ଚନ୍ଦ୍ରଶେଖରପୁର/ ସମ୍ବଲପୁର: ଆତ୍ମହତ୍ୟା କରିଥିବା ସଫ୍ଟୱେର୍ ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ର ଏବେ କେଉଁଠି? ସେ ଗଲେ କୁଆଡ଼େ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ସେ ନିଜ ବଡ଼ଭାଇଙ୍କ ସହ ବୁଲେଟରେ ସମ୍ବଲପୁରରେ ଥିବା ଘରୁ କୁଆଡ଼େ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ ସୌମ୍ୟଜିତ। ଏକଥା ସିସିଟିଭି ଫୁଟେଜରୁ ଜଣାଯାଇଛି। ଯଦି ଆଜି ଚନ୍ଦ୍ରଶେଖରପୁର ଥାନାରେ ସୌମ୍ୟଜିତ ମହାପାତ୍ର ନ ପହଞ୍ଚନ୍ତି, ତେବେ ସମ୍ବଲପୁର ଥାନା ପୁଲିସର ସହାୟତା ନେଇ ଚନ୍ଦ୍ରଶେଖରପୁର ଥାନା ସୌମ୍ୟଜିତଙ୍କୁ ଖୋଜିପାରେ। ଏଣେ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ୩୦୬ ଦଫାରେ ଏକ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ଶ୍ବେତା ଉତ୍କଳ କୁମାରୀଙ୍କ ପାଇଁ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ର ଦାୟୀ ବୋଲି ଗତକାଲି ଚନ୍ଦ୍ରଶେଖରପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଶ୍ବେତାଙ୍କ ବାପା ଓ ଦୁଇ ଭାଇ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ର ନାଁରେ ଅଭିଯୋଗ କରିଛନ୍ତି। ସୌମ୍ୟଜିତ୍ ବିଭିନ୍ନ ସମୟରେ ଶ୍ବେତାଙ୍କୁ ବ୍ଲାକ୍ମେଲ୍ କରି ମାନସିକ ନିର୍ଯାତନା ଦେଉଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଶ୍ବେତାଙ୍କ ରୁମ୍ରୁ ମିଳିଥିବା ଡାଏରିର ତଥ୍ୟ ଆଧାରରେ ତଦନ୍ତ ଚଳାଇଛି। ଶ୍ବେତାଙ୍କ ଡାଏରି, ମୋବାଇଲ୍ ଓ ତାଙ୍କ ବାପା ଭାଇଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସୌମ୍ୟଜିତ୍ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।
ଶ୍ବେତାଙ୍କ ପରିବାରଲୋକଙ୍କ କହିବା ଅନୁଯାୟୀ, ୨୦୧୮ ମସିହାରେ ସୌମ୍ୟଜିତ ଓ ଶ୍ବେତା ଭୁବନେଶ୍ବରସ୍ଥିତ ଏକ ଆଇଟି କମ୍ପାନିରେ ଚାକିରି କରିଥିଲେ। ସେହିଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କଥା ବଢ଼ିବାରୁ, ସେମାନେ ଲିଭ୍-ଇନ୍ରେ ରହିଥିଲେ। ଶ୍ବେତାଙ୍କ ଘରଲୋକ ଏକଥା ଜାଣିବା ପରେ ଦୁହିଁଙ୍କ ବିବାହ କରାଇଦେବାକୁ ସୌମ୍ୟଜିତଙ୍କ ପରିବାରକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସୌମ୍ୟଜିତଙ୍କ ପରିବାର ଯୌତୁକ ବାବଦକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ।
ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନହେଲେ ମଧ୍ୟ ଶ୍ବେତାଙ୍କ ବାପା ଏଥିପାଇଁ ଏକପ୍ରକାର ବାଧ୍ୟ ହୋଇଥିଲେ। ପରେ ଏହାକୁ ନେଇ ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ପରେ ସୌମ୍ୟଜିତ୍ ଚାକିରି ଛାଡ଼ି ନିଜ ଘର ସମ୍ବଲପୁର ପଳାଇବା ସହ ଶ୍ବେତାଙ୍କୁ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଥିଲା। ଲିଭ୍-ଇନ୍ ବେଳର କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓକୁ ଭାଇରାଲ୍ କରିବ ବୋଲି ଧମକ ଦେଉଥିଲା। ଶ୍ବେତା ଭଲ ଦରମା ପାଉଥିବାରୁ ସେ ଟଙ୍କା ପାଇବା ଆଶାରେ ବ୍ଲାକମେଲ୍ କରୁଥିଲା ବୋଲି ଏତଲାରେ ଦର୍ଶାଯାଇଛି। ଏନେଇ ପରିବାରଲୋକଙ୍କୁ ଶ୍ବେତା ଜଣାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନଥିଲା। ତେଣୁ ଶ୍ବେତା ମାନସିକ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଛି ବୋଲି ଆଜି ତାଙ୍କ ପରିବାର ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଛି।