ଏତେ ବ୍ରାଉନ୍‌ସୁଗାର ଆସୁଛି କେଉଁଠୁ?

ଜଗତ୍‌ସିଂହପୁରରେ ଅଧକୋଟିର ଜବତ, ୭ ବେପାରୀ ଗିରଫ; ୨୧ ଲକ୍ଷ ଟଙ୍କା ଓ ଅଳଙ୍କାର ଜବତ

ଜଗତସିଂହପୁର ଟାଉନ୍/ଏରସମା : ଜଗତସିଂହପୁର ପୁଲିସକୁ ଶୁକ୍ରବାର ବଡ଼ ସଫଳତା ମିଳିଛି। ତିର୍ତ୍ତୋଲ୍‌ ସବ୍‌ଡିଭିଜନ ଅଧୀନ ତିନୋଟି ଥାନା ଅଂଚଳରେ ଚଢ଼ଉ କରାଯାଇ ୫ ଶହ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। ଏଥିସହ ନଗଦ ୨୧ ଲକ୍ଷ ଟଙ୍କା, ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି। ଏହି ଘଟଣାରେ ୭ ଜଣଙ୍କୁ ପୁଲିସ ଗିରଫ କରିଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ପାଖାପାଖି ୫୫ ଲକ୍ଷ ଟଙ୍କା ‌ହେବ ବୋଲି ଆକଳନ କରାଯାଉଛି। ର୍ସୂଚନା ଅନୁସାରେ, ଆଜି ତିର୍ତ୍ତୋଲ୍‌ ସବ୍‌ଡିଭିଜନ ଅଧୀନ କୁଜଙ୍ଗ, ଏରସମା ଓ ରଘୁନାଥପୁର ଥାନା ଅଂଚଳରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉରେ ପୁଲିସ କୁଜଙ୍ଗ ଥାନା ଅଧୀନ ଷଣ୍ଢପୁରରୁ ୨୭୩ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଷଣ୍ଢପୁରର ଅକ୍ଷୟ ସ୍ବାଇଁ(୮୨)ଙ୍କ ନିକଟରୁ ୧୭ ଗ୍ରାମ୍, ପତ୍ନୀ ବେବିନା ସ୍ବାଇଁ(୩୨)ଙ୍କ ନିକଟରୁ ୨୫୬ ଗ୍ରାମ୍ ଏବଂ କୁଜଙ୍ଗ ଥାନା ପିତେଇପୁରର କୁଳମଣି ପରିଡ଼ାଙ୍କ ପୁଅ ରାଜେଶ ସାମଲ(୨୪)ଙ୍କ ଠାରୁ ୨୪ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିଲା। ଅନ୍ୟପଟେ ଏରସମା ବସ୍‌ଷ୍ଟାଣ୍ତ ନିକଟ ଏକ ପରିତ୍ୟକ୍ତ ଘରୁ ପୁଲିସ ୨୬୦ ଗ୍ରାମ୍ ବ୍ରାଉନସୁଗାର୍‌ ଜବତ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମାନସ ସ୍ବାଇଁ ଓରଫ ମାମା (୩୫), ବିଶ୍ବପ୍ରକାଶ ନାୟକ ଓରଫ ଫିଲୁ(୩୪) ଏବଂ ଜ୍ୟୋତିରଂଜନ ଲେଙ୍କା ଓରଫ ରକି। ସେମାନଙ୍କ ନିକଟରୁ ୨୧ଲକ୍ଷ ଟଙ୍କା, ସୁନା-ରୂପା ଅଳଙ୍କାର, ବିଦ୍ୟୁତଚାଳିତ ଓଜନ ମେସିନ୍ ପ୍ରଭୃତି ଜବତ କରାଯାଇଛି।

ଏସ୍‌ପି ଅଖିଳେଶ୍ବର ସିଂଙ୍କ ସୂଚନା ଅନୁସାରେ ଗତ ମାସକ ଭିତରେ ୫୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଧରାଯାଇଛି। ୫୦ରୁ ଅଧିକ ବ୍ରାଉନସୁଗାର ବେପାରୀ ଗିରଫ ହେବା ସହ ୧୦ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏହାକୁ ମିଶାଇଲେ ପ୍ରାୟ ଏକ କିଲୋ ବ୍ରାଉନସୁଗାର ଜବତ ହେଲାଣି। ଯାହାର ବଜାର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି।

ଯାଜପୁରରେ ୩ ଗିରଫ
ପାଣିକୋଇଲି : ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ ଶୁକ୍ରବାର ତିନିଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଶିଖରପୁର ସୁଦର୍ଶନ ଜେନା (୩୨), କ୍ରେତା କୁଆଖିଆ ଥାନା ଗୋପୀନାଥପୁର ଶାସନର ବିକାଶ ସାମଲ ଓରଫ ଭୋଳା (୨୫) ଓ ଧର୍ମଶାଳା ଥାନା ନୂଆପାଳ ଗ୍ରାମର ସୁବାସ ସାମଲ ଓରଫ ଡୋରା (୩୦)। ସେମାନଙ୍କ ନିକଟରୁ ହ୍ୟୁଣ୍ତାଇ କାର (ଓଡି୦୨ ଏୱାଇ ୩୨୯୦ ) ଓ ବାଇକ୍‌ (ଓଡି ୦୫ ଏଲ ୬୧୪୪) ସହ ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ୮.୯୦୦ ମିଲିଗ୍ରାମ (୩୨୩ ପୁଡ଼ିଆ) ବ୍ରାଉନ ସୁଗାର ଜବତ ହୋଇଥିବା ପାଣିକୋଇଲି ଥାନାଧିକାରୀ ସୁଶୀଲ କୁମାର ନାୟକଙ୍କଠାରୁ ସୂଚନା ମିଳିଛି।

ଢେଙ୍କାନାଳରେ ୪୦ ଗ୍ରାମ୍‌ ଜବତ, ୨ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ସହର ସମେତ ଜିଲ୍ଳାର ବିଭିନ୍ନ ବ୍ଳକରେ ଧଳାଜହର ବେପାରୀମାନଙ୍କ ରାଜ୍ ଚାଲିଛି। ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ୍ ସ୍କ୍ବାଡ୍ ପକ୍ଷରୁ ସହରର ୨ଟି ସ୍ଥାନରେ ଚଢଉ କରାଯାଇଥିଲା। ୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ, ସରୋଜ ବେହେରା ଓରଫ କୁନା ଏବଂ ରାହୁଳ କୁମାର ରାଉତ।

ନୟାଗଡ଼ ଜିଲ୍ଲାରୁ ୫ ଗିରଫ, ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୬ ଗ୍ରାମ ଜବତ
ନୟାଗଡ଼/ଓଡ଼ଗାଁ : ଶୁକ୍ରବାର ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଓ ପୁଲିସ ଚଢ଼ାଉ କରି ୩୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି।
ବ୍ରାଉନ ସୁଗାର୍‌ କାରବାର ନେଇ ନୟାଗଡ଼ ସଦର ଥାନା ପୁଲିସ ଆଜି ତିନି ଭାଇଙ୍କୁ ଗିରଫ କରିଛି। ଏମାନେ ବାଲୁଗାଁର କାଶୀନାଥ ପ୍ରଧାନ ଓରଫ୍‌ କାଳିଆ (୨୫), ସନ୍ତୋଷ ପ୍ରଧାନ (୩୫), ବିଶ୍ବନାଥ ପ୍ରଧାନ (୩୦)। କାଶୀନାଥକୁ ବିଦ୍ୟାଖାଲ ପୋଖରୀ ନିକଟରୁ ପୁଲିସ ଗିରଫ କରିଥିଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରୁ ପୁଣି ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ପୁରୁଷୋତ୍ତମ ଦାସ ଓରଫ୍‌ ଜଗା(୨୭)।

ସେହିଭଳି, ଓଡ଼ଗାଁ ପାଟଣାସହିରୁ ଜଣେ ବ୍ୟବସାୟୀଠାରୁ ୨୭ ଗ୍ରାମ ୭୦ ମିଲିଗ୍ରାମ୍ ଧଳା ଜହରକୁ ପୁଲିସ ଜବତ କରି ଆଜି ଜଣେ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତି ହେଲେ, ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଆଙ୍ଗିସିଙ୍ଗି ଗ୍ରାମର ମାନସ ଶତପଥୀ।

ସୂଚନା ଅନୁସାରେ, ଗତକାଲି ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ପୁଲିସ ଗାଡ଼ି ଦେଖି ମାନସ ଖସିଯିବାକୁ ଉଦ୍ୟମ କରିଥିଲା। ପୂର୍ବରୁ ମାନସ ଉପରେ ସନ୍ଦେହ ଥିବାରୁ ମାନସ ପୁଲିସ ହାବୁଡ଼ରୁ ଖସିବା ସହଜ ହୋଇନଥିଲା। ପୁଲିସର ଏକ ଟିମ୍ ମାନସକୁ ସର୍ଚ୍ଚ କରିବା ବେଳେ ତା’ ପକେଟରୁ ୨୭.୭୦ ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଅଭିଯୋଗ କ୍ରମେ, ମାନସ ପୂର୍ବରୁ ବ୍ରାଉନସୁଗାର ବ୍ୟବସାୟରେ ସଂଶ୍ଲିଷ୍ଟ ଥିବା ଜାଣିବାକୁ ପାଇଥିଲା। ଆଜି ପୁଲିସ ମାନସକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର