ପୁରୀ: ବଦଳିଛି ସହରର ଭିତ୍ତିଭୂମି। ନୂଆ ରୂପ ପାଇଛି ଐତିହ୍ୟ ସ୍ମାରକୀ। କୋଭିଡ୍‌ ପରେ ପର୍ଯ୍ୟଟକଙ୍କ ଆଗମନ ଦ୍ବିଗୁଣିତ ହୋଇଛି। କିନ୍ତୁ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ନିୟନ୍ତ୍ରିତ କରୁଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ନା ମୁଖ୍ୟ ଆଞ୍ଚଳିକ ଅଧିକାରୀ ନିଯୁକ୍ତ ହେଲେ, ନା ଖାଲି ପଡ଼ିଥିବା ପଦବି ପୂରଣ ହେଲା। ଏପରିକି ବର୍ଷ ବର୍ଷ ହେଲା ଆଞ୍ଚଳିକ ଟ୍ରାନ୍ସପୋର୍ଟ ଅଥରିଟି କମିଟି ମଧ୍ୟ ଗଠନ ହୋଇପାରିଲା ନାହିଁ। କେବଳ ଦୋଷ କାଟିବାକୁ ଧରପଗଡ଼ ହେଉଛି ସିନା, କିନ୍ତୁ ଅମାନିଆ ଗାଡ଼ିଚାଳକଙ୍କ ଉପରେ ଲଗାମ ଲଗାଇବାରେ ସକ୍ଷମ ହୋଇନି ଆର୍‌ଟିଓ। ସବୁଠୁ ବେଶି ସମସ୍ୟା ଭୋଗୁଛନ୍ତି ବସ୍‌ ମାଲିକ।  

Advertisment

ରବିନ ପଟ୍ଟନାୟକଙ୍କ ଅବସର ପରେ କାମଚଳାରେ ଚାଲିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ଏଣେ ପରମିଟ୍‌ ନବୀକରଣ ବିବାଦ ସଂଖ୍ୟା ବଢ଼ିବଢ଼ି ଚାଲିଛି। ରାଜରାସ୍ତାରେ ନା ଗାଡ଼ି ଯାଞ୍ଚ ହେଉଛି, ନା ରିକ୍ୟୁସିସନରେ ଯାଇଥିବା ଗାଡ଼ିର ମାଲିକମାନଙ୍କୁ ସେମାନଙ୍କ ପାଉଣା ମିଳୁଛି। ଗତ ବର୍ଷ ଜୁନ୍‌ ମାସ ସୁଦ୍ଧା ପୁରୀରେ ୨୯୭ଟି ସଡ଼କ ଦୁର୍ଘଟଣା ଘଟିଛି ଓ୮୪ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଉଭୟ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଅଥଚ ମେ’ ମାସ ୩୧ ତାରିଖ ପରଠୁ ଏଠାରେ (ଆର୍‌ଟିଓ) ନିଯୁକ୍ତ ହୋଇନାହାନ୍ତି। ପର୍ଯ୍ୟଟନସ୍ଥଳୀ ଯୋଗୁ ପ୍ରତିଦିନ ପୁରୀକୁ ପର୍ଯଟକଙ୍କ ସୁଅ ଛୁଟେ। ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକ ତଥା ଭକ୍ତଙ୍କ ଆଗମନ ହେଉଛି। ପୁରୀକୁ ଦୈନିକ ୨୫୦ରୁ ଅଧିକ ବସ୍‌ ଚଳାଚଳ କରୁଛି। ମାତ୍ର ୭ ମାସ ହେଲା (ଆର୍‌ଟିଓ) ନଥିବାରୁ ପରମିଟ୍‌ ନବୀକରଣ, ଓନରସିପ୍‌ ପରିବର୍ତ୍ତନ କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁନାହିଁ। ଏହାବ୍ୟତୀତ ଟାଉନ୍‌ ବସ୍‌ଠୁ ନେଇ ଅନ୍ୟ ଗାଡ଼ିଗୁଡ଼ିକର ପରମିଟ୍‌ ପ୍ରଦାନ କାର୍ଯ୍ୟ ମଧ୍ୟ ଆର୍‌ଟିଓର। ବିଶେଷକରି ପରମିଟ୍‌ ସଂକ୍ରାନ୍ତ ବାଦ ବିବାଦର ସମାଧାନ ପାଇଁ ଆର୍‌ଟିଓ ବୈଠକ ଡାକି ଫଇସଲା କରନ୍ତି। କିନ୍ତୁ ଏହି କାର୍ଯ୍ୟ ତ୍ବରାନ୍ବିତ ହେବା ନେଇ ଏବେ ସମସ୍ୟା ଉପୁଜୁଛି ବୋଲି ଜଣେ ବସ୍‌ ମାଲିକ କହିଛନ୍ତି।

ଅନ୍ୟପକ୍ଷରେ ରିଜିଓନାଲ ଟ୍ରାନ୍ସପୋର୍ଟ ଅଥରିଟି କମିଟି ଜିଲ୍ଲାରେ ରହିବାର ବ୍ୟବସ୍ଥା ରହିଛି। ଏହି କମିଟି ଜରିଆରେ ପରମିଟ୍‌ ବାଦ ବିବାଦ, ରିପ୍ଲେସ୍‌ମେଣ୍ଟ, ରୁଟ୍‌ ପରିମିଟ୍‌ ଆଦି ସମସ୍ୟା ବାବଦରେ ଆଲୋଚନା ହୋଇ ସମାଧାନର ପନ୍ଥା ବାହାରେ। ଜିଲ୍ଲା ମଧ୍ୟରେ ପରବହନ ସଂକ୍ରାନ୍ତ ସମସ୍ତ ବାଦ ବିବାଦର ସମାଧାନ ଏହି କମିଟି ଜରିଆରେ ବାହାରିଥାଏ। ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ ଓ ଆର୍‌ଟିଓ ଏହାର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥାଆନ୍ତି। ମାତ୍ର୧୫ ବର୍ଷରୁ ଅଧିକ ହେଲା ଏହି କମିଟି ଗଠନ ହେଉନାହିଁ। ଫଳରେ ଗାଡ଼ି ମାଲିକମାନେ ସମସ୍ୟା ଭୋଗୁଛନ୍ତି। ଅନ୍ୟ ପକ୍ଷରେ ଆର୍‌ଟିଓରେମାନବ ସମ୍ବଳର ଅଭାବ ଯୋଗୁ ଯାଞ୍ଚ ପ୍ରକ୍ରିୟା ମଧ୍ୟ ନିୟମିତ ହୋଇପାରୁ ନାହିଁ। ଏମ୍‌ଭିଆଇଙ୍କୁ ତାଙ୍କ ଦାୟିତ୍ବ ସହ ଅତିରିକ୍ତ ଭାବେ ଆର୍‌ଟିଓଙ୍କ ଦାୟିତ୍ବ ଦିଆଯାଇଥିବାରୁ ଏହା ସମସ୍ୟା ସୃଷ୍ଟି କରୁଛି। ପୂର୍ବତନ ଆର୍‌ଟିଓ ଓଏସ୍‌ଡି ଭାବେ ନିୟୋଜିତ ଅଛନ୍ତି। କିନ୍ତୁ ସେ କର୍ତ୍ତୃତ୍ବ ଶୂନ୍ୟ ଭାବେ ରହିଛନ୍ତି। ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି। କିନ୍ତୁ ନିଶାସେବନ କରି ଗାଡ଼ି ଚଳାଇବା, ବାଇକ୍‌ ଚଳାଇବା ବେଳେ ମୋବାଇଲ୍‌ ବ୍ୟବହାର, ହେଲ୍‌ମେଟ୍‌ ନପିନ୍ଧି ବାଇକ୍‌ଚାଳନା ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଛି ଓ ଲୋକେ ମୃତାହତ ହେଉଛନ୍ତି। ପୁରୀ ଆର୍‌ଟିଓରେ ମାନବସମ୍ବଳର ଅଭାବ ଦୁର୍ଘଟଣାଜନିତ ମୃତ୍ୟୁ ହାର ନିୟନ୍ତ୍ରଣକୁ ଆସିପାରୁନାହିଁ।