ରାୟଗଡା: ରାୟଗଡ଼ାରୁ ଆସିଛି ଚାଞ୍ଚଲ୍ୟକର ଖବର। ଲୋକଶକ୍ତି ଅଭିଯାନର ସଭାପତି ତଥା ଜଣାଶୁଣା ପରିବେଶବିତ୍ ପ୍ରଫୁଲ ସାମନ୍ତରାଙ୍କୁ ହୋଟେଲ ରୁମରୁ ଅଜଣା ବ୍ୟକ୍ତି ଉଠାଇନେଇଥିବା ଅଭିଯୋଗ ହୋଇଛି। ଆଜି ସ୍ଥାନୀୟ ଏକ ହୋଟେଲରେ ବେଦାନ୍ତ ଓ ମୈତ୍ରୀ କମ୍ପାନି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଥିଲା। ସେ ହୋଟେଲର ୧୦୩ ନମ୍ବର ରୁମରେ ରହୁଥିଲେ। ତେବେ ଅପରାହ୍ନ ସାଢେ ୩ଟା ବେଳେ କିଛି ସାଦାପୋଷାକଧାରୀ ହୋଟେଲରେ ପ୍ରବେଶ କରି ଶ୍ରୀ ସାମନ୍ତରାଙ୍କୁ ଏକ ବଲେରୋରେ ନେଇଯାଇଥିବା ଜଣାପଡ଼ିଛି। ହୋଟେଲ ମାଲିକଙ୍କ କହିବା କଥା ହେଲା, ତାଙ୍କୁ ହୁଏତ ସାଦାପୋଷାକଧାରୀ ପୁଲିସ ଉଠାଇ ନେଇ ପାରିଥାଆନ୍ତି। ମାତ୍ର ଶ୍ରୀ ସାମନ୍ତରାଙ୍କୁ କିଏ ଉଠାଇ ନେଇଛନ୍ତି ତାହା ନିର୍ଦ୍ଦିଷ୍ଟ କରି ହୋଟେଲ୍ ମାଲିକ କହିପାରୁନାହାନ୍ତି।
ଅନ୍ୟ ଦିଗରେ ପୁଲିସ ଏ ସଂକ୍ରାନ୍ତରେ ମୁହଁ ଖୋଲୁ ନାହିଁ। ଶ୍ରୀ ସମନ୍ତରାଙ୍କର ଫୋନ ମଧ୍ୟ ବନ୍ଦ ରହିଛି। ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲେ ମଧ୍ୟ ସେ କାହିଁକି ଯୋଗ ଦେଉନାହାନ୍ତି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ତାଂକ ଫୋନ ଲାଗୁନଥିବା କୁହାଯାଇଥିଲା। ଖବର ନେବାରୁ ଜଣାପଡିଥିଲା ଯେ ପ୍ରାୟ ୪/୫ ଜଣ ଲୋକ ହୋଟେଲରେ ପଶି ତାଂକୁ ଅଜଣା ସ୍ଥାନକୁ ସଙ୍ଗରେ ନେଇଯାଇଛନ୍ତି । ଅନ୍ୟ ପକ୍ଷରେ ତାଂକୁ କମ୍ପାନି ସମର୍ଥିତ ଲୋକେ ଉଠାଇନେବା ଆଶଙ୍କା ବି ପ୍ରକାଶ ପାଇଛି। ଏ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ହୋଟେଲ ମାଲିକ ଥାନାରେ ଏତଲା ଦାୟର କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ମିଥ୍ୟା ମାମଲାରେ ପ୍ରାୟ ୨୧ ଜଣ ଗ୍ରାମବାସୀଙ୍କୁ କାଶୀପୁର ଅଂଚଳରୁ ପୁଲିସ ଉଠାଇ ନେଇଥିବାରୁ ଏହାର ପ୍ରତିବାଦରେ ଆଜି ସମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶ୍ରୀ ସାମନ୍ତରା ଗାଏବ ହୋଇଯାଇଥିବାରୁ ତାଂକୁ କିଏ ନେଲା ନା ସେ ନିଜେ ଗଲେ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ପୁଲିସ ଏ ନେଇ କିଛି ସ୍ପଷ୍ଟ ଉତ୍ତର ଦେଉନାହିଁ। ତେଣୁ ପୁଲିସ ହିଁ ଶ୍ରୀ ସାମନ୍ତରାଙ୍କୁ ଉଠାଇ ନେଇଥାଇପାରେ ବୋଲି କିଛି ଲୋକ ସନ୍ଦେହ କରୁଛନ୍ତି।