା ସୃଷ୍ଟି ହେଲା। ଉଭୟ ଘରୋଇ ଓ ସରକାରୀ ସ୍ତରରେ ଅନେକ ହସ୍ପିଟାଲ୍ ପ୍ରତିଷ୍ଠା ହେଲା। ଫଳରେ ଉଭୟ ଡାକ୍ତରୀ ଶିକ୍ଷା ଓ ଆନୁଷଙ୍ଗିକ ସ୍ବାସ୍ଥ୍ୟ ପାଠ୍ୟକ୍ରମର ଚାହିଦା ବଢ଼ିବାରେ ଲାଗିଲା। ଫଳରେ ସରକାର ନୂ୍ଆ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଥିଲା ବେଳେ ଘରୋଇ ଉଦ୍ୟମରେ ମଧ୍ୟ ମେଡିକାଲ୍ କଲେଜ ଓ ଅନ୍ୟ ଆନୁଷଙ୍ଗିକ ପାଠ୍ୟକ୍ରମ ପାଇଁ ବହୁ କଲେଜ ପ୍ରତିଷ୍ଠା ହେଲା।
ଏବେ ରାଜ୍ୟରେ ସରକାରଙ୍କ ଅଧୀନରେ ୭ଟି ମେଡିକାଲ କଲେଜ ରହିଛି। ପୁଣି ଆଉ ତିନିଟି ମେଡିକାଲ କଲେଜର ଭିତ୍ତିଭୂମି ବି ନିର୍ମାଣ ସରିଲାଣି। ଏହା ବାଦ୍ ଘରୋଇ ଉଦ୍ୟମରେ ବି ତିନିଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି, ଯେଉଁଥିରୁ କି ଦୁଇଟି ଡିମ୍ଡ ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ହେଉଥିଲା ବେଳେ ଗୋଟିଏ ସରକାରୀ ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି। ଏହା ବାଦ୍ ଫାର୍ମାସି, ନର୍ସିଂ, ଫିଜିଓଥେରାପି, ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ଆଦି ପାଠ୍ୟକ୍ରମରେ ଘରୋଇ ଅନୁଷ୍ଠାନ ସଂଖ୍ୟା ବି େଢର୍ ରହିଛି। ଏମ୍ସିଆଇ ପରି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଗାଇଡ୍ଲାଇନ୍ ଅନୁଯାୟୀ ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ପାଠ୍ୟକ୍ରମଗୁଡ଼ିକ ପରିଚାଳିତ ହେଉଛନ୍ତି। ରାଜ୍ୟ ସରକାରଙ୍କ ଡିଏମ୍ଇଟି ମଧ୍ୟ ସ୍ବାସ୍ଥ୍ୟ ଶିକ୍ଷାର ତଦାରଖ କରନ୍ତି। ତେବେ ଏଠାରେ ଏକାଧିକ ବିଶ୍ବବିଦ୍ୟାଳୟ ସହ ଉଭୟ ସରକାରୀ ଓ ଘରୋଇ କଲେଜଗୁଡ଼ିକ ଅନୁବନ୍ଧିତ ହେଉଛନ୍ତି। ଯେଉଁ ଅଞ୍ଚଳରେ କଲେଜ ପ୍ରତିଷ୍ଠା ହେଉଛି, ସେଠାରେ ଥିବା ବିଶ୍ବବିଦ୍ୟାଳୟ ସହ ତାହା ଅନୁବନ୍ଧିତ ହେଉଛି। ଫଳରେ ସଂପୃକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ସେଠାରେ ପରୀକ୍ଷା ପରିଚାଳନା, ସାର୍ଟିଫିକେଟ୍ ଆଦି ପ୍ରଦାନ କରାଯାଉଛି।
ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ଶିକ୍ଷାନୁଷ୍ଠାନ ସଂଖ୍ୟା ଏତେ ମାତ୍ରାରେ ବଢ଼ୁଛି ଯେ ସାଧାରଣ ବିଶ୍ବବିଦ୍ୟାଳୟଗୁଡ଼ିକ ପକ୍ଷେ ଠିକଣା ଢଙ୍ଗରେ ପରୀକ୍ଷା ପରିଚାଳନା ଓ ଆନୁଷଙ୍ଗିକ କାର୍ଯ୍ୟ ସମ୍ଭବ ହେଉ ନାହିଁ। ବହୁ ସମୟରେ ପରୀକ୍ଷା କରିବା ଓ ଫଳ ପ୍ରକାଶନରେ ବିଳମ୍ବ ନେଇ ଅଭିଯୋଗ ଉଠୁଛି। କିଛି ବିଶ୍ବବିଦ୍ୟାଳୟ ଜାଣିଶୁଣି ଅନୁଷ୍ଠାନଗୁଡ଼ିକୁ ହଇରାଣ କରୁଥିବାର ଅଭିଯୋଗ ମଧ୍ୟ ବିଭିନ୍ନ ସମୟରେ ଆସୁଛି। ବିଶ୍ବବିଦ୍ୟାଳୟ ଉପରେ ସ୍ବାସ୍ଥ୍ୟ ବିଭାଗର କୌଣସି ନିୟନ୍ତ୍ରଣ ରହୁନି। ଫଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛୋଟ ଛୋଟ କାମରେ ବିଶ୍ବବିଦ୍ୟାଳୟରେ ବହୁ ସମସ୍ୟା ଭୋଗୁଛନ୍ତି। ନୂଆ ସ୍ବାସ୍ଥ୍ୟ ନୀତି ପାଇଁ ସ୍ବାସ୍ଥ୍ୟ ବିଭାଗ ବ୍ୟଗ୍ର ହେଉଥିଲା ବେଳେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଭାଗ କାହିଁକି ଆଗ୍ରହ ଦେଖାଉନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ମେଡିକାଲ କଲେଜ ଖୋଲିଦେଲେ ହେବ ନାହିଁ, ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଶିକ୍ଷାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବା ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟର ଆବଶ୍ୟକତା ରହିଛି। ବିଭାଗୀୟ ଅଧିକାରୀମାନଙ୍କ ବେପରୱା ମନୋଭାବ ପାଇଁ ବିଶ୍ବବିଦ୍ୟାଳୟ ପ୍ରକ୍ରିୟା ଅଟକିଛି ନା ଏହା ପଛରେ ଆଉ କିଛି କାରଣ ଅଛି, ତାହା ବୁଝାପଡ଼ୁ ନାହିଁ। ବର୍ତ୍ତମାନର ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଏନେଇ ଯୋଗାଯୋଗ କରାଯିବାରୁ ସେ ଏହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି।