କେଉଁଠି ରହିବ ‘ସୁନ୍ଦରୀ’?

ପିସିସିଏଫ୍‌ଙ୍କୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ଚିଠି

ଭୁବନେଶ୍ବର,ନୂଆଦିଲ୍ଲୀ: ଗତ ଦୁଇ ଦିନ ତଳେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ନନ୍ଦନକାନନକୁ ଅଣାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ। ତେବେ ସୁନ୍ଦରୀକୁ ଚିଡ଼ିଆଖାନାକୁ ଅଣାଯିବାକୁ ନେଇ ଉଠିଥିବା ପ୍ରସ୍ତାବ ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ବା ସିଜେଡ୍‌ଏ। ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଲେଖିଥିବା ଚିଠିରେ ଜାତୀୟ ଚିଡ଼ିଆଖାନା ନୀତି ଅନୁଯାୟୀ ବନ୍ୟଜନ୍ତୁଙ୍କୁ କୌଣସି ଚିଡ଼ିଆଖାନା କର୍ତୃପକ୍ଷ ନେଇପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଫଳରେ ପରିବେଶ ମନ୍ତ୍ରୀ କେଉଁ ଆଧାରରେ ସୁନ୍ଦରୀକୁ ଚିଡ଼ିଆଖାନାକୁ ଅଣାଯିବ ବୋଲି କହିଥିଲେ ତାହାକୁ ନେଇ ଚର୍ଚା ଜୋର ଧରିଛି। ଗଣମାଧ୍ୟମରେ ‘ସୁନ୍ଦରୀ’କୁ ନନ୍ଦନକାନନରେ ରଖାଯିବାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ବନ୍ୟପ୍ରାଣୀ କର୍ମୀ ଅଜୟ ଦୁବେ ଜାତୀୟ ଚିଡ଼ିଆଖାନା ପ୍ରାଧିକରଣକୁ ଚିଠି ଲେଖିଥିଲେ। ଏହି ଚିଠି ଆଧାରରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଦସ୍ୟ ଡି.ଏନ୍‌ ସିଂହ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ଦୁଇଦିନ ତଳେ ଚିଠି ଲେଖିଛନ୍ତି। ଶ୍ରୀ ସିଂହ ଚିଠିରେ ଲେଖିଛନ୍ତି ଯେ, ‘ସୁନ୍ଦରୀ’ ଏକ ବନ୍ୟଜନ୍ତୁ। ୧୯୯୮ ମସିହା ଜାତୀୟ ଚିଡ଼ିଆଖାନା ନୀତିର ଧାରା ୩,୨.୧ରେ ପ୍ରଜନନ କାର୍ଯ୍ୟକ୍ରମ ଛଡ଼ା ବନ୍ୟଜନ୍ତୁଙ୍କୁ ଚିଡ଼ିଆଖାନା କର୍ତୃପକ୍ଷ ନେଇପାରିବେ ନାହିଁ। ଯଦି ସୁନ୍ଦରୀକୁ ଚିଡ଼ିଆଖାନାକୁ ନିଆଯାଏ ଏହି ଆଇନର ଖୋଲାଖୋଲି ଉଲ୍ଲଂଘନ ହେବ। ତେଣୁ ପରବର୍ତୀ ପଦକ୍ଷେପ ନେବା ପୂର୍ବରୁ ଜାତୀୟ ଚିଡ଼ିଆଖାନା ନୀତିକୁ ଅନୁକରଣ କରିବାକୁ ‌ସେ ଉଲ୍ଲେଖ କରିଛନ୍ତି।

ଏହି ପରିସ୍ଥିତିରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନ୍‌ଟିସିଏର ଚୂଡ଼ାନ୍ତ ନିର୍ଦେଶ ‘ସୁନ୍ଦରୀ’ର ଭାଗ୍ୟ ନିର୍ଧାରଣ କରିବ ବୋଲି କୁହାଯାଉଛି। ଏନ୍‌ଟିସିଏର ଏସ୍‌ଓପିରେ ଅଭୟାରଣ୍ୟ ଅଞ୍ଚଳରେ ବାଘ ଦ୍ବାରା କୌଣସି ପ୍ରକାର ଆକ୍ରମଣ ଭଳି ଘଟଣା ଘଟିଲେ ସେହି ବାଘକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଏନକ୍ଲୋଜର୍‌ରେ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେବେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରାଯିବାର ପରବର୍ତୀ ସ୍ଥିତି, ବାଘୁଣୀର ଗତିବିଧି, ବିଶେଷଜ୍ଞମାନଙ୍କର ମତ ସଂପର୍କରେ ରାଜ୍ୟ ବନ ବିଭାଗର ରିପୋର୍ଟକୁ ଏନ୍‌ଟିସିଏ ବିଶ୍ଳେଷଣ କରିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଦେଶର ବିଭିନ୍ନ ଅଭୟାରଣ୍ୟରେ ଅନ୍ୟ ରାଜ୍ୟରୁ ବାଘ ବଂଶ ବୃଦ୍ଧି ପାଇଁ ସେଠାରେ ବାଘକୁ ଛଡ଼ାଯିବା ପରେ ସାତକୋଶିଆ ଭଳି ପରିସ୍ଥିତି ଉପୁଜିଥିଲା କି ନାହିଁ ସେ ସଂପର୍କରେ ଅନୁଧ୍ୟାନ କରାଯିବ। ପାନ୍ନା, ନୋରାଡିହି, ସାରିସ୍କା ଓ ମୁକୁନ୍ଦରା ଅଭୟାରଣ୍ୟରେ ମଧ୍ୟ ପୂର୍ବରୁ ଅନ୍ୟ ରାଜ୍ୟରୁ ବାଘ ଅଣାଯାଇ ଛଡ଼ା ଯାଇଥିଲା। ‘ପ୍ରୋଜେକ୍ଟ ଟାଇଗର୍‌’ ଯୋଜନାକୁ ଏନ୍‌ଟିସିଏ ଦ୍ବାରା ତ୍ବରାନ୍ବିତ ତଥା ତଦାରଖ କରାଯାଉଥିବାରୁ ଦେଶରେ ବାଘ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ବାଘୁଣୀକୁ ଅନ୍ୟତ୍ର ସ୍ଥାନାନ୍ତରିତ ପରିବର୍ତେ ପାରିପାର୍ଶ୍ବିକ ପରିସ୍ଥିତି, ସ୍ଥାନୀୟବାସିନ୍ଦାଙ୍କ ମତାମତକୁ ମଧ୍ୟ ପ୍ରାଧିକରଣ ବିଚାରକୁ ନେଇପାରେ। ଆବଶ୍ୟକ ପଡ଼ିଲେ ଅନ୍ୟତ୍ର ସ୍ଥାନାନ୍ତରିତ ପ୍ରସଙ୍ଗରେ କୌଣସି ବିଚାର କରିବା ପୂର୍ବରୁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଯେଉଁ ସବୁ ନିୟମ ରହିଛି ତାହାକୁ ଅନୁଧ୍ୟାନ କରାଯିବ ବୋଲି କୁହାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାନ୍ଧବଗଡ଼ରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଅଣାଯାଇଥିବା ‘ସୁନ୍ଦରୀ’କୁ ବାନ୍ଧବଗଡ଼କୁ ଫେରାଇ ନେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଚାହୁଁନାହିଁ। ଯଦି ବାଘୁଣୀକୁ ବାନ୍ଧବଗଡ଼କୁ ଫେରାଇ ନିଆଯାଏ ତେବେ ଦେଶରେ ବାଘ ସଂରକ୍ଷଣ ପାଇଁ ଏକ ନକାରାତ୍ମକ ବାର୍ତା ଯିବ। ଏହାସହ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପ୍ରଭାବିତ ହେବ। ଆଗକୁ ଓଡ଼ିଶାକୁ ଆଉ ଦୁଇ ଯୋଡ଼ା ବାଘ ମଧ୍ୟପ୍ରଦେଶରୁ ଅଣାଯିବକୁ ଯୋଜନା ରହିଥିବା ବେଳେ ‘ସୁନ୍ଦରୀ’କୁ ବାନ୍ଧବଗଡ଼କୁ ଫେରାଇ ନିଆଗଲେ ଏହାର ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ। ତେଣୁ ପ୍ରାଧିକରଣ ଆଗାମୀ ଦିନରେ ବାଘୁଣୀକୁ ସାତକୋଶିଆ ଅଭୟାରଣ୍ୟରେ ରହିବାକୁ ନିର୍ଦେଶ ଦେଇପାରେ ବୋଲି ଚର୍ଚା ହେଉଛି। ତେବେ ଏଥିପାଇଁ କେଉଁ ସବୁ ପଦକ୍ଷେପ ରାଜ୍ୟ ଜଙ୍ଗଲ ବିଭାଗ ଗ୍ରହଣ କରିବ ସେ ନେଇ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର